ପଞ୍ଚଭୂତରେ ଲୀନ ହେଲେ ମୁରଲୀ

ଜୟପୁର: ଜୟପୁରର ବରିଷ୍ଠ କଳାକାର ମୁରଲୀ ପ୍ରସାଦ ମହାପାତ୍ରଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ଜୟପୁର ତଥା ଆଖାପାଖ ଅଞ୍ଚଳର କଳାକାରଙ୍କ ସମେତ ସହରର ମାନଗନ୍ୟ ବ୍ୟକ୍ତି ଦିବଙ୍ଗତଙ୍କ ଶେଷ ଦର୍ଶନ କରିବା ପରେ ସ୍ଥାନୀୟ ଭୂତନାଥ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଆବର୍ତ୍ତମାନ ଜୟପୁର କଳା ଜଗତରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ମଞ୍ଚରେ ସଙ୍ଗୀତ ପରିବେଷଣ କରୁ କରୁ ଶେଷ ନିଶ୍ବାସ ତ୍ୟାଗ କରିବାର ସେହି ଦୃଶ୍ୟକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବା କଳାକାର, ବନ୍ଧୁ ଓ ଦର୍ଶକ ସ୍ତବ୍ଧ ହୋଇଯାଇଛନ୍ତି। କେହି କଳ୍ପନା ମଧ୍ୟ କରିନଥିଲେ ଏମିତି ବି ମୃତ୍ୟୁ ଆସବ ବୋଲି। ଆଜି ସେ ନାହାନ୍ତି କିନ୍ତୁ ତାଙ୍କୁ ଝୁରୁଛି ଜୟପୁର।

ଦଶହରା ମହୋତ୍ସବ ଅବସରରେ ସ୍ଥାନୀୟ ରାଜନଅର ଛକ ଠାରେ ସ୍ବରଘୁଙ୍ଗୁର ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଉଥିଲା। ପ୍ରାରମ୍ଭିକ ଭଜନ ପରିବେଷଣ ପରେ ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ମୁରଲୀ ପ୍ରସାଦ ମହାପାତ୍ରଙ୍କୁ ମଞ୍ଚଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଗୀତ ଗାଇବା ପୂର୍ବରୁ ଦର୍ଶକଙ୍କୁ ମୁରଲୀ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଥିଲେ। ଏହାପରେ କହିଥିଲେ ‘ଗାଇବା ପୂର୍ବରୁ ଟିକେ କହି ଦେଉଛି, ଆଜି ମୋର ସ୍ବାସ୍ଥ୍ୟ ଟିକେ ଭଲ ନାହିଁ। ଗାଇବା ବେଳେ ଯଦି ଭୁଲ ହେବ ତାକୁ ଟିକେ ଗ୍ରହଣ କରିନେବେ, ଚେଷ୍ଟା କରୁଛି ଗାଇବା ପାଇଁ ଗୀତ’। ଏହାପରେ କଣ୍ଠଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀଙ୍କ ସହ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ଯାଯାବର ମନ ମୋର ଗୀତ ଗାଇଥିଲେ। ଏହାପରେ ଏଇ ଯେ ବନଲତା ପାହାଡ ଗୀତ ଗାଇଥିଲେ। ପରବର୍ତ୍ତୀ ଗୀତ ଚାଲିଥିବା ବେଳେ ସେ ମଞ୍ଚରେ ହିଁ ଟଳି ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଦେହାନ୍ତ ଖବର ଶୁଣି ଚିକିତ୍ସାଳୟରେ କଳାକାର ଓ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ରାତିରେ ତାଙ୍କର ପାର୍ଥିବ ଶରୀରକୁ ପାଇଲ ସାହି ସ୍ଥିତ ବାସଭବନକୁ ଆଣାଯାଇଥିଲା। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତିଙ୍କ ସମେତ ଶତାଧିକ କଳାକାର, ସ୍ଥାନୀୟ ଲୋକ ଶେଷ ଦର୍ଶନ କରିଥିଲେ।
ଜୟପୁର ପାଇଲ ସାହିର ବାସିନ୍ଦା ମୁରଲୀ ମାଦଳା ସାହି ସ୍ଥିତ ଦକ୍ଷିଣ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଜୀବନ ଆରମ୍ଭ କରିଥିଲେ। ବିକ୍ରମଦେବ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ।

ଏହାପରେ ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗରେ କିରାଣି ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। କିଛି ମାସ ତଳେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ସେକ୍ସନ ଅଫିସର ଭାବେ ଯୋଗ ଦେଇଥିଲେ। ଆସନ୍ତା ବର୍ଷ ଅବସର ନେଇଥାନ୍ତେ ବୋଲି ସମ୍ପର୍କୀୟ କହିଛନ୍ତି। ପିଲାଟି ଦିନରୁ ନାଟକ ପ୍ରତି ତାଙ୍କର ରୁଚି ରହିଥିଲା। ବିଦ୍ୟାଳୟରୁ ହିଁ ସେ ବିଭିନ୍ନ ଭୂମିକାରେ ଅଭିନୟ କରି ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ହୋଇଥିବା ଜଳନ୍ଧର ବଧ ନାଟକ ତାଙ୍କୁ ଲୋକପ୍ରିୟ କରିଥିଲା। ଏହାବ୍ୟତୀତ ଆଖଡା କଳାରେ ସିଦ୍ଧହସ୍ତ ଥିଲେ। ଯୁବବର୍ଗଙ୍କୁ ଆଖଡାର କଳା କୌଶଳ ଶିଖାଉଥିଲେ। ଅକ୍ଷୟ ମହାନ୍ତି ଓ ସଙ୍ଗୀତ ପ୍ରତି ରହିଥିବା ଭଲ ପାଇବା ଯୋଗୁ ୫୦ବର୍ଷ ବୟସରେ ସଙ୍ଗୀତ ଅଭ୍ୟାସ ଆରମ୍ଭ କରିଥିଲେ। ବନ୍ଧୁ ଧୀରେନ ମୋହନ ପଟ୍ଟାନାୟକଙ୍କ ପରାମର୍ଶରେ ସଙ୍ଗୀତ ଜଗତରେ ପ୍ରଥମେ ପାଦ ଦେଇଥିଲେ। ଅକ୍ଷୟ ମହାନ୍ତିଙ୍କ ଅବିକଳ ନକଲ କରି ସଙ୍ଗୀତ ପରିବେଷଣ କରୁଥିବାରୁ ଖୁବ କମ ଦିନ ଭିତରେ ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ହୋଇଥିଲେ। ଆଜି ଦୁନିଆରେ ନାହାନ୍ତି ସତ କିନ୍ତୁ ତାଙ୍କର କଳା ପ୍ରତି ଉତ୍ସର୍ଗୀକୃତ ଜୀବନ, ଉତ୍ତମ ବ୍ୟବହାର, ସେବା ମନୋବୃତ୍ତି ପାଇଁ ସମସ୍ତଙ୍କ ମନରେ ରହିବେ।

ମୁରଲୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ସେହିପରି ଉପଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ବରାଜ ଶିଶା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯଶୋଦା ଗାଧବା, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି, ସ୍ଥାନୀୟ କଳାକାରମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର