ନରମୁ ନାହିଁ ଯାଜପୁରର ନରହନ୍ତା, ମିନି ଏନ୍‌କ୍ଲୋଜରରେ ରହିବ

ଖଣ୍ଡଗିରି : ଚନ୍ଦକା କୁମାରଖୁଣ୍ଟିରେ ବନ୍ଦୀ ଥିବା ଯାଜପୁର ନରହନ୍ତା ଦନ୍ତା ନରସିଂହାର ଉଗ୍ର ସ୍ବଭାବରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ମଣିଷ ଦେଖିଲେ ତା’ ଆଖିରେ ନିଅାଁ ଜଳୁଛି। ଗର୍ଜନ ତର୍ଜନ ନ କଲେ ବି ତା’ ଚାହାଣୀକୁ ଦେଖି ବନ କର୍ମଚାରୀମାନେ ଛାନିଆ ହୋଇପଡ଼ୁଛନ୍ତି। ତେଣୁ ସାତ ଦିନ ବିତିବା ପରେ ଓ ବନ୍ଧା ହୋଇଥିବା ସତ୍ତ୍ବେ ବି ବନ କର୍ମଚାରୀମାନେ ତା’ ପାଖ ମାଡ଼ିବାକୁ ସାହସ କରୁନାହାନ୍ତି। ଅନ୍ୟପକ୍ଷରେ, ନରହନ୍ତା ନରସିଂହାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ଲୋକଙ୍କୁ କିଛି ସ୍ପଷ୍ଟ ସୂଚନା ଦିଆଯାଉନଥିବାରୁ ସେମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ତାକୁ ସବୁଦିନ ପାଇଁ ଶଙ୍କର ହାତୀ ଭଳି ବନ୍ଦୀ କରି ରଖାଯିବ କି ମୁକ୍ତଭାବେ ଛାଡ଼ିଦିଆଯିବ, ବନ ବିଭାଗ ସ୍ପଷ୍ଟ କରୁନଥିବାରୁ ଦ୍ବନ୍ଦ୍ବରେ ରହୁଛନ୍ତି। ତେବେ, ତାକୁ ଏକ ମିନି ଏନ୍‌କ୍ଲୋଜରରେ ରଖି କୁମ୍‌କୀ ପ୍ରଶିକ୍ଷଣ ଦିଆଯିବ ଓ ଆଦୌ ବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି ସୂଚନା ମିଳିଛି।

ଯାଜପୁରର ନରଘାତକ ଦନ୍ତା ନରସିଂହା ଗତ ୨୯ ତାରିଖରୁ ଚନ୍ଦକା କୁମାରଖୁଣ୍ଟିରେ ବନ୍ଧା ହୋଇ ରହିଛି। ବନ କର୍ମଚାରୀମାନେ ଦୂରେଇ ରହିଲେ ବି ତାକୁ ଗୋଡ଼େ ଗୋଡ଼େ ଜଗିଛନ୍ତି। ଆସାମ ମାହୁନ୍ତ ତା’ର ଖାଇବା ପିଇବା କଥା ବୁଝୁଛନ୍ତି। ଯୁବାବସ୍ଥାର ଏହି ବଳୁଆ ହାତୀଟି ପ୍ରଚୁର ଖାଉଛି। ବରଡାଳ, କଦଳୀ ଗଛ, ଆଖୁ, ନଡ଼ିଆ ଆଦି ଖାଇବାକୁ ଦିଆଯାଉଛି। ସେହିଭଳି ନଡ଼ା ପିଣ୍ଡୁଳାରେ ଗହମ ଭର୍ତ୍ତି କରି ଦୈନିକ ଦୁଇ ଥର ଖାଇବାକୁ ଦିଆଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଆସାମ ମାହୁନ୍ତ ମଧ୍ୟ ତା ଦେହରେ ହାତ ମାରିପାରିନଥିବା ଜଣାପଡ଼ିଛି। ଲୁହା ଶିକୁଳି ଯୋଗୁଁ ଗୋଡ଼ରେ କ୍ଷତ ସୃଷ୍ଟି ନ ହେବା ପାଇଁ ଦୁଇ ଥର ଶିକୁଳି ଓ ଗୋଡ଼ ଅଦଳବଦଳ କରାଗଲାଣି। ନନ୍ଦନକାନନ ହାତୀ ବିଶେଷଜ୍ଞଙ୍କ ସହଯୋଗରେ ତାକୁ କାବୁ କରାଯାଉଛି ଓ ଲୁହା ଶିକୁଳିକୁ ଗୋଟିଏ ଗୋଡ଼ରୁ ବାହାର କରି ଅନ୍ୟ ଗୋଡ଼ରେ ପକାଯାଉଛି। ପୂର୍ବରୁ ବନ୍ଦୀ ଥିବା ଦୁର୍ଦାନ୍ତ ମଣିଷମରା ଶଙ୍କର ଗୋଡ଼ରେ ଯେମିତି ବାରମ୍ବାର ଘା’ ହେଉଥିଲା, ସେମିତି ନ ହେବା ପାଇଁ ଯତ୍ନ ନିଆଯାଉଛି।

ସମର୍ଥିତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ନରସିଂହାକୁ ଆଉ ମୁକ୍ତି ମିଳିବ ନାହିଁ। ତାକୁ ଏକ ସ୍ବତନ୍ତ୍ର ଟ୍ରେଞ୍ଚ୍‌ ପରିବେଷ୍ଟିତ ଏନ୍‌କ୍ଲେଜାରରେ ରଖାଯିବ। ସେଥିପାଇଁ କୁମାରଖୁଣ୍ଟି ନିକଟରେ ସ୍ଥାନ ଚିହ୍ନଟ ହୋଇଛି ଓ ଖୁବ୍‌ଶୀଘ୍ର ଟ୍ରେଞ୍ଚ୍‌ ଖୋଳିବା କାମ ଆରମ୍ଭ କରାଯିବ। ଏନ୍‌କ୍ଲୋଜର ଭିତରେ ଛୋଟ ଜଳାଶୟଟିଏ ଖନନ କରାଯିବ। ବାହାର ହାତୀ ଭିତରକୁ ପଶିପାରିବେ ନାହିଁ କି ସେ ଭିତରୁ ବାହାରକୁ ବାହାରି ପାରିବ ନାହିଁ। ଏମିତି ଘେରାବନ୍ଦୀ ଭିତରେ ତା ଗୋଡ଼ରେ ଆଉ ଲୁହା ଶିକୁଳି ପକାଯିବ ନାହିଁ, କିନ୍ତୁ ମୋଟା ଓ ଶକ୍ତ କତା ଦଉଡ଼ି ଗୋଡ଼ରେ ରହିବ। ବାଘୁଣୀ ସୁନ୍ଦରୀ ପାଇଁ ନିର୍ମାଣ କରାଯାଇଥିବା ବଡ଼ ଏନ୍‌କ୍ଲେଜର ନ ହେଲେ ବି ନରସିଂହା ପାଇଁ ମିନି ଏନ୍‌କ୍ଲୋଜର ନିର୍ମାଣ କରାଯିବ। ସେଇଠି ତାକୁ କୁମ୍‌କୀ ପ୍ରଶିକ୍ଷଣ ଦିଆଯିବ। ଯଦି ନନ୍ଦ ଓ ଯଶୋଦା ଭଳି ପୋଷା ମାନିଯାଏ, ପରବର୍ତ୍ତୀ ଯୋଜନା ଚିନ୍ତା କରାଯିବ। ତେଣୁ ନରସିଂହା ଯୋଗୁଁ ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ନାହିଁ ବୋଲି ଜଣେ ବନାଧିକାରୀ ପରୋକ୍ଷ ସୂଚନା ଦେଇଛନ୍ତି। ଏ ନେଇ ଖୁବ୍‌ଶୀଘ୍ର ସରକାରୀ ସ୍ତରରୁ ଲୋକଙ୍କୁ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର