ଜୟପୁର: ଜୟପୁର-ଭୁବନେଶ୍ବର ମଧ୍ୟରେ ଦ୍ବିତୀୟ ବିମାନ ସେବା ଅକ୍ଟୋବର ମାସରୁ ଆରମ୍ଭ ହେବ। ଯାତ୍ରୀଙ୍କ ଚାହିଦା ତଥା ଦାବିକୁ ଦୃଷ୍ଟିରେ ରଖି ୯ସିଟ୍‌ ବିଶିଷ୍ଟ ଦ୍ବିତୀୟ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଇଣ୍ଡିଆ ୱାନ୍‌ ଏୟାର କଂପାନିର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି। କଂପାନି ନୂଆ ବିମାନ କିଣିବା ପରେ ବେସାମରିକ ବିମାନ ସେବା ପ୍ରାଧିକରଣ ନିକଟରେ ପଞ୍ଜୀକରଣ କରିସାରିଛି। ସେହିପରି ଜୟପୁର-ଭୁବନେଶ୍ବର ମଧ୍ୟରେ ଦ୍ବିତୀୟ ବିମାନ ଚଳାଚଳ ନିମନ୍ତେ ଅନୁମତି ମିଳିଥିବା ଶ୍ରୀ ସିଂ କହିଛନ୍ତି। ଅଗଷ୍ଟ ମାସରେ ସପ୍ତାହରେ ମାତ୍ର ୩ଦିନ ବିମାନ ଚଳାଚଳ କରିଥିଲା। ପାଣିପାଗ ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସେବା ବାଧାପ୍ରାପ୍ତ ହୋଇଥିଲା। ତେବେ ସେପ୍ଟେମ୍ବର ମାସରେ ସମସ୍ତ ୭ଦିନ ବିମାନ ଚାଲିବ ଏବଂ ବିଶାଖାପାଟଣାକୁ ସେବା ଆଦୌ ବନ୍ଦ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଭୁବନେଶ୍ବର-ଜୟପୁର ଏବଂ ଜୟପୁର-ବିଶାଖାପାଟଣା ମଧ୍ୟରେ ବିମାନ ସେବା ନିମନ୍ତେ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସକାଳ ୧୧ଟା ୩୫ମିନିଟ୍‌ରେ ଭୁବନେଶ୍ବର ଏୟାରପୋର୍ଟରୁ ବିମାନ ଛାଡ଼ୁଥିଲା। ବର୍ତ୍ତମାନ ସକାଳ ୧୦ଟା ୨୦ମିନିଟ୍‌ରେ ବାହାରି ଜୟପୁରରେ ମଧ୍ୟ‌ାହ୍ନ ୧୨ଟା ୫ମିନିଟ୍‌ରେ ପହଞ୍ଚିବ। ୨୫ ମିନିଟ୍‌ ପର୍ଯ୍ୟନ୍ତ ଜୟପୁର ଏୟାରପୋର୍ଟରେ ରହିବା ପରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ବିଶାଖାପାଟଣା ଅଭିମୁଖେ ଉଡ଼ାଣ ଭରିବ। ବିଶାଖାପାଟଣାରୁ ପୁଣି ଅପରାହ୍ନ ୨ଟାରେ ବାହାରି ୨ଟା ୫୦ ମିନଟ୍‌ରେ ଜୟପୁରରେ ଅବତରଣ କରିବ। ଜୟପୁରରୁ ଅପରାହ୍ନ ୩ଟା ୫ମିନିଟ୍‌ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୪ଟା ୫୦ ମିନିଟ୍‌ରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର କଂପାନି ସିଓଓ ସୂଚନା ଦେଇଛନ୍ତି।