କେନ୍ଦୁଝର : ହରିଚନ୍ଦନପୁର ଥାନା ଅଞ୍ଚଳର ଏକ ଡକାୟତି ମାମଲାର ବିଚାର କରି ଗୁରୁବାର ଦିନ କେନ୍ଦୁଝର ସିଜେଏମ ରଞ୍ଜୁଲତା ଲେଙ୍କା ଜଣେ ଡକାୟତକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

୨୦୧୬ ମସିହା ଅକ୍ଟୋବର ମାସ ୨୮ ତାରିଖରେ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଭିମଟାଙ୍ଗି ହାଉସିଂବୋର୍ଡ କଲୋନିର ସିଦ୍ଧାର୍ଥ ଶଙ୍କର ପଣ୍ଡା ତାଙ୍କର ଦୁଇ ବନ୍ଧୁ ଜିତେଶ ପ୍ରସାଦ ଓ ବିଶ୍ବନାଥ ପ୍ରତାପ ୨ଟି ବାଇକରେ ଝାଡ଼ଖଣ୍ଡର ରାଞ୍ଚିକୁ ଯାଉଥିଲେ । ରାସ୍ତାରେ ଯିବା ବାଟରେ ସମୟ ପ୍ର‌ାୟ ଅପରାହ୍ଣ ୩ଟା ୪୫ ପାଖପାଖିରେ ସେମାନେ ରେମାଳ ଡ୍ୟାମକୁ ଯାଇ ସେଠାରେ ଫଟୋ ଉଠାଉଥିଲେ । ଏହି ସମୟରେ ୬ ଜଣ ଡକାୟତ ସେଠାରେ ପହଞ୍ଚି ତାଙ୍କୁ ବାଇକର ମୂଲ୍ୟ କେତେ ବୋଲି ପଚାରିଥିଲେ । କଥା ହେବା ସମୟରେ ହଠାତ ୪ ଜଣ ରିଭଲଭର ବାହାର କରି ସେମାନଙ୍କୁ ଲୁଟିବାକୁ ଚେଷ୍ଟା କରିଥିଲେ। ସେମାନେ ବିରୋଧ କରିଥିଲେ। ଫଳରେ ଜଣେ ଡାକାୟତ ଜିତେଶଙ୍କ ପେଟକୁ ଗୁଳି କରିଥିଲା। ସେ ଆହତ ହୋଇଥିଲେ। ସେହିପରି ବିଶ୍ବନାଥଙ୍କ ମୁଣ୍ଡକୁ ରିଭଲଭରେ ବାଡେଇ ଦେବାରୁ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେଉଥିଲା। ଏଥିରେ ଏମାନେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ ଡକାୟତମାନେ ତାଙ୍କ ଦୁଇ ବାଇକ, ୪ ଟି ମୋବାଇଲ, ୩ଟି ହେଲମେଟ, ୧୨ ହଜାର ୬ ଶହ ଟଙ୍କା ଲୁଟି ନେଇଥିଲେ। ଡକାୟତମାନେ ଫେରାର ହୋଇଯିବା ପରେ ଏମାନେ ଆହତମାନଙ୍କୁ ଡାକ୍ତରଖାନା ନେବା ସହିତ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ହରିଚନ୍ଦନପୁର ଥାନା କେସ ନଂ ୧୧୧/ ୨୦୧୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ଡକାୟତଙ୍କୁ ଧରିପାରି ନଥିଲେ । ଅନ୍ୟ ଏକ ମାମଲାରେ ସଦର ଥାନା ପୁଲିସ ଏହି ୬ ଜଣିଆ ଡକାୟତି ଗ୍ୟାଙ୍ଗର ନିଲୁ ବିରୁଆ (୩୦)କୁ ଧରିଥିଲା। ନିଲୁର ଘର ଝାଡଖଣ୍ଡ ରାଜ୍ୟ ୱେଷ୍ଟ ସିଂଭୂମ ଜିଲ୍ଲା ଲାମଝରିରେ। ପୁଲିସ ନିକଟରେ ନିଲୁ ଏହି ଡକାୟତି ଘଟଣା ଘଟାଇଥିବା ପ୍ରକାଶ କରିଥିଲା । ତେଣୁ ତାକୁ ସଦର ପୁଲିସ ହରିଚନ୍ଦନପୁର ପୁଲିସକୁ ହସ୍ତାନ୍ତର କରିଥିଲା । ହରିଚନ୍ଦନପୁର ପୁଲିସ ପଚରାଉଚରା କରିବାରୁ ଏହି ଘଟଣାରେ ସଂପୃକ୍ତ ଥିବା ଝାଡଖଣ୍ଡ ରାଜ୍ୟର ରୁପା ବରଜ, ଅଜୟ ହେମ୍ବ୍ରମ, ରବି ଗଡସେରା, ଗାନ୍ଧୀ ସୁଙ୍କୁ ଓ ଘସିପୁରା ଅଞ୍ଚଳର ଜଗବନ୍ଧୁ ପୃଷ୍ଟି ନାମ ସେ ପ୍ରକାଶ କରିଥିଲା । ତେବେ ଅନ୍ୟ ୫ ଜଣ ଫେରାର ଥିବାରୁ ପୁଲିସ ନିଲୁକୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ କୋର୍ଟ ୨୪ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ନିଲୁକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୪ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ । ସରକାରଙ୍କ ପକ୍ଷରୁ ପିପି ଅଶୋକ କୁମାର ଦାସ ମାମଲା ପରିଚାଳନା କରୁଥିଲେ ।