କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରଗାର ମହିଳା ଜେଲର ଓ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରାଙ୍କ ଅଡିଓ ଭାଇରାଲ୍ ଘଟଣା ଭିନ୍ନମୋଡ଼ ନେଇଛି। ମଙ୍ଗଳବାର ଜେଲର ବିକାଶଲତା ବାରୁ ୨ ସାମ୍ବାଦିକଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ପ୍ରମୋଦ ବେହେରାଙ୍କ ଜରିଆରେ ସାମ୍ବାଦିକ ତୁଳସୀ ଜଗତ ଓ ଲିମାଇ ଚରଣ ମହତ (ରୋହନ) ତାଙ୍କୁ ୨ ଲକ୍ଷ ଟଙ୍କା ମାଗିଥିବା କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି।

Advertisment

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରଗାର ମହିଳା ଜେଲର ଓ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରାଙ୍କ ଅଡିଓ ଭାଇରାଲ୍ ହୋଇଥିଲା। ଉପକାରାଗାର ଉପରେ ଏକ ଖବର ପ୍ରକାଶିତ କରିଥିବା ସାମ୍ବାଦିକକୁ ଜୀବନରୁ ମାରି ଦେବା ପାଇଁ ଫୋନ ଯୋଗେ କଥା ହେଉଥିବା ଜଣାପଡ଼ିଥିଲା। ଫଳରେ ସମ୍ପୃକ୍ତ ସାମ୍ବାଦିକ ରୋହନ ଏ ନେଇ ଜେଲର ବିକାଶଲତା ବାରୁ ଏବଂ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରାଙ୍କ ନାଁରେ କଣ୍ଟାବାଞ୍ଜି ଥାନାରେ ହତ୍ୟା ପାଇଁ ଷଡ୍‌ଯନ୍ତ୍ର କରୁଥିବା ନେଇ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି। ଏସ୍‌ଡିପିଓ ଗୌରଚରଣ ସାହୁ କହିଛନ୍ତି ଯେ, ଏହାକୁ ନେଇ ଅନେକ ଦିଗରେ ଚାଳିଛି ତଦନ୍ତ ଏବଂ କେଉଁ ଭଳି ସ୍ଥିତି ରେକର୍ଡିଂ କରାଯାଇଛି ଏବଂ ତାର ସମସ୍ତ ଯାଂଚ ମଧ୍ୟ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଥାନାରେ ଏତଲା ପରେ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରା ଫେରାର୍ ଥିବା ମଧ୍ୟ ଜଣାପଡ଼ିଛି।

ମଙ୍ଗଳବାର ଜେଲର୍ ବିକାଶଲତା ବାରୁ ସାମ୍ବାଦିକ ରୋହନ ଏବଂ ତୁଳସୀଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗପତ୍ରରେ ସେ ଦର୍ଶାଇଛନ୍ତି ଯେ, ଏହି ସାମ୍ବାଦିକ ଦ୍ବୟ କାରାଗାରରେ ଦୁର୍ନୀତି ଚାଲିଥିବା ସଂପର୍କରେ ଫୋନ ଯୋଗେ କହିଥିଲେ। ପରେ ବଜାରରେ ଭେଟ ହୋଇ ‘ତମ ଜେଲ୍‌ରେ ଅନେକ ଦୁର୍ନୀତି ଚାଲିଛି, ତମେ ଜେଲର ହେବାର କୌଣସି ଯୋଗ୍ୟତା ନାହିଁ’ ବୋଲି କହିଥିଲେ। ଏହା ପରେ ରୋହନ ଖବର ପ୍ରକାଶ କରିବା ପାଇଁ ଧମକ ଦେଇଥିଲେ। ଏଥିସହ ଏହି ସାମ୍ବାଦିକ ଦ୍ବୟ ଜେଲରେ ଦୁର୍ନୀତି ଚାଲିଛି, ମାସକୁ ମାସ ପରସେଣ୍ଟେଜ୍ ଦିଅ ବୋଲି ବ୍ଲାକ୍ ମେଲିଂ କରିଥିଲେ। ନହେଲେ ନ୍ୟୁଜ କରି ବଦନାମ୍ କରିବୁ ବୋଲି କହିଥିବା ଜେଲର ଏତଲାରେ ଦର୍ଶାଇଛନ୍ତି। ଏହା ସହ ପ୍ରମୋଦ ବେହେରା ନାମକ ଜଣେ ଯୁବକଙ୍କୁ ଲଗାଇ ଗତ ୨୮ ଜୁଲାଇରେ ଏହି ଦୁଇଜଣ ମୋ ସରକାରୀ ବାସଭବନକୁ ଆସି ୨ଲକ୍ଷ ଟଙ୍କା ମାଗିଥିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଜୀବନରୁ ମାରିଦେବା ଭଳି ଗୁରତର ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଥାନା ଅଧିକାରୀ ରଶ୍ମିତା ବେହେରା ଦଫା ୩୪୧/୨୪୪/୩୫୪/୫୦୬/୯୪/୩୮୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।