ଧର୍ମଘଟକୁ ସହାୟତା କଲେ ଜେଲ୍‌

ସରକାର ଯାହାକୁ ଚାହିବେ ବାନ୍ଧିବେ: ବିରୋଧୀ

ବର୍ଷେ ଜେଲ୍‌ ଓ ୫ ହଜାର ପର୍ଯ୍ୟନ୍ତ ଜରିମାନା
ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ବିଲ୍‌ ଗୃହରେ ପାରିତ

ଭୁବନେଶ୍ୱର : ଅତ୍ୟାବଶ୍ୟକ ସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଧର୍ମଘଟକୁ ସହାୟତା କଲେ ବର୍ଷକ ପାଇଁ ଜେଲ୍‌ ଓ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ। ଧର୍ମଘଟ କରୁଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ଚାକିରି ବି ହରାଇବେ। ସୋମବାର ବିଧାନସଭାରେ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ ୧୯୮୮ରେ ସଂଶୋଧନ କରାଯାଇ ନୂଆ ବିଲ ପାରିତ ହୋଇଛି। ବିଲ୍‌ର ସଂଶୋଧନ ପ୍ରସ୍ତାବକୁ ବିରୋଧୀ ଯେତେ ବିରୋଧ କଲେ ବି ସରକାର ସଂଖ୍ୟାଗରିଷ୍ଠ ବଳରେ ପାରିତ କରାଇନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରିକି କର୍ମଚାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିଲେ ମଧ୍ୟ ସେମାନଙ୍କ ସ୍ବରକୁ ଚାପି ଦେବାକୁ ସରକାର ଏକ ପ୍ରକାର ବ୍ୟବସ୍ଥା କରିଦେଲେ ବୋଲି ଗୃହରେ ବିରୋଧୀ ଦାବି କରିଛନ୍ତି।

ଗୃହରେ ମୁ୍ଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ବିଲ୍‌ ୨୦୨୦ ଆଗତ କରିଥିଲେ। ବିଲ୍‌ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, କେତେକ ସମୟରେ ପାଣି, ବିଦ୍ୟୁତ, ଖାଦ୍ୟ ସାମଗ୍ରୀ ବଣ୍ଟନ, ଶାନ୍ତି ଶୃଙ୍ଖଳା ରକ୍ଷା, ସର୍ବସାଧାରଣ ନିରାପତ୍ତା, ଅଗ୍ନି ନିରାପତ୍ତା ଓ ସୁରକ୍ଷା ଦାୟିତ୍ବ ଭଳି ଅପରିହାର୍ଯ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ ଆନ୍ଦୋଳନ କରୁଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ୧୯୮୮ ମସିହାରେ କରାଯାଇଥିବା ଅତ୍ୟାବଶ୍ୟକ ସେବା ଆଇନରେ ଏସବୁ ବିଶୃଙ୍ଖଳ କର୍ମଚାରୀଙ୍କୁ ଦଣ୍ଡିତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଲୋକମାନଙ୍କୁ ନିରନ୍ତର ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଏହି ସଂଶୋଧନ ପ୍ରସ୍ତାବ ଅଣାଯାଇଛି। ଦଣ୍ଡ ବିଧାନ ପାଇଁ ୧୯୮୮ ଆଇନର ଧାରା ୭ ପରେ ୭-ଏ ଓ ୭-ବି ଯୋଡ଼ାଯାଇଛି।

ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ଜଣେ ବ୍ୟକ୍ତି ଯଦି ଜାଣିଶୁଣି କୌଣସି କର୍ମଚାରୀ ସଂଗଠନର ଧର୍ମଘଟକୁ ସମର୍ଥନ କରି ଅର୍ଥ କିମ୍ବା କୌଣସି ସହାୟତା ଦେଇଥାନ୍ତି ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବର୍ଷକ ପାଇଁ ଜେଲ ଦଣ୍ଡ କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିକୁ ଉଭୟ ଦଣ୍ଡରେ ବି ଦଣ୍ଡିତ କରିହେବ।

