ଜୟପୁର: ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ବିଶେଷ କରି ଜଣେ ଯନ୍ତ୍ରୀ ଚାକିରି କରିବାର ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ କିଭଳି କୋଟିପତି ହୋଇପାରେ ଆଜି ଭିଜିଲାନ୍‌ସ ଚଢ଼ଉ ପରେ ଜଣାପଡ଼ିଛି। ଏହି ସବୁ ଦୁର୍ନୀତିଗ୍ରସ୍ତ ନିର୍ବିଘ୍ନରେ କରଦାତାଙ୍କ ଅର୍ଥକୁ ଲୁଟୁଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ଚଢ଼ଉ ପରେ ଏଭଳି ସୂଚନା ଦେଇଛି ଭିଜିଲାନ୍‌ସ ବିଭାଗ। ବିଶ୍ବନାଥ ସ୍ଥାୟୀ ଚାକିରି କରିବାର ମାତ୍ର ୮ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇଛନ୍ତି। ଯାହାକୁ ଦେଖି ଭିଜିଲାନ୍‌ସ ବିଭାଗ ଅଧିକାରୀ ଓ କର୍ମଚାରୀ ଟେରା ହୋଇଯାଇଛନ୍ତି। କେବଳ ଜୟପୁର ସହରରେ ଥିବା ତାଙ୍କ ତିନି ମହଲା କୋଠାର ମୂଲ୍ୟ ୧ କୋଟି ୫୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଯାଞ୍ଚ ଜାରି ରହିଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା  କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ବ୍ୟାଙ୍କ ଜମା ସହ ବୀମା, ୧୮ ପ୍ଲଟ୍‌, ୮୫୦ ଗ୍ରାମ୍‌ ସୁନା, ୧୮୦୦ଗ୍ରାମ୍‌ ରୁପା, ଦୁଇଟି କୋଠା ଠାବ ହୋଇଛି।

Advertisment

ମାତ୍ର ୮ ବର୍ଷ ଚାକିରିରେ କୁବେର
୧୮ ପ୍ଲଟ୍‌, ୮୫୦ ଗ୍ରାମ୍‌ ସୁନା, ୧୮୦୦ ଗ୍ରାମ୍‌ ରୁପା, ୨ କୋଠା ଠାବ

ଶ୍ରୀ ପାତ୍ରଙ୍କ ବାସଭବନ ସମେତ ବେଲଗୁଣ୍ଠାସ୍ଥିତ ପୈତୃକ ଘର, ଜୟପୁର ବ୍ଲକ୍‌ ଓ ପୌର କାର୍ଯ୍ୟାଳୟ, ପତ୍ନୀ କାର୍ଯ୍ୟ କରୁଥିବା ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଛି। ଯାଞ୍ଚ ସମୟରେ ଭିଜିଲାନ୍ସ କୁବେର ଯନ୍ତ୍ରୀଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଛି। ମଙ୍ଗଳବାର ଭୋର୍‌ରେ ଭିଜିଲାନ୍ସ ଟିମ୍‌ ଜୟପୁର ସମେତ ବେଲଗୁଣ୍ଠା, ଭୁବନେଶ୍ୱରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଆରମ୍ଭ କରିଥିଲା। ଭିଜିଲାନ୍‌ସ ଠାବ କରିଥିବା ସମ୍ପତ୍ତି ମଧ୍ୟରେ ଜୟପୁର ତିନିତାଲା କୋଠା ସହ ବେଲଗୁଣ୍ଠା କୋଳିସାହିରେ ଦୁଇ ମହଲା କୋଠା, ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ୬ଟି ପ୍ଲଟ, ଜୟପୁର, ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ପ୍ଲଟ ଏବଂ ଜଗନ୍ନାଥ ପ୍ରସାଦରେ ୧୦ଟି ପ୍ଲଟ୍‌ ଥିବା ଜଣାପଡ଼ିଛି।
ସେହିପରି ଜୟପୁର ବାସଭବନରୁ ୩୦ଟି ସୁନା ମୁଦି, ୨୨ଟି ଚେନକୁ ମିଶାଇ ୮୫୦ ଗ୍ରାମ ସୁନା, ୧୮୦୦ ଗ୍ରାମ ରୁପା ଭିଜିଲାନ୍ସ ଟିମ୍‌ ଜବତ କରିଛି। ବିଶ୍ୱନାଥ ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟ୍‌ରେ ଲକ୍ଷାଧିକ ଟଙ୍କା ରହିଛି। ବୀମା କ୍ଷେତ୍ରରେ ମଧ୍ୟ ଲକ୍ଷାଧିକ ଟଙ୍କାର ଜମା ଶ୍ରୀ ପାତ୍ରଙ୍କ ନାଁରେ ରହିଛି। ଯାହାର କି ଯାଞ୍ଚ କରୁଛି ଭିଜିଲାନ୍‌ସ। ଭିଜିଲାନ୍‌ସର ସୂଚନା ଅନୁସାରେ ଶ୍ରୀ ପାତ୍ର ୨୦୧୧ ମସିହାରେ ମାସିକ ୧୪ହଜାର ଟଙ୍କା ଦରମାରେ ଅସ୍ଥାୟୀ (ଆଡହକ୍‌) ଚାକିରି କରିଥିଲେ। ଏହା ପରେ ସେ ୨୦୧୬ ମସିହାରେ ଓପିଏସ୍‌ସି ପରୀକ୍ଷାରେ ସଫଳ ହେବା ପରେ ସହକାରୀ ନିର୍ବାହୀଯନ୍ତ୍ରୀ (ଏଇଇ) ଭାବେ ନିୟମିତ ଚାକିରି କରିଥିଲେ। ବିଶ୍ବନାଥ ଜୟପୁର ବ୍ଲକ୍‌ ଓ ପୌରପାଳିକା ଦାୟିତ୍ୱରେ ଅଛନ୍ତି। ଚଢ଼ଉରେ ଜୟପୁର ସମେତ ଭବାନୀପାଟଣା, ନବରଙ୍ଗପୁରମାଲକାନଗିରି ଜିଲ୍ଲାର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଥିଲେ। ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୨ଜଣ ଡିଏସ୍‌ପି, ୮ ଇନସ୍‌ପେକ୍ଟର, ୯ ଏଏସ୍‌ଆଇ ସାମିଲ ହୋଇଥିଲେ।