ଫୁଲବାଣୀ/ନୀଳଗିରି/କଟକ : ଗତକାଲି ଚୌଦ୍ବାର ଜେଲ୍ରେ ବନ୍ଦୀଙ୍କ ସେଲ୍ଫି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନି, ଫୁଲବାଣୀ ଜିଲ୍ଲାରେ କଏଦୀଙ୍କ ଆକ୍ରମଣରେ ଅନ୍ୟ ଜଣେ କଏଦୀଙ୍କ ମୃତ୍ୟ ହୋଇଥିବା ଜଣାପଡ଼ିଛି। କେବଳ ସେତିକି ନୁେହଁ, ବାଲେଶ୍ବର ଜିଲ୍ଲାରୁ ଜେଲ୍କୁ ନେଇ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଲାଣି। ନୀଳଗିରି ସବ୍ଜେଲ୍ରେ ପତ୍ନୀ ଜେଲ୍ର ଥିଲେ ହେଁ ତାଙ୍କ ସ୍ବାମୀଙ୍କ ନିର୍ଦେଶରେ ଜେଲ୍ ପ୍ରଶାସନ ଚାଲିଛି। ଏହି ଘଟଣା ସୂଚାଇ ଦେଉଛି, ଜେଲ୍ ବିଭାଗରେ ଶାସନ ବ୍ୟବସ୍ଥା କିଭଳି ହୁଗୁଳି ଯାଇଛି। ରାଜ୍ୟ ସରକାର ଜେଲ୍ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଅତ୍ୟନ୍ତ ନିର୍ବିକାର ଭାବେ ବସି ରହିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କଲାଣି।
ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ କଏଦୀଙ୍କ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗତକାଲି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଲକ୍ଷ୍ମଣ ନାୟକ (୭୫)। ଘର ତୁମୁଡ଼ିବନ୍ଧ ଥାନା ଖଣ୍ତିଆମୁଣ୍ତା ନୂଆସାହିରେ। ଏକ ଦୁଷ୍କର୍ମ ମାମଲାରେ ତାଙ୍କୁ ୮ ବର୍ଷ ସଜା ହୋଇଥିବା ବେଳେ ୨ ବର୍ଷ ହେଲା ସେ ଜେଲରେ ରହୁଥିଲେ। ତାଙ୍କୁ ଆକ୍ରମଣ କରିଥିବା କଏଦୀ ହେଲେ କାହ୍ନୁଚରଣ ପ୍ରଧାନ (୪୫), ଘର ଦାରିଙ୍ଗବାଡ଼ି ଥାନା କରମା ଗାଁରେ। ସେ ନିଜ ପୁଅକୁ ହତ୍ୟା କରି ୨୦୦୬ରୁ ଆଜୀବନ କାରାଦଣ୍ତ ଭୋଗୁଛି। ଗତକାଲି ଅପରାହ୍ନରେ କାହ୍ନୁଚରଣ ପ୍ରଧାନ(୪୫) ଲକ୍ଷ୍ମଣଙ୍କ ମୁଣ୍ତକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା।
ବାଲେଶ୍ବର ନୀଳଗିରି ସବ୍ ଜେଲ୍ର ଜେଲର ମମତାବାଳା ପାତ୍ର ୨ ବର୍ଷ ହେବ ଏଠାରେ କାର୍ଯ୍ୟ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଜେଲ ଭିତରେ ସମସ୍ତ ସରକାରୀ କାର୍ଯ୍ୟ, କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା, ବନ୍ଦୀମାନଙ୍କ ବିଷୟରେ ବୁଝାସୁଝା କରିବା ଆଦି କାର୍ଯ୍ୟ ତାଙ୍କ ସ୍ବାମୀ ମାଧବାନନ୍ଦ ଜ୍ୟୋତିଷ କରୁଥିବା ଅଭିଯୋଗ ହୋଇଛି। ଶ୍ରୀମତୀ ପାତ୍ର କାଁ ଭାଁ ଅଫିସକୁ ଅସୁଥିବା ବେଳେ ଶ୍ରୀ ଜ୍ୟୋତିଷ ସମସ୍ତ ସରକାରୀ କାର୍ଯ୍ୟ କରୁଥିବା ଦେଖାଯାଉଛି। ଏ ନେଇ ଜେଲର ଶ୍ରୀମତୀ ପାତ୍ରଙ୍କୁ ପଚାରିବାରୁ ସ୍ବାମୀ ଶ୍ରୀ ଜ୍ୟୋତିଷ ଅଫିସ କାର୍ଯ୍ୟ କରୁଥିବା ସ୍ବୀକାର କରିଛନ୍ତି। ସେ କମ୍ପ୍ୟୁଟର ଜାଣିନାହାନ୍ତି ତଥା ଅପରେଟର ପଦବି ଖାଲି ପଡ଼ିଥିବାରୁ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଏଥିରେ କିଛି ସୁଫଳ ନମିଳିବାରୁ ଉଚ୍ଚାଧିକାରୀଙ୍କୁ ଜଣାଇ ତାଙ୍କ ସ୍ବାମୀଙ୍କୁ ସେ କାର୍ଯ୍ୟରେ ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ,ଚୌଦ୍ବାର ଜେଲ୍ରୁ ଧଳସାମନ୍ତ ଗ୍ୟାଙ୍ଗ୍ର ସହଯୋଗୀ ମୋବାଇଲ୍ରେ ସେଲ୍ଫି ନେଇ ସୋସିଆଲ୍ ମିଡିଆରେ ଛାଡ଼ିବା ଘଟଣାକୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ କିନ୍ତୁ ଜେଲ କର୍ତୃପକ୍ଷ ଏବେ ବି ବେଫିକର ହୋଇ ବସିରହିଛନ୍ତି।