ଅତ୍ୟାବଶ୍ୟକ ସେବା ଆଇନର ପରିସରକୁ ବୃଦ୍ଧି କରାଯାଇଛି। ଯେଉଁଥିରେ ଖାଦ୍ୟ ଯୋଗାଣ ଓ ବଣ୍ଟନ, ଅବକାରୀ, ଜଙ୍ଗଲ, ଜେଲ୍‌ ଓ କେହି ବୁଝିପାରୁନଥିବା ଭଳି କରେକ୍‌ସନାଲ ସେବାକୁ ସାମିଲ କରାଯାଇଛି। ଇଲେକ୍ଟ୍ରୋନିକ୍‌ସ୍‌, ସୂଚନା ପ୍ରଯୁକ୍ତି ବିଦ୍ୟା ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାସହିତ ସମୟ ଦେଖି ଯେ କୌଣସି ସେବାକୁ ଅତ୍ୟାବଶ୍ୟକ ବର୍ଗରେ ସରକାର ସାମିଲ କରିପାରିବେ। ଏଭଳି ଗୋଟିଏ ବ୍ୟବସ୍ଥା ଏହି ସଂଶୋଧନରେ ସାମିଲ କରି ସରକାର ସବୁ କ୍ଷେତ୍ର ପ୍ରତି ବିପଦର ବାଟ ଖୋଲିଦେଇଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ସଂଶୋଧନ ପ୍ରସ୍ତାବକୁ ବିରୋଧ କରି କହିଲେ, ବିଲ୍‌ରେ ଏପରି ଶବ୍ଦ ବ୍ୟବହାର କରାଯାଇଛି ତାକୁ ବିଧାୟକମାନେ ବୁଝି ପାରୁନାହାନ୍ତି। ଏପରିକି ବିଧାନସଭା ଲାଇବ୍ରେରିରେ ଏ ସଂକ୍ରାନ୍ତ ବହିଟିଏ ଖୋଜିଲେ ବି ଉପଲବ୍ଧ ହେଉନାହିଁ। ଖୋଦ ମନ୍ତ୍ରୀ ଏହି ବିଲ୍‌କୁ ଅନୁଧ୍ୟାନ କରିଥିବେ କି ନାହିଁ ଜଣାନାହିଁ। କିନ୍ତୁ ବିଲ୍‌ରେ ଯେଉଁ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି ତାହା ବିରୋଧୀଙ୍କ ସ୍ବରକୁ ଚପାଇଦେବା ପାଇଁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଖାଲି ସେତିକି ନୁହେଁ, କର୍ମଚାରୀମାନେ ଯଦି ସରକାରଙ୍କ ଠାରୁ ସେମାନଙ୍କ ନ୍ୟାଯ୍ୟ ହକ୍‌ ପାଇବାରୁ ବଞ୍ଚିତ ହୁଅନ୍ତି ତାହେଲେ ଧର୍ମଘଟ କରିବାର ଅଧିକାର ବି ହରାଇବେ। ଫଳରେ ସେମାନଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବ। ଯାହା ସମ୍ବିଧାନ ବିରୋଧୀ। ଏହା ରାଇଟ୍‌ ଟୁ ଲିଭ୍‌ ଓ୍ବିଥ୍‌ ଡିଗିନିଟିର (ସମ୍ମାନର ସହିତ ବଞ୍ଚିବାର ଅଧିକାର) ବିରୁଦ୍ଧାଚରଣ କରୁଛି। ଏପରି ବିଲ୍‌କୁ ଏ ଗୃହରେ ପାରିତ କରାନଯାଉ। ଯେତେବେଳେ ସରକାର ମୌଳିକ ସୁବିଧା ଯୋଗାଇବାରେ ବିଫଳ ହେଉଛନ୍ତି, ତାହେଲେ ସରକାର କାହିଁକି ଉତ୍ତରଦାୟୀ ହେବେ ନାହିଁ।

ଉଦାହରଣ ଦେଇ ଶ୍ରୀ ମିଶ୍ର କହିଥିଲେ, ନିକଟରେ କଲିକତା ହାଇକୋର୍ଟ ଏକ ମାମଲାର ବିଚାର କରି ଗୁଣାତ୍ମକ ବିଜୁଳି ଯୋଗାଣକୁ ମୌଳିକ ସେବା ବର୍ଗରେ ଆସିବ ବୋଲି କହିଛନ୍ତି। ଓଡ଼ିଶାରେ ଏଭଳି ଗାଁ ଅଛି ଯେଉଁଠି ଟ୍ରାନ୍‌ସଫର୍ମରଟିଏ ପୋଡ଼ିଗଲେ ମାସାଧିକ କାଳ ପଡ଼ିରହୁଛି ଅଥଚ ବିଜୁଳି ସଂଯୋଗ ମିଳୁନି। ଯେଉଁଠିକି ନିୟମ ଅଛି ବିଜୁଳି ସଂଯୋଗ ବ୍ୟାହତ ହେଲେ ୪୮ ଘଣ୍ଟା ଭିତରେ ଯୋଗାଇଦିଆଯିବ। ଏଥିପାଇଁ ତ କୌଣସି ଲୋକ ଧର୍ମଘଟ କରୁନାହାନ୍ତି। କିନ୍ତୁ ସରକାର ତାଙ୍କ ଦାୟିତ୍ବରେ ଅବହେଳା ପାଇଁ କାହିଁକି ଦଣ୍ଡିତ ହେବେ ନାହିଁ? ସେହିପରି ଯଦି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ନିୟମିତ ଓ ଠିକା କର୍ମଚାରୀମାନେ ସେମାନଙ୍କ ଦରମା ପାଇଁ ଧର୍ମଘଟ କରନ୍ତି ତାହେଲେ ତାକୁ କଣ ବେଆଇନ ବୋଲି ଦର୍ଶାଇ ସେମାନଙ୍କୁ ଦଣ୍ଡିତ କରାଯିବ?

ଆଲୋଚନା ପରେ ଶ୍ରୀ ମିଶ୍ର ଏକ ସଂଶୋଧନ ପ୍ରସ୍ତାବ ଦେଇ କହିଥିଲେ, ପ୍ରସ୍ତାବିତ ବିଲ୍‌ରେ ଧାରା ୭-ବି ପରେ ଆଉ ଗୋଟିଏ ଧାରା ୭-ସି ଯୋଡ଼ାଯାଉ। କାରଣ ଯେଉଁ କର୍ମଚାରୀମାନେ ସେମାନଙ୍କ ନ୍ୟାଯ୍ୟ ହକ୍‌ ପାଇବାରୁ ବଞ୍ଚିତ ହେବେ, ସେମାନଙ୍କ ପାଇଁ ସମ୍ପୃକ୍ତ ବିଭାଗର ମନ୍ତ୍ରୀଙ୍କୁ ଉତ୍ତରଦାୟୀ କରାଯିବା ସହ ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯାଇପାରିବ। ଏହି ସଂଶୋଧନ ପ୍ରସ୍ତାବ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଜାଣିବାକୁ ଚାହିଁଥିଲେ। ହେଲେ ମନ୍ତ୍ରୀ କିଛି ବି ଉତ୍ତର ନ ଦେଇପାରି ନଥିଲେ। କଂଗ୍ରେସ ବିଧାୟକ ଦଳ ନେତାଙ୍କ ସଂଶୋଧନ ପ୍ରସ୍ତାବର ଉତ୍ତର ନ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ପୁଣି ଥରେ ବିଲ୍‌ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପଢ଼ିଚାଲିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମନ୍ତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଭାବେ ଉତ୍ତର ରଖିବାକୁ ବାରମ୍ବାର ନିର୍ଦ୍ଦେଶ ଦେଲେ ବି ମନ୍ତ୍ରୀ ନିରୁତ୍ତର ରହିଥିଲେ। ମନ୍ତ୍ରୀ ହଟ୍ଟହଟ୍ଟା ହେଉଥିବା ଦେଖି ବାଚସ୍ପତି ଶ୍ରୀ ମିଶ୍ରଙ୍କୁ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର କରିବେ କି ପଚାରିବାରୁ କଂଗ୍ରେସ ବିଧାୟକ ଦଳ ନେତା ମନା କରିଦେଇଥିଲେ।

ଏପରିକି ବିଲ୍‌ରେ ଥିବା କରେକ୍‌ସନାଲ୍‌ ସର୍ଭିସ ଶବ୍ଦକୁ ନେଇ ଆପତ୍ତି ଉଠାଇଥିଲେ ସରକାରୀ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ। ଶ୍ରୀ ଶତପଥୀ କହିଥିଲେ, ବିଲ୍‌ର ଉଦ୍ଦେଶ୍ୟ ମହତ୍‌। କାରଣ ଅନେକ ସମୟରେ ପାଣି, ବିଦ୍ୟୁତ ସେବା ପରି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନେ ଧର୍ମଘଟ କରୁଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଦଣ୍ଡ ବିଧାନର ବ୍ୟବସ୍ଥା ବିଲ୍‌ରେ କରିଛନ୍ତି। ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ଧର୍ମଘଟ କରିବା ଅଧିକାର ସମସ୍ତଙ୍କର ରହିଛି। ଏହା କିଛି ନୂଆ କଥା ନୁହେଁ। ସରକାରଙ୍କ ପାଖରେ କ୍ଷମତା ରହିଲେ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବାରେ ସହଜ ହେବ। ତେଣୁ ପୁରୁଣା ଆଇନରେ ସଂଶୋଧନ କରିବାର ଆବଶ୍ୟକତା ରହିଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ଧର୍ମଘଟକୁ ସହାୟତା କଲେ ଜଣେ ବ୍ୟକ୍ତି ଯଦି ଦଣ୍ଡିତ ହେବେ ତାହେଲେ ବହୁ ସମୟରେ ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ, ଠିକା କର୍ମଚାରୀମାନେ ଧର୍ମଘଟ କରି ବିରୋଧୀ ରାଜନୈତିକ ଦଳମାନଙ୍କର ସହାୟତା ଲୋଡ଼ିଥାନ୍ତି। ଏବେ ସରକାର ଆଇନ ପ୍ରଣୟନ କରି ବିରୋଧୀଙ୍କୁ ବାନ୍ଧିବାର ସବୁ ଯୋଜନା କରିବାକୁ ଯାଉଛନ୍ତି। ବିଧାନସଭା ଚାଲୁଥିବା ସମୟରେ ଲୋୟର ପିଏମ୍‌ଜିରେ ବହୁ ଆନ୍ଦୋଳନ ହୁଏ। ଏହାର ଅର୍ଥ ସରକାର ତାଙ୍କ ବିରୋଧରେ ପ୍ରତ୍ୟେକ ସ୍ବରକୁ ଏବେ ଚପାଇଦେବା ପାଇଁ ସୁଚିନ୍ତିତ ଉଦ୍ୟମ କରିଛନ୍ତି। ଏହି ସଂଶୋଧନ ବିଲ୍‌ରୁ ଦଣ୍ଡ ବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଉ। ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ବିଲ୍‌ ପ୍ରତ୍ୟାହାର ଦାବି କରିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ଅଶ୍ବିନୀ କୁମାର ପାତ୍ର, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର