ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାକୁ ନେଇ ଜେଲ ବିଭାଗ ତୀବ୍ର ଅସନ୍ତୋଷ ପ୍ରକଟ କରିଛି। ଜେଲରେ ନିଶ୍ଚିତ ଭାବେ ଅବହେଳା କରାଯାଇଛି। ନ ହେଲେ ଜଣେ କଏଦୀ ଆତ୍ମହତ୍ୟା କରିଥାନ୍ତେ କିଭଳି ? ତେଣୁ ଏହି ଘଟଣାର ଏନ୍ଏଚ୍ଆରସି ଗାଇଡ଼ ଲାଇନ୍ ଅନୁଯାୟୀ ତଦନ୍ତ କରାଯିବ। ଏଥିପାଇଁ ସ୍ଥାନୀୟ ଥାନାରେ ଏତଲା ମଧ୍ୟ ହୋଇ ସାରିଛି। ଗୋଟିଏ ଦିନ ମଧ୍ୟରେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସମ୍ବଲପୁର ଜେଲ ବିଭାଗ ଡିଆଇଜି ଅନୁସୟା ଜେନାଙ୍କୁ ନିର୍ଦେଶ ହୋଇଛି। ନିର୍ଦେଶ ପାଇବା ପରେ ଅନୁସୟା ବଲାଙ୍ଗୀର ଯାଇଛନ୍ତି ବୋଲି ଜେଲ ବିଭାଗ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି। ତେବେ ଶେଷ ଖବର ଅନୁଯାୟୀ ଜଣେ ୱାର୍ଡ଼ର ଅଜୟ କୁମାର ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। ସେ ଡ୍ୟୁଟିରେ ଅବହେଳା କରିଥିବା ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ତଦନ୍ତ ଶେଷ ହୋଇ ନାହିଁ। ଆସନ୍ତାକାଲି ମଧ୍ୟ ତଦନ୍ତ ହେବ ବୋଲି ଡିଆଇଜି ଅନୁସୟା କହିଛନ୍ତି।

Advertisment

ଡିଆଇଜି ଶ୍ରୀ ମିଶ୍ର କହିଛନ୍ତି, ସକାଳ ପ୍ରାୟ ୧୧ଟାବେଳେ ଏଭଳି ଖବର କଣ୍ଟାବାଞ୍ଜି ଜେଲରୁ ଭୁବନେଶ୍ବର ଜେଲ ବିଭାଗକୁ ଆସିଥିଲା। ଜେଲ ବିଭାଗ ପକ୍ଷରୁ ଏହାକୁ ଗୁରତ୍ବର ସହିତ ନିଆଯାଇ ଘଟଣାର ତଦନ୍ତ କରିବାକୁ ଡିଆଇଜି ଅନୁସୟାଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦିନ ବେଳା ଜଣେ କଏଦୀ ଆତ୍ମହତ୍ୟା କରିବାକୁ କେମିତି ସୁଯୋଗ ପାଇଲେ ସେ ନେଇ ତଦନ୍ତ ହେବ। ଯେତେବେଳେ ସେ ଆତ୍ମହତ୍ୟା କଲେ ୱା‌ର୍ଡର କିମ୍ବା ଅନ୍ୟମାନେ କେମିତି ଦେଖି ପାରି ନ ଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ତେଣୁ କର୍ତବ୍ୟରେ ଯିଏ ବି ଅବହେଳା କରିଥିବ ସେମାନଙ୍କ ବିରୋଧରେ ନିଶ୍ଚତ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୋବିନ୍ଦ ମୃତ୍ୟୁ ସମ୍ପର୍କରେ ଜେଲ ଅଧୀକ୍ଷକ, ଜିଲ୍ଲାପାଳ, ଜିଲ୍ଲା ଏସ୍‌ପି, ବିଚାରପତି ପ୍ରମୁଖଙ୍କୁ ଅବଗତ କରାଇଛନ୍ତି ବୋଲି ଜେଲ ଡିଆଇଜି ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ରାଜ୍ୟ ମାନବାଧିକାର କମିସନ ଏହି ଘଟଣାକୁ ଗୁରତ୍ବର ସହିତ ନେଇଛନ୍ତି। କମିସନ ନିଜ ଆଡୁ ମାମଲା ରୁଜୁ କରିବା ସହିତ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ ଡିଜି ଓ ବଲାଙ୍ଗୀର ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ଜାତୀୟ ମାନବାଧିକାର କମିସନରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଲା ତାର ତଦନ୍ତ କରିବାକୁ ଜାତୀୟ ମାନବାଧିକାର କମିସନରେ ଅଭିଯୋଗ କରିଛନ୍ତି ‘ନ୍ୟାୟ ପାଇଁ ଲଢ଼େଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ।