ଭୁବନେଶ୍ୱର: ରେଳ ଧାରଣା ନିକଟରେ ସେଲ୍‌ଫି ଉଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରେଳବାଇ ଆଇନର ଧାରା ୧୪୭ ଓ ୧୫୩ ଅନୁଯାୟୀ ଚଳନ୍ତା ଟ୍ରେନ୍ ନିକଟରେ କିମ୍ବା ରେଳ ଧାରଣାରେ ସେଲ୍‌ଫି ନେଉଥିବା କୌଣସି ବ୍ୟକ୍ତିଙ୍କୁ ଜରିମାନା ହୋଇପାରେ। ଆବଶ୍ୟକ ପଡ଼ିଲେ ଜେଲ୍ ଦଣ୍ଡ ମିଳିପାରେ। ଦିନକୁ ଦିନ କିଶୋର ତଥା କଲେଜ ଛାତ୍ରଛାତ୍ରୀ ରେଳ ଧାରଣା ନିକଟରେ କିମ୍ବା ରେଳ ପରିସରର ସମ୍ବେଦନଶୀଳ ଅଞ୍ଚଳରେ ସେଲ୍‌ଫି ନେଉଥିବାରୁ ପୂର୍ବତଟ ରେଳପଥ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିସହ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ବିପଦପୂର୍ଣ୍ଣ ଅଭ୍ୟାସ ସମ୍ବନ୍ଧରେ ସଚେତନ କରାଇବାକୁ ରେଳପଥ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି।

Advertisment

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ରେଳ ଷ୍ଟେସନ ପରିସରରେ କିମ୍ବା ଟ୍ରାକ ନିକଟରେ ସେଲ୍‌ଫି ନେଇ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏବେ ମଜାଦାର କାର୍ଯ୍ୟକଳାପ ହୋଇଯାଇଛି। ମାତ୍ର ତାହା ଅନେକ ସମୟରେ ଘାତକ ସାବ୍ୟସ୍ତ ହେଉଛି। କିଛି ବର୍ଷ ମଧ୍ୟରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଅସୁରକ୍ଷିତ ସ୍ଥାନରେ ସେଲ୍‌ଫି ନେଉଥିବା ସମୟରେ ଯୁବପିଢ଼ି ଚଳନ୍ତା ଟ୍ରେନ୍‌ରୁ ତଳକୁ ଖସି ପଡ଼ି ପ୍ରାଣ ହରାଇବା, ଗୁରୁତର ଆହତ ହେବା ଭଳି ଘଟଣା ହେଉଛି। ରେଳ ଧାରଣା ନିକଟରେ ଛୋଟ ଭିଡିଓ କରିବା ଏବଂ ସେଲ୍‌ଫି ନେବାକୁ ପ୍ରୟାସ ସମୟରେ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନେକଙ୍କର ଜୀବନ ବି ଯାଉଛି। ସେଲ୍‌ଫି ନେବା ସମୟରେ ଯୁବପିଢ଼ି ସେମାନଙ୍କ ଚାରିପାଖରେ ଥିବା ବିପଦ ଯଥା ଚଳନ୍ତା ଟ୍ରେନ୍, ମୁଣ୍ଡ ଉପର ବିଦ୍ୟୁତ୍ ଶକ୍ତି ଉପକରଣ ଓ ଜନଗହଳିପୂର୍ଣ୍ଣ ଷ୍ଟେସନ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଦିନକୁ ଦିନ ଘଟଣା ବୃଦ୍ଧି ପାଉଥିବାରୁ କୌଣସି ଫଟୋ ପାଇଁ ଜୀବନକୁ ବିପଦରେ ନ ପକାଇବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ ରେଳ ଧାରଣା ଉପରେ କିମ୍ବା ନିକଟରେ କେବେବି ସେଲ୍‌ଫି ନ ନେବାକୁ ରେଳପଥ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସେଲ୍‌ଫି ଚିନ୍ତା କିମ୍ବା ଭିଡିଓ ଉତ୍ତୋଳନ କରିବା ପୂର୍ବରୁ ଏକାଧିକ ଥର ଭାବିବା ଆବଶ୍ୟକ। କାରଣ ସୋସିଆଲ ମିଡିଆ ପୋଷ୍ଟ ଅପେକ୍ଷା ଆପଣଙ୍କ ଜୀବନ ବହୁତ ମୂଲ୍ୟବାନ। ସ୍କୁଲ ଓ କଲେଜଗୁଡ଼ିକ ଏହି ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଦରକାର। ରେଳ ଷ୍ଟେସନ ପରିସର ଓ ଟ୍ରାକ ଭଳି ଭିଡ଼ ସ୍ଥାନରେ ସେଲଫି ନେବାର ପ୍ରକୃତ ବିପଦକୁ ଛାତ୍ରଛାତ୍ରୀଙ୍କୁ ବୁଝିବାରେ ସାହାଯ୍ୟ କରିବା ଭଳି କାର୍ଯ୍ୟକ୍ରମ, କର୍ମଶାଳା ଓ ଆଲୋଚନାଚକ୍ର କରି ସଚେତନତା କରାଇବାକୁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ପିତାମାତା ମଧ୍ୟ ଏଭଳି ବିପଦ ସମ୍ପର୍କରେ ପିଲାଙ୍କୁ ପରାମର୍ଶ ଦିଅନ୍ତୁ। ପୂର୍ବତଟ ରେଳପଥ ବିଭିନ୍ନ ପ୍ଲାଟଫର୍ମ, ଖବରକାଗଜ ବିଜ୍ଞାପନ, ଟିଭି ସ୍ପଟ୍, ସାର୍ବଜନୀନ ଘୋଷଣା ଓ ସାମାଜିକ ଗଣମାଧ୍ୟମ ଅଭିଯାନ ଦିଗରେ ପଦକ୍ଷେପ ନେଉଛି।