ହାଇକୋର୍ଟରେ ଜେଲ୍‌ ସଂସ୍କାର ମାମଲା: ୮୭ରୁ ମାତ୍ର ୨୧ ଜେଲ୍‌ରେ ରହିଛି ଆମ୍ବୁଲାନ୍ସ

ସବୁ ଜେଲ୍‌ରେ ଆମ୍ବୁଲାନ୍ସ ବ୍ୟବସ୍ଥା, ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ନିର୍ଦ୍ଦେଶ

କଟକ : ରାଜ୍ୟର ସବୁ ଜେଲ୍‌ରେ ଆମ୍ବୁଲାନ୍ସ ନାହିଁ। ରାଜ୍ୟରେ ୮୭ଟି ଜେଲ୍‌ ରହିଥିବାବେଳେ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ମାତ୍ର ୨୧ଟି ଗାଡ଼ି ରହିଛି। ହାଇକୋର୍ଟରେ ଜେଲ୍‌ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ସମୟରେ ଏଭଳି ଘଟଣା ସ୍ପଷ୍ଟ ହୋଇଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରତ୍ବର ସହିତ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ପ୍ରତି ଜେଲ୍‌ରେ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ତିନିମାସ ଭିତରେ ‌ଏଭଳି ଆବଶ୍ୟକତା ପୂରଣ ପାଇଁ ଜେଲ୍‌ ବିଭାଗକୁ ଅତି କମ୍‌ରେ ୨୦ଟି ଗାଡ଼ି ଯୋଗାଇ ଦେବାକୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଦିନ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଜେଲ ଡିଆଇଜିଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯିବା ସହିତ ନିକଟରେ ଅନୁଷ୍ଠିତ ପ୍ରିଜନ ଡେଭେ‌ଲପମେଣ୍ଟ ବୋର୍ଡ (ପିଡିବି) ବୈଠକର ବିବରଣୀ ଦାଖଲ କରାଯାଇଥିଲା। ଜେଲ୍‌ରେ ବନ୍ଦୀଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ରହିଛି। ମାସିକ ୨୫ ହଜାର ଟଙ୍କା ପ୍ରାପ୍ୟ ଦେଇ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଜେଲ୍‌ରେ ନିୟୋଜନ ପାଇଁ ଜେଲ୍‌ ବିଭାଗ ତରଫରୁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିସହିତ ଜେଲ୍‌ରେ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଅନ୍ୟ କର୍ମଚାରୀଙ୍କୁ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଁ ଅନୁମତି ଦିଆଯିବ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏଥିସହିତ ପ୍ରତି ୬ଜଣ ବନ୍ଦୀଙ୍କ ପାଇଁ ଜଣେ ୱାର୍ଡର ରହିବା କଥା। କିନ୍ତୁ, ଜ୍ୟରେ ପ୍ରତି ଜେଲ୍‌୧୧ଜଣ ବନ୍ଦୀଙ୍କ ପାଇଁ ରହିଛନ୍ତି ‌ଜଣେ ୱାର୍ଡର। ପିଡିବିର ପରବର୍ତ୍ତୀ ବୈଠକରେ ନୂଆ ୱାର୍ଡର ପଦ ସୃଷ୍ଟି ଓ ଅନ୍ୟ କର୍ମଚାରୀ ସଂଖ୍ୟା ବୃଦ୍ଧି ପ୍ରସଂଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପିଡିବିର ସ୍ବତନ୍ତ୍ର ବୈଠକରେ ଏହି ପ୍ରସଂଗରେ ତିନି ମାସ ଭିତରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି। ସେହିଭଳି ଭାବେ ଜେଲରେ ବନ୍ଦୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମନସ୍ତତ୍ତ୍ବବିତ ଓ ଡାକ୍ତରଙ୍କୁ ଚୁକ୍ତିଭିତ୍ତିରେ ନିୟୋଜନ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Live Law

