ଭୁବନେଶ୍ବର: ବନ୍ୟଜନ୍ତୁଙ୍କ ଫଟୋ ଉଠାଉଛନ୍ତି କି? ସେମାନଙ୍କ ସହ ସେଲଫି ନେଉଛନ୍ତି କି? ମୃତ ବନ୍ୟଜନ୍ତୁଙ୍କ ଶରୀରର ବିଭିନ୍ନ ଅଂଶ ସହ ଫଟୋ କିମ୍ବା ସେଲଫି ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି କି? ଯଦି କୌଣସି ବ୍ୟକ୍ତିବିଶେଷ ଏଭଳି କାର୍ଯ୍ୟ କରୁଥାନ୍ତି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ। ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ଧାରା-୯ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏପରିକି ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏବେ ଏଭଳି ପଦକ୍ଷେପ ନେଇଛି।

Advertisment

ବନ୍ୟଜନ୍ତୁଙ୍କୁ କ୍ଷତି ପହଞ୍ଚାଉଥିବା କୌଣସି ପ୍ରକାର ଆଚରଣକୁ ଏଣିକି ଆଉ ବରଦାସ୍ତ କରାଯିବ ନାହିଁ। ବନ୍ୟଜନ୍ତୁଙ୍କ ଫଟୋ କିମ୍ବା ସେମାନଙ୍କ ସହ ସେଲଫି ଉଠାଇ ଲୋକେ ସୋସିଆଲ ମିଡିଆରେ ତାହାକୁ ପୋଷ୍ଟ କରୁଛନ୍ତି। ଏହାଦ୍ବାରା କେବଳ ଯେ ବନ୍ୟଜନ୍ତୁଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରୁଛି ତାହା ନୁହେଁ, ବରଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ସେହିପରି ମୃତ ବନ୍ୟଜନ୍ତୁଙ୍କ ଶରୀର ଅଂଶ ସହ ଫଟୋ କିମ୍ବା ସେଲଫି ନେଇ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ମଧ୍ୟ ବନ୍ୟଜନ୍ତୁ ସୁରକ୍ଷା ଆଇନର ସେକ୍ସନ ୩୯(୧)କୁ ଉଲ୍ଲଂଘନ କରୁଛି। ଏହି ଆଇନକୁ ଉଲ୍ଲଂଘନ ନ କରିବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ଆଜି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ଡିଏଫ୍‌ଓ ସମେତ ଶିମିଳିପାଳ ଉତ୍ତର/ଦକ୍ଷିଣ(ବନ୍ୟପ୍ରାଣୀ) ଓ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଏଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ କିମ୍ବା ଅନ୍ୟ ସ୍ଥାନରେ ଏଭଳି କାର୍ଯ୍ୟ ନ କରିବାକୁ ଡିଏଫ୍‌ଓମାନେ ସାଧାରଣ ଲୋକଙ୍କୁ ସଚେତନ କରାଇବେ। ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ପର୍ଯ୍ୟଟକ ନିୟମ ଅନୁଯାୟୀ ବନ୍ୟପ୍ରାଣୀଙ୍କ ଫ‌ଟୋ ଉଠାଇବାକୁ ଚାହାଁନ୍ତି ତାହା ହେଲେ ଫରେଷ୍ଟ ଅଫିସରଙ୍କଠାରୁ ତାଙ୍କୁ ଅନୁମତି ନେବାକୁ ପଡ଼ିବ। ହେଲ୍‌ପ ଲାଇନ୍‌ ନମ୍ବରକୁ ବନଖଣ୍ଡର ପ୍ରମୁଖ ସ୍ଥାନଗୁଡ଼ିକରେ ଲଗାଇବା ସହ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବେ। ପରିଣାମ ସ୍ବରୂପ ବନ୍ୟପ୍ରାଣୀଙ୍କ ସୁରକ୍ଷା କଥା ଚିନ୍ତା କରୁଥିବା ବ୍ୟକ୍ତିବିଶେଷ ତୁରନ୍ତ ଜଣାଇପାରିବେ। ଯେଉଁ ଦୁବୃର୍ତ୍ତମାନେ ନିୟମ ଉଲ୍ଲଂଘନ କରୁଥିବା ସମୟରେ ଧରାପଡ଼ନ୍ତି ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିବାକୁ ପିସିସିଏଫ୍‌(ବନ୍ୟପ୍ରାଣୀ) ଶ୍ରୀ ନନ୍ଦ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା‌ଯୋଗ୍ୟ ଯେ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୁଲ୍ୟା ବନ୍ୟପ୍ରାଣୀ ନଦୀତଟକୁ ଅଣ୍ଡା ଦେବାକୁ ଆସୁଥିବା କଇଁଛଙ୍କ ଅଣ୍ଡାଦାନରେ ଜନସାଧାରଣ ବାଧା ସୃଷ୍ଟି କରୁଛନ୍ତି। ଲୋକେ ଅଣ୍ଡାଦାନ ସ୍ଥଳରେ ଅଲିଭ୍‌ ରିଡଲେଙ୍କ ଫଟୋ ଉଠାଇବା ସହ ଭିଡିଓଗ୍ରାଫି କରିବାକୁ ଲାଇଟ୍‌ ପକାଉଛନ୍ତି, ଯାହାକି ସେମାନଙ୍କ ଉପରେ ପ୍ରଭାବ ପକାଉଛି। କେତେକ ସ୍ଥଳରେ ଭ୍ରମଣକାରୀ ମାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଲୋକେ ବୁଲିବାକୁ ଯାଉଥିବାରୁ ଅଣ୍ଡାଦାନ ସ୍ଥଳରେ ପ୍ରବଳ ଗହଳି ହେବା ଦ୍ବାରା ସ୍ବାଭାବିକ ପ୍ରକ୍ରିୟାରେ ଅଣ୍ଡାଦାନ ହୋଇପାରୁ ନାହିଁ। ତାହାକୁ ନଜରରେ ବନ ବିଭାଗ ପକ୍ଷରୁ ଭ୍ରମଣକାରୀଙ୍କ ଉପରେ କଟକଣା ଲଗାଯାଇଛି।