ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା: ଜାମିନ ସତ୍ତ୍ବେ ମୁକୁଳି ପାରୁନାହାନ୍ତି ୩୩ ବନ୍ଦୀ

କଟକ: ଅଦାଲତ ଜାମିନ ମଞ୍ଜୁର କରିବାପରେ ବି ୩୩ ଜଣ ବନ୍ଦୀ ଜେଲ୍‌ରୁ ମୁକୁଳି ପାରିନାହାନ୍ତି। ହାଇକୋର୍ଟରେ ଜେଲ୍‌ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ସମୟରେ ଏଭଳି ତଥ୍ୟ ଉପସ୍ଥାପନ କରାଯାଇଛି। ବିଭିନ୍ନ ଜେଲ୍‌ ପରିଦର୍ଶନ କରି ସମ୍ପୃକ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦାଖଲ ରିପୋର୍ଟ ଅନୁସାରେ, ଗତ ଡିସେମ୍ବର ସୁଦ୍ଧା ମୋଟ୍‌ ୧୫୫ ବିଚାରାଧୀନ ବନ୍ଦୀଙ୍କୁ ଜାମିନ ମିଳିଥିବା ବେଳେ ସେମାନେ ଜେଲ୍‌ରୁ ମୁକୁଳି ପାରି ନଥିଲେ। ୧୫୫ ଜଣଙ୍କ ମଧ୍ୟରୁ ୧୨୨ଜଣ ବନ୍ଦୀ ପରବର୍ତ୍ତୀ ସମୟରେ ଜାମିନରେ ବାହାରିଥିଲେ। ଅନ୍ୟ ୩୩ ଜଣ ବନ୍ଦୀ କିନ୍ତୁ ଜାମିନ ମଞ୍ଜୁର ପରେ ବି ଜେଲ୍‌ରେ ରହିଛନ୍ତି। ଜାମିନ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ତ୍ତ ପୂରଣ ନ କରିବାରୁ ଏବଂ ଅନ୍ୟାନ୍ୟ କାରଣରୁ ଏହି ବନ୍ଦୀମାନେ ଜାମିନ ପାଇବା ସତ୍ତ୍ବେ ଜେଲ୍‌ରୁ ମୁକୁଳି ପାରିନଥିବା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତରଫରୁ ହାଇକୋର୍ଟଙ୍କୁ ଆଜି ଅବଗତ କରାଯାଇଛି। ଏହି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଏଯାଏ କେତେ ଜଣ ବିଚାରାଧୀନ ବନ୍ଦୀ ଜାମିନ ମଞ୍ଜୁର ସତ୍ତ୍ବେ ଜେଲ୍‌ରୁ ମୁକୁଳି ପାରି ନାହାନ୍ତି ଏବଂ ଏହାପଛରେ କ’ଣ କାରଣ ରହିଛି, ସେ ନେଇ ତଥ୍ୟ ପ୍ରଦାନ ପାଇଁ ହାଇକୋର୍ଟ କହିଛନ୍ତି। ଜାମିନ ମଞ୍ଜୁର ପରେ ବି ଜେଲ୍‌ରେ ଥିବା ବନ୍ଦୀଙ୍କ ନାଁ ଓ ଅନ୍ୟ ସବିଶେଷ ତଥ୍ୟ ରିପୋର୍ଟରେ ଉଲ୍ଲେଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ମାମଲାର ଶୁଣାଣି ସମୟରେ ବହୁଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀ ରହିଥିବା ପ୍ରସଙ୍ଗରେ ଆମିକସ୍ କ୍ୟୁରି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ଜାମିନ ମଞ୍ଜୁର ପରେ ମଧ୍ୟ ଜେଲ୍‌ରେ ଥିବା ବନ୍ଦୀଙ୍କ ମୁକ୍ତି ପ୍ରସଙ୍ଗରେ ରହିଥିବା ସୁପ୍ରିମକୋର୍ଟଙ୍କ ରାୟର ନଜିର ଓ ଏ ସଂପର୍କିତ ଏସ୍‌ଓପି ସଂକ୍ରାନ୍ତରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆମିକସ୍ କ୍ୟୁରି ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର