ଓ୍ୱାର୍ଡର ଓ୍ୱାର୍ଡର ମାର୍‌ପିଟ୍‌ ଘଟଣା : ଜଣେ ଓ୍ୱାର୍ଡର ନିଲମ୍ବିତ

ସମ୍ବଲପୁର : ଶନିବାର ପ୍ରାୟ ୬ଟା ୩୦ ସମୟରେ ସମ୍ବଲପୁର ମଣ୍ଡଳ କାରାଗାରରେ ଓ୍ୱାର୍ଡର ଓ୍ୱାର୍ଡର ମଧ୍ୟରେ ମୁକାବିଲା ଘଟଣାରେ ଜଣେ ଓ୍ୱାର୍ଡରଙ୍କୁ ଧନୁପାଲି ପୁଲିସ ଶନିବାର ଅଟକ ରଖିଥିଲା। ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ରବିବାର ଅଭିଯୁକ୍ତ ଅଶୋକ ଥାଟିକୁ ଧନୁପାଲି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଅଶୋକକୁ ଚାକିରିରୁ ନିଲମ୍ବନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ପ୍ରାୟ ୬ଟା ୩୦ ସମୟରେ ଅଶୋକ ଥାଟି ନାମକ ଓ୍ୱାର୍ଡର ଡ୍ୟୁଟି ରେଜିଷ୍ଟର ଦେଖିବି ବୋଲି ବାହାନା କରି ଗେଟ୍‌ ପାଖକୁ ଆସିଥିଲେ। ଆଉ ପାଟିତୁଣ୍ଡ କରିଥିଲେ। ଏହାପରେ ହଠାତ୍‌ ଅଶୋକ ଜେଲର୍‌ ଅଫିସ୍‌କୁ ଧସେଇ ପଶିବାକୁ ଚେଷ୍ଟା କରିଥିଲା। ତେବେ ଗେଟ୍‌ ପାଖରେ ଥିବା ଓ୍ୱାର୍ଡର ଓ ଗେଟ୍‌ ମଦର ତାଙ୍କୁ ବାଧା ଦେଇଥିଲେ ଏବଂ କାହିଁକି ଏଭଳି ହେଉଛ ବୋଲି ବୁଝାଇଥିଲେ। କିନ୍ତୁ ସେ ସେମାନଙ୍କୁ ଧକ୍କା ଦେଇ ଜେଲର୍‌ଙ୍କ କାର୍ଯ୍ୟାଳୟ ଆଡ଼କୁ ପ୍ରବେଶ କରିବାକୁ ମାଡ଼ି ଆସିଥିଲା। ସେଠାରେ ଡ୍ୟୁଟି କରୁଥିବା ଦୁଇ ଓ୍ୱାର୍ଡର ପ୍ରକାଶ ଚନ୍ଦ୍ର ନାୟକ ଓ ସୁଦିପ୍ତ ସାହୁ ଏବଂ ଆସିଷ୍ଟାଣ୍ଟ ଜେଲର୍‌ ପ୍ରଫୁଲ୍ଲ କୁମାର ଜେନା ତାଙ୍କୁ ବାଧା ଦେଇଥିଲେ। ଏହାପରେ ସେ ଜେଲର୍‌ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବି ବୋଲି ଧମକ ଦେଇଥିଲା। ତାଙ୍କୁ ଅଟକାଇ ଥିବା ଓ୍ୱାର୍ଡରଙ୍କୁ ମାରିବାକୁ ଉଦ୍ୟମ କରୁଥିବା ସମୟରେ ଜେଲର୍‌ ଅଶୋକକୁ ବିରୋଧ କରିବାରୁ ଅଶୋକ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲା। ସେଠାରେ ଥିବା ଓ୍ୱାର୍ଡର ଓ ଅନ୍ୟ ଅଧିକାରୀମାନେ ତାକୁ ସେଠାରୁ ବାହାରକୁ ନେଇଯାଇଥିଲେ।

ବାହାରକୁ ନେବା ସମୟରେ କାହିଁକି ଏଭଲି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛ ବୋଲି କହିବାରୁ ଆସିଷ୍ଟାଣ୍ଟ ଜେଲର୍‌ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଅଶୋକ ଆକ୍ରମଣ କରି ତାଙ୍କ ମୁହଁ ଫଟାଇ ଦେଇଥିଲା। ତାଙ୍କୁ ଡାକ୍ତରଖାନା ପଠାଯିବା ପରେ ଜେଲ୍‌ର ଅଧୀକ୍ଷକ ଧନୁପାଲି ଥାନାରେ ଅଶୋକ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଶୋକକୁ ରାତିରେ ଅଟକ ରଖିଥିଲା। ରବିବାର ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ତେବେ ଅଶୋକ ଗତ ୮ ବର୍ଷ ଭିତରେ ଏଭଳି ବିଶୃଙ୍ଖଳା କେବେ କରି ନଥିବା ଜେଲର୍‌ କହିଥିବା ସମୟରେ ଅଶୋକ ମଦ ପିଇ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଘଟଣାରେ ଜେଲ୍‌ ୱାର୍ଡର ଅଶୋକକୁ ଜେଲ୍‌ ଅଧୀକ୍ଷକ ନିଲମ୍ବନ କରାଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର