ଜୟପୁର: ଚଳିତ ବର୍ଷ କୋରାପୁଟ ଜିଲ୍ଲାର ଜୟପୁର ଦଶହରା ପୂଜା କମିଟି ଦ୍ୱାରା ଆୟୋଜିତ ହେଉଥିବା ଦଶହରା ଉତ୍ସବରେ ୬୦ ରୁ ଅଧିକ ଆଦିବାସୀ ଗୋଷ୍ଠୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ, ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲାରୁ ୬୦ ରୁ ଅଧିକ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ପଠାଯିବ ବୋଲି କମିଟିର ମୁଖ୍ୟ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ପ୍ରଦାନ କରିଛନ୍ତି।
ଜୟପୁରର ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇ ରହିଥିବା ଆଗାମୀ ମହୋତ୍ସବର ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅଂଶଗ୍ରହଣକାରୀ ଆଦିବାସୀ ଗୋଷ୍ଠୀମାନେ ପୂଜା ସମୟରେ ସେମାନଙ୍କର ପାରମ୍ପରିକ 'ଲାଠି' କିମ୍ବା ପବିତ୍ର ବାଉଁଶକୁ ଜୟପୁରକୁ ଆଣିବେ। ଏହା ପୁରାତନ ଜୟପୁର ରାଜ୍ୟର ରାଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏବଂ ୩୦୦ ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ଏକ ପରମ୍ପରା। ସମୃଦ୍ଧି ସୁନିଶ୍ଚିତ କରିବା ଏବଂ ଦଶହରା ଉତ୍ସବରରେ ଯୋଗଦେବା ପାଇଁ ପବିତ୍ର ବାଉଁଶକୁ ବର୍ଷସାରା ଗ୍ରାମ ବେଦୀରେ ରଖାଯାଇଥାଏ।
ରାଜାମାନଙ୍କ ରାଜତ୍ୱ କାଳରେ ଦଶହରାର ଏଭଳି ରାଜକୀୟ ପରମ୍ପରା ପାଳନ କରାଯାଉଥିଲା। ତେବେ କାଳକ୍ରମେ ରାଜକୀୟ ପରମ୍ପରା ପାଳନରେ କିଛିଟା ବ୍ୟତିକ୍ରମ ଘଟିଛି ଏବଂ ପରମ୍ପରା ପାଳନ କମି ଯାଇଛି। ତେବେ ମଧ୍ୟ ନିଜର ସମୃଦ୍ଧ ଇତିହାସ ଏବଂ ଜୟପୁର ରାଜ୍ୟର ସାଂସ୍କୃତିକ ପ୍ରସିଦ୍ଧି ପାଇଁ ଜଣାଶୁଣା ଏହି ସହର ଏବେ ବି ଉତ୍ସବ ସମୟରେ ବିଭିନ୍ନ ଜନଜାତି ଗୋଷ୍ଠୀର ଅଂଶଗ୍ରହଣର ସାକ୍ଷୀ ହୋଇଥାଏ। ଅତୀତରେ, ଜୟପୁରରେ ଦଶହରା ଉତ୍ସବ ୧୬ ଦିନିଆ କାର୍ଯ୍ୟକ୍ରମ ଅତି ଆକର୍ଷଣୀୟ ଥିଲା। ଏହି ଉତ୍ସବ ପ୍ରସିଦ୍ଧ ମହୀଶୂର ଦଶହରାର ବୈଭବ ଏବଂ ପରିମାଣକୁ ପ୍ରତିପାଦିତ କରୁଥିଲା।
ରାଜାମାନଙ୍କ ସମୟରେ ଦଶହରା ଯେଉଁ ମହାନତା ସହିତ ପାଳନ କରାଯାଉଥିଲା ତାହା ଅସାଧାରଣ ଥିଲା ବୋଲି ଜୟପୁରର ଆଦିବାସୀ ଗବେଷକ ପରେଶ ରଥ କହିଛନ୍ତି। ତଥାପି, ଜମିଦାରୀ ପ୍ରଥାର ବିଲୋପ ପରେ, ଉତ୍ସବ ନିଜର ଗୌରବ ହରାଇବାକୁ ଲାଗିଲା ଏବଂ ଆଦିବାସୀଙ୍କ ଅଂଶଗ୍ରହଣ ହ୍ରାସ ପାଇବାକୁ ଲାଗିଥିଲା। ସେତେବେଳେ ଜୟପୁରର ରାଜା ଦଶହରା ଉତ୍ସବର ନେତୃତ୍ୱ ନେଉଥିଲେ। ଊତ୍ସବର ଆରମ୍ଭ କନକ ଦୁର୍ଗା ମନ୍ଦିରରେସ୍ୱତନ୍ତ୍ର ରୀତିନୀତି ସହିତ ହେଉଥିଲା।
ରାଜା ରାଜକୀୟ ପୋଷାକରେ ସଜ୍ଜିତ ହୋଇ, ଏକ ସୁସଜ୍ଜିତ ହାତୀ ଉପରେ ଚଢ଼ି ସହର ମଧ୍ୟରେ ପରିକ୍ରମା କରୁଥିଲେ, ତା’ପରେ ଗ୍ରାମ ମୁଖ୍ୟମାନଙ୍କର ଏକ ବିରାଟ ଶୋଭାଯାତ୍ରା ସେମାନଙ୍କର ପବିତ୍ର ଲାଠି ଧରି ବାହାରୁଥିଲା। ଏହି ପଦଯାତ୍ରା ଦଶହରା ପଡ଼ିଆରେ ଶେଷ ହେଉଥିଲା। ଦଶହରା ପଡ଼ିଆରେ ଏକ ଯଜ୍ଞ କରାଯାଉଥିଲା ଏବଂ ଅପରାଜିତା ଅବା ଦୁର୍ଗା ପୂଜା ନାମରେ ବଳି ଦେବାର ପ୍ରଥା ମଧ୍ୟ ଥିଲା।
ପୂଝାରି' ଭାବରେ ଜଣାଶୁଣା ଗ୍ରାମର ମୁଖିଆମାନେ ପୁରୋହିତ ଏବଂ କର ଆଦାୟକାରୀ ଭାବରେ କାର୍ଯ୍ୟ କରୁଥିଲେ। ସେମାନେ ଦଶହରାରେ ସେମାନଙ୍କ ଅଭିଯୋଗ ଏବଂ ଚିନ୍ତାର ସମାଧାନ ପାଇଁ ରାଜାଙ୍କୁ ସେମାନଙ୍କ ଗ୍ରାମରୁ ସଂଗୃହୀତ ରାଜସ୍ୱ ଏବଂ ଉପହାର ପ୍ରଦାନ କରୁଥିଲେ।
ଭୂମିୟା, ଗାଡଭା, ପରଜା, ସୌରା, ଭତ୍ରା, ଗୋଣ୍ଡ, ଦିଦାଇ, ଦୁରୁଆ, କନ୍ଧ, ବଣ୍ଡା ଏବଂ କୋୟା ସମେତ ଆଦିବାସୀ ଗୋଷ୍ଠୀଗୁଡ଼ିକ ଖାଲି ପାଦରେ ଜୟପୁର ପର୍ଯ୍ୟନ୍ତ ଯାଉଥିଲେ। ସେମାନେ ପାହାଡ଼ି ଅଞ୍ଚଳ ଦେଇ ଏକ ମାସରୁ ଅଧିକ ସମୟ ଧରି ଯାତ୍ରା କରୁଥିଲେ। ସେମାନେ ପାଲିଙ୍କିରେ ଦେବୀ ଦୁର୍ଗାଙ୍କ ପ୍ରତିମା ବହନ କରୁଥିଲେ ଏବଂ ଯାତ୍ରା ସମୟରେ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଉଥିଲେ।
ଏବେ ସମୟ ସହିତ ଦଶହରା ଉତ୍ସବରେ ଢେର ପରିବର୍ତ୍ତନ ଆସିଛି। ରାଜା ଆଉ ଉତ୍ସବର ନେତୃତ୍ୱ ନେଉ ନାହାନ୍ତି। ତେବେ ପବିତ୍ର ବାଉଁଶକୁ ସମ୍ମାନିତ କରାଯାଉଛି ଏବଂ ପ୍ରାଚୀନ ଉତ୍ସବର ରୀତିନୀତିକୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସ ଚାଲିଛି।