ବଦଳିବ ବ୍ରିଟିସ୍‌ ଅମଳର ଜେଲ୍‌ ମାନୁଆଲ୍‌, ଅନ୍‌ଲାଇନ୍‌ରେ ରହିବ ୮ ଲକ୍ଷ କଏଦୀଙ୍କ ଅପରାଧିକ ରେକର୍ଡ

୯୧ଟି ଜେଲ୍‌ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ, ବନ୍ଦୀଙ୍କ ଖାଦ୍ୟର ମାନ ଓ ପରିମାଣ ସିସି କ୍ୟାମେରାରେ ରେକର୍ଡ କରାଯିବ

କଟକ : ସହଜରେ କୋର୍ଟରୁ ଜାମିନ୍‌ ପାଇଯାଉଥିବା ଅପରାଧୀ ଏଣିକି ଫସିବେ। ପାଖାପାଖି ୮ ଲକ୍ଷ କଏଦୀଙ୍କ ୧୦ବର୍ଷ ଭିତରେ ଅପରାଧିକ ରେକର୍ଡ ଅନ୍‌ଲାଇନ୍‌ରେ ରହିବ। କେବେ, କେଉଁ ମାମଲାରେ ଜଣେ ଅଭିଯୁକ୍ତ ଜେଲ୍‌ ଯାଇଥିଲା, ସେ ସମ୍ପର୍କିତ ତଥ୍ୟର ଡିଜିଟାଇଜେସନ୍‌ କରାଯାଉଛି। ଫଳରେ କୋର୍ଟ ଜାମିନ୍‌ ଦେବା ପୂର୍ବରୁ ‘ମାଉସ୍‌’ କ୍ଲିକ୍‌ରେ ଜଣେ ଅଭିଯୁକ୍ତର ପୂର୍ବ ଅପରାଧ ରେକର୍ଡ ଜାଣିପାରିବେ। ପୂର୍ବ ରେକର୍ଡ ଆଧାରରେ ଜାମିନ ମିଳିବା ସହଜ ହେବ ନାହିଁ। ଏହା ବାଦ୍‌ କାରାଗାର ବିଭାଗରେ ବ୍ରିଟିସ୍‌ ଅମଳରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଜେଲ୍‌ ମାନୁଆଲ୍‌ରେ ପରିବର୍ତ୍ତନ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଜେଲ୍‌ ବିଭାଗ କରିବାକୁ ଯାଉଥିବାରୁ ମାନୁଆଲ୍‌ରେ ପରିବର୍ତ୍ତନ କରାଯାଉଛି। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବେଳେ ମାର୍ଚ୍ଚରୁ ନୂଆ ମାନୁଆଲ୍‌ କାର୍ଯ୍ୟକାରୀ ହେବାକୁ ଯାଉଥିବା କାରାଗାର ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ପ୍ରିଜିନସ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ(ପିଏମ୍‌ଏଲ୍‌)ରେ ଓଡ଼ିଶାରେ କାରାଗାର ବିଭାଗ ଏକ ବୃହତ୍‌ ସ˚ସ୍କାର ଇ-ପ୍ରିଜିନସ୍‌ ପ୍ରକଳ୍ପ ମାଧ୍ୟମରେ ଆଣିବାକୁ ଯାଉଛି। ରାଜ୍ୟରେ ଥିବା ୯୧ଟି ଜେଲ୍‌ ପାଇଁ ପ୍ରକଳ୍ପ ବାବଦ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦: ୪୦ ଅନୁପାତରେ ଟଙ୍କା ଖର୍ଚ୍ଚ କରିବେ। କୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ଦେବା ପୂର୍ବରୁ ତାଙ୍କ ପୂର୍ବ ଅପରାଧିକ ରେକର୍ଡ ଏବ˚ ସଜା ସମ୍ପର୍କରେ ଜାଣିବାରେ ସମସ୍ୟା ହେଉଛି। ଯାହାଫଳରେ ଦୁର୍ଦ୍ଦାନ୍ତ ଅପରାଧୀ କୋର୍ଟରୁ ସହଜରେ ଜାମିନ ପାଇଯାଉଛନ୍ତି। କିନ୍ତୁ ଏବେ ଇ- ପ୍ରିଜିନସ୍‌ ବ୍ୟବସ୍ଥା ଆରମ୍ଭ ହେବା ପରେ ଓଡ଼ିଶାରେ ଥିବା ୯୧ଟି ଜେଲ୍‌ର ୧୭ହଜାର ଦୋଷୀ ସାବ୍ୟସ୍ତ ଏବ˚ ବିଚାରାଧୀନ କଏଦୀଙ୍କ ଅପରାଧିକ ମାମଲା, କେବେ-କେଉଁ ଜେଲ୍‌ରେ କେତେ ଦିନ ରହିଥିଲେ, କେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ଓ କେଉଁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଇଥିଲେ ଏବ˚ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପୂର୍ଣ୍ଣ ଠିକଣା ଇ-ପ୍ରିଜିନସ୍‌ ବ୍ୟବସ୍ଥାରେ ଡିଜିଟାଇଜେସନ୍‌ କରାଯିବ। ଅନ୍‌ଲାଇନ୍‌ରେ କଏଦୀଙ୍କ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଇ-କୋର୍ଟ ଏବ˚ ପୁଲିସର ସିସିଟିଏନ୍‌ଏସ୍‌ (କ୍ରାଇମ୍‌ ଆଣ୍ତ କ୍ରିମିନାଲ୍‌ ଟ୍ରାକି˚ ନେଟଵାର୍କ ଆଣ୍ତ ସିଷ୍ଟମ୍‌ସ) ସହିତ ଇ-ପ୍ରିଜନସ୍‌ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ସ˚ଯୋଗ କରାଯିବ। ଏହି ବ୍ୟବସ୍ଥା ମାଧ୍ୟମରେ ଜଣେ କଏଦୀକୁ ଜେଲ୍‌ରେ କେଉଁମାନେ ଭେଟୁଛନ୍ତି, ସେମାନଙ୍କ ତଥ୍ୟ ମଧ୍ୟ ଅନ୍‌ଲାଇନ୍‌ରେ ରହିବ। କାରାଗାର ବିଭାଗ କର୍ତ୍ତୃପକ୍ଷ ଚାହିଁଲେ, ଗୋଟିଏ ମିନିଟ୍‌ରେ ତାହା ଦେଖି ପାରିବେ। ୧୭ହଜାର କଏଦୀଙ୍କ ଅତିରିକ୍ତ ଗତ ୧୦ ବର୍ଷର କଏଦୀଙ୍କ ତଥ୍ୟ ବି ଡିଜିଟାଇଜେସନ୍‌ କରାଯାଉଛି। ମୋଟ ୮ ଲକ୍ଷ କଏଦୀଙ୍କ ତଥ୍ୟ ଏବେ ସ˚ଗ୍ରହ କରାଯାଉଛି। ଏଥିପାଇଁ ବିଏସ୍‌ଏନ୍‌ଏଲ୍‌ ଇଣ୍ଟର‌୍‌ନେଟ୍‌ ସେବା ଯୋଗାଇବ। ଏନ୍‌ଆଇଏସ୍‌ଜି (ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର‌୍‌ ସ୍ମାର୍ଟ ଗଭର୍ଣ୍ଣମେଣ୍ଟ), ବିଏସ୍‌ଏନ୍‌ଏଲ୍‌, ଏନ୍‌ଆଇସି (ନ୍ୟାସ୍‌ନାଲ୍‌ ଇନ୍‌ଫର‌୍‌ମେଟିକ ସେଣ୍ଟର) ଓ ଓକାକ୍‌ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର) ମିଳିତ ଭାବେ ଇ-ପ୍ରିଜିନସ୍‌ ପ୍ରକଳ୍ପ ପାଇଁ କାମ କରୁଛନ୍ତି। ମାର୍ଚ୍ଚ ସୁଦ୍ଧା ଡିଜିଟାଇଜେସନ୍‌ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି।

ସେହିଭଳି, ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ କଏଦୀଙ୍କ ଶୁଣାଣି ପ୍ରକ୍ରିୟା କୋର୍ଟରେ କରାଇବା କ୍ଷେତ୍ରରେ ମଧ୍ୟ ବଡ଼ଧରଣର ପଦକ୍ଷେପ ନିଆଯିବ। ଏବେ ପ୍ରାୟ ୫୦ଟି ଜେଲ୍‌ରେ ଭିଡିଓ କନ୍‌ଫରେନ୍‌ସି˚ ବ୍ୟବସ୍ଥା ଥିବା ବେଳେ ଆହୁରି ୪୧ଟି ଜେଲ୍‌ରେ ଭିଡିଓ କନ୍‌ଫରେନ୍‌ସି˚ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। କଏଦୀ ଜେଲ୍‌ରୁ କୋର୍ଟ ଯିବା ରାସ୍ତାରେ ଅନେକ ସମୟରେ ଖସିଯିବାର ନଜିର ଥିବାରୁ ତାହାକୁ ଏଡ଼ାଇବା ପାଇଁ ଏ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। କେବଳ ଭିଡିଓ କନ୍‌ଫରେନ୍ସି˚ ନୁହେଁ, ଜେଲ୍‌ରେ କଏଦୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଓ ପରିମାଣ ବି ସିସି କ୍ୟାମେରାରେ ରେକର୍ଡ କରାଯିବ। କରାଗାର ବିଭାଗ ନିର୍ଦ୍ଦେଶକ ସିଧାସଳଖ ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ ଏସବୁ ଯାଞ୍ଚ କରିବେ। କଏଦୀଙ୍କୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଦିଆଯାଉ ନଥିବା ନେଇ ଅତୀତରେ ଯେଉଁ ଅଭିଯୋଗ ଉଠୁଥିଲା, ତାକୁ ଦୃଷ୍ଟିରେ ରଖାଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯିବ। ମୋଟ ଉପରେ ଜେଲ୍‌କୁ କଏଦୀଙ୍କ ପାଇଁ ଆସୁଥିବା ଡାଲି-ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀର ସିଲ୍‌ କ୍ୟାମେରା ସାମ୍‌ନାରେ ଖୋଲାଯିବ। କାରାଗାର ବିଭାଗ କର୍ତ୍ତୃପକ୍ଷ ଏସବୁର ଇ-ମନିଟର˚ କରିବେ।

ଅନ୍ୟପଟେ ପୁଲିସ ବିଭାଗର ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୁଲିସ ଏକାଡେମି ପରି କାରଗାର ବିଭାଗ ପକ୍ଷରୁ ଖୋର୍ଧା ଜାମୁଝରୀରେ ଖୋଲିବାକୁ ଯାଉଛି ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ଜେଲ୍‌ ଏକାଡେମି’। ୨୦୦୯-୧୦ ମସିହାରୁ ୧୫ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଏଠାରେ ଜେଲ୍‌ ଵାର୍ଡରଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ମିଳିବା ସହିତ ଇନ୍‌ ସର୍ଭିସ୍‌ ଟ୍ରେନି˚ ମଧ୍ୟ ଦିଆଯିବ। ପୂର୍ବରୁ ଵାର୍ଡର୍‌ମାନଙ୍କୁ ବ୍ରହ୍ମପୁରସ୍ଥିତ ଵାର୍ଡର‌୍‌ ଟ୍ରେନି˚ ସ୍କୁଲ୍‌ରେ ତାଲିମ ମିଳୁଥିଲା। ମୋଟ ଉପରେ ଇ-ପ୍ରିଜିନସ୍‌ ଏବ˚ ଏକାଡେମି ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓସ୍ବାସ୍‌(ଓଡ଼ିଶା ସେକ୍ରେଟେରିଏଟ୍‌ ଵାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ୍‌) ମାଧ୍ୟମରେ କାରାଗାର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଫାଇଲ୍‌ ଅନ୍‌ଲାଇନ୍‌ରେ ଗୃହ ବିଭାଗକୁ ପଠାଯିବ। ଏହାବାଦ୍‌ ଜେଲ୍‌ରେ ନିଶା କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଜିଲ୍ଲା ଏସ୍‌ପି/ଡିସିପି, ମାଜିଷ୍ଟ୍ରେଟ୍‌ ଏବ˚ ଜେଲ୍‌ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଅତର୍କିତ ଚଢ଼ଉ କରିବାକୁ କାରାଗାର ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଆଲୋଚନା କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର