ରଗଡ଼ି: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ରଗଡ଼ିସ୍ଥିତ ଯାଜପୁରରୋଡ ଉପକାରାଗାରରେ ଡିସେମ୍ବର ୬ ତାରିଖରେ ବିଚାରାଧୀନ କଏଦୀ ବଳରାମ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରାଯାଇଛି। ପୂର୍ବରୁ ଏ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ହୋଇଥିବାବେଳେ ବୁଧବାର ପୁନର୍ବାର ଜେଲ୍‌ ବିଭାଗ ଡିଆଇଜି ଅନସୂୟା ଜେନା ଘଟଣାର ତଦନ୍ତ କରିଛନ୍ତି। ଅପରାହ୍‌ଣ ୨ ଟାରେ ଆସି ୫ ଘଣ୍ଟା ରହି ବିଭିନ୍ନ ବିଷୟରେ ପଚରାଉଚରା କରିବା ସହ ଯାଞ୍ଚ କରିଥିଲେ। ପରେ ସନ୍ଧ୍ୟା ୭ ଟାରେ ଫେରିଥିଲେ ବୋଲି ଜଣାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ବଳରାମଙ୍କ ମୃତ୍ୟୁକୁ ଜେଲ ପକ୍ଷରୁ ଆତ୍ମହତ୍ୟା କୁହାଯାଇଥିବାବେଳେ ତାଙ୍କ ଭାଇ ଦିଲ୍ଲୀପ କୁମାର ବେହେରା ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ। ଜେଲର ଓ ଏଠାରେ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ମିଶି ତାଙ୍କୁ ମାରି ଦେଇଥିବା ନେଇ ସେ କୋରେଇ ଥାନାରେ ଅଭିଯୋଗ କରିଥିଲେ। ପରେ ଜିଲ୍ଲାପାଳ, ଏସପି, ମୁଖ୍ୟ ଶାସନ ସଚିବ, ୫-ଟି ଅଧ୍ୟକ୍ଷ ଜେଲ ବିଭାଗ ଡିଜି, ଆଇଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ଯାଜପୁରରୋଡ ଏସଡିଜେଏମ କୋର୍ଟରେ ମଧ୍ୟ ମାମଲା ଦାଏର କରିଥିଲେ।