ବରଗଡ଼ : ଜିଲ୍ଲାରେ ଧାନ ହେରଫେର ବ୍ୟାପକ ଭାବେ ଚାଲିଛି। କିନ୍ତୁ ଏଥିରେ ଅଜବ ନୀତି ସାମନାକୁ ଆସିଛି। ବସ୍ତାଏ ଧାନ ଚୋରି କଲେ ଜେଲ୍ ଯିବାକୁ ପଡ଼ୁଛି। ଅଥଚ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଉଡ଼ାଇ ନେଲେ ସବୁ ମାଫ୍। କିଛି ଦିନ ତଳେ ବିଜେପୁର ବ୍ଲକ୍ ଅଂଚଳରେ ପାଖାପାଖି ୮୮ କ୍ବିଣ୍ଟାଲ ଧାନ ମଣ୍ଡିରେ ହେରଫେର ହୋଇଥିଲା। ଏନେଇ ଉପରିସ୍ଥ ଅଧିକାରୀମାନେ ଯାଂଚ କରିଥିଲେ। କିନ୍ତୁ କୌଣସି ଅଧିକାରୀ କିମ୍ବା ମଣ୍ଡି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେହିପରି ଗାଇସିଲାଟ୍ ବ୍ଲକ୍ରେ ଦୁଇଟି ବଡ଼ କେଳେଙ୍କାରୀ ସାମନାକୁ ଆସିଥିଲା। ଗତ ୧୨ ତାରିଖ ଗାଇସିଲାଟ୍ ବ୍ଲକ୍ ଅନ୍ତର୍ଗତ ଚାଣ୍ଟିପାଲି ମଣ୍ଡିରୁ ୧୫ଶହ ବସ୍ତା ଧାନ ଗାଏବ୍ ହୋଇଥିଲା। ଯୋଗାଣ ବିଭାଗ ଉପନିର୍ଦ୍ଦେଶକ ଅଜିତ ପାତ୍ରଙ୍କ ନେତୃତ୍ବରେ ଏକ ଦଳ ଗାଇସିଲାଟ ପେକ୍ସର ତିନୋଟି ମଣ୍ଡି ବୁଲି ଦେଖିଥିଲେ। ଚାଣ୍ଟିପାଲି ମଣ୍ଡିରେ ଧାନ ପ୍ରବେଶ ରିପୋର୍ଟରୁ ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ। ନିର୍ଦ୍ଧାରିତ ଧାନ ଠାରୁ ପ୍ରାୟ ୨୦ ପ୍ରତିଶତ ଧାନ କମ୍ ଥିବା ଜଣାପଡ଼ିଥିଲା। କିନ୍ତୁ କେବଳ ଚଢ଼ଉରେ କାମ ସରିଗଲା।
ଏହା ପୂର୍ବରୁ ଗାଇସିଲାଟ୍ ବ୍ଲକ୍ ଡାଙ୍ଗବାହାଲ ମଣ୍ଡିରୁ ୧୦ହଜାର ବସ୍ତାରୁ ଅଧିକ ଧାନ ଗାଏବ୍ ହୋଇଥିଲା। ଏହାର ବି ବିଧିବଦ୍ଧ ଖୋଳତାଡ଼ ହେଲା ନାହିଁ। ଫଳରେ ବଡ଼ମୁଣ୍ଡିମାନେ ଏବେ ବି ଅଚିନ୍ତାରେ ଅଛନ୍ତି। ଅନ୍ୟପକ୍ଷରେ ଗତ ମଂଗଳବାର ବସ୍ତାଏ ଧାନ ଚୋରି ଅଭିଯୋଗରେ ସେହି ଡାଂଗବାହାଲ ମଣ୍ଡିରୁ ୩ଜଣ ଗୁହାଲୁ ସାହୁ, ଡିଲୁ ପଣ୍ଡା ଓ ଦେଶ ଭୋଇ ଧରାପଡ଼ିଥିଲେ। ଅଭିଯୁକ୍ତମାନେ ଏହାକୁ ଜଣେ ବ୍ୟବସାୟୀଙ୍କ ପାଖରେ ବିକ୍ରି କରିଥିଲେ। ଏବେ ସେମାନେ ଗିରଫ ହୋଇ ଜେଲ୍ ଯାଇଛନ୍ତି। ତେବେ ଧାନ କିଣାରେ ବଡ଼ କେଲେଙ୍କାରୀ କରୁଥିବା ଲୋକେ କାହିଁକି ଗିରଫ ହେଉନାହାନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।