ଅନ୍ୟପଟେ ଜେଲ୍‌ଗୁଡ଼ିକରେ ଭିଡ ଏଡ଼ାଇବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜେଲ୍‌ ଗୁଡିକରେ ଭିଡ଼ ଏଡାଇବା ପ୍ରସଂଗରେ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ଏବେ ବି ଚାରିଟି ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ୫୦ ପ୍ରତିଶତରୁ ଅଧିକ ବନ୍ଦୀ ରହିଛନ୍ତି। ଯାଜପୁର ଜେଲରେ ଏହି ସଂଖ୍ୟା ୧୦୫ ପ୍ରତିଶତରୁ ଅଧିକ ବୋଲି ସ୍ପଷ୍ଟ ହୋଇଥିଲା। ଜେଲ୍‌ଗୁଡିକର କ୍ଷମତା ବୃଦ୍ଧି ପାଇଁ ପୁଲିସ ଗୃହନିର୍ମାଣ ବୋର୍ଡ ସହିତ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଜେଲ୍‌ଗୁଡିକର କ୍ଷମତା ବୃଦ୍ଧି ଓ ଭିଡ଼ ଏଡ଼ାଇବା ପ୍ରସଂଗରେ ନିର୍ଦ୍ଧାରିତ ସମୟସୀମା ଭିତରେ ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଆଜି ଗୁରୁତ୍ବାରୋପ କରିଥିଲେ।

ଏଥିସହିତ ଯୁବବନ୍ଦୀଙ୍କୁ ଅନ୍ୟ ବୟସ୍କ ବନ୍ଦୀଙ୍କଠାରୁ ପୃଥକ ଭାବେ ରଖିବା ପ୍ରସଙ୍ଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ମେ ୨୧ର ନିର୍ଦ୍ଦେଶରେ ୧୮ରୁ ୨୧ ବର୍ଷ ବୟସର ବନ୍ଦୀଙ୍କୁ ଅନ୍ୟ ବନ୍ଦୀଙ୍କଠାରୁ ଅଲଗା ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥି ସହିତ ଦୋଷୀ ସାବ୍ୟସ୍ତ ଓ ବିଚାରାଧୀନ ବନ୍ଦୀଙ୍କୁ ପୃଥକ ଭାବେ ରଖାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରକୃତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ କ’ଣ କରାଯାଇଛି, ସେ ନେଇ ଜଣାଇବାକୁ ହାଇକୋର୍ଟ କହିଛନ୍ତି।

International Adviser

ସବୁ ଜେଲ୍‌ରେ ଇ-କିଓସ୍କ ବ୍ୟବସ୍ଥା ପ୍ରସଂଗରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୩୩ଟି ଜେଲ ପାଇଁ ୫୬ଟି ଇ-କିଓସ୍କ ବ୍ୟବସ୍ଥା କିଣାଯାଇଛି। ପର୍ଯ୍ୟାୟକ୍ରମେ ସବୁ ଜେଲରେ ଇ-କିଓସ୍କ ବ୍ୟବସ୍ଥା କରାଯିବ। ଭୁବନେଶ୍ବରରେ ଝାରପଡା ଜେଲ ସହର ଭିତରେ ରହିଥିବା ବେଳେ ଭୁବନେଶ୍ବର ଉପକଣ୍ଠରେ ଆଉ ଏକ ନୂଆ ଜେଲ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ବୋଲି ଆଜି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ୨ ହଜାର ୫ଶହ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ମଡେଲ ଜେଲ୍‌ ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ କରାଯିବ। ଏଥିସହିତ ଦେଶର ପ୍ରମୁଖ ଜେଲ୍‌ ତିହାର ଭଳି ରାଜ୍ୟର ଜେଲ୍‌ଗୁଡିକର ପରିଚାଳନା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ପାଇଁ ପ୍ରସ୍ତାବ ରହିଛି। ଜେଲ୍‌ରେ ବନ୍ଦୀମାନଙ୍କୁ କୁଶଳୀ ତଥା ଆତ୍ମନିର୍ଭଳଶୀଳ କରିବା ପାଇଁ ବିଭିନ୍ନ ତାଲିମ ପ୍ରଦାନ ପ୍ରସଂଗରେ ମଧ୍ୟ ପଦକ୍ଷେପ ନିଆଯିବ। ବେକେରି ୟୁନିଟ, ମସଲା ୟୁନିଟ ଜେଲରେ ପ୍ରତିଷ୍ଠା କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ରହିଥିବା ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯କୁ ଧାର୍ଯ୍ୟ କରାଯାଇଥିବା ବେଳେ ଜେଲ୍‌ ଗୁଡିକର ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର