ମାଲକାନଗିରି: ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ ପାଇଁ ସର୍ଭେ କାମ ସରିଛି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ସରିବ। ଏଥିସହ, ମାଲକାନଗିରି ଠାରୁ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥ ସଂପ୍ରସାରଣ କରାଯିବ ବୋଲି ଦିନିକିଆ ମାଲାକାନଗିରି ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସକାଳ ୧୦ଟାରେ ମାଲକାନଗିରିରେ ପହଞ୍ଚିଥିଲେ। ସୁବାସ ବୋଷ ଛକ ନିକଟରେ ବିଜେପି ନେତା ଓ କର୍ମକର୍ତ୍ତାଙ୍କ ସହ ଡାକ ବିଭାଗ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଥମେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘର ସହ କେନ୍ଦୁଝର, ବୌଦ୍ଧ ଏବଂ ବାଲେଶ୍ବରର ଉପଡାକଘରର ନୂତନ କୋଠା ଉଦ୍ଘାଟନ କରିଥିଲେ। ଏହାପରେ ସ୍ଥାନୀୟ ଡିଆରଡିଏ ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମାଲକାନଗିରି ଜିଲ୍ଲାରେ ଚାଲିଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାରେ ଚାଲିଥିବା ସାଧାରଣ ବଣ୍ଟନ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସଠିକ୍ ରୂପେ ଚାଉଳ ବଣ୍ଟନ କରାଯାଉଛି ନାଁ ନାହିଁ, ସେନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରି ବୁଝିଥିଲେ।
ଏଥିସହ ଜିଲ୍ଲାର ପ୍ରତ୍ୟେକ ଘରେ ପାନୀୟ ଜଳ ଯେଭଳି ପହଞ୍ଚିବ, ସେନେଇ ମଧ୍ୟ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩୬୩ଟି ଗ୍ରାମରେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ କରାଯାଉଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଥିଲା। ଜିଲ୍ଲାରେ ୩୦୬ଟି ମୋବାଇଲ ନେଟଵର୍କ ଟାଵାର ସ୍ଥାପନ କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ଏବଂ ଅବଶିଷ୍ଟ ଅଞ୍ଚଳରେ ଯଥାଶ୍ରୀଘ ନେଟଵର୍କ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହିପରି ଭାବେ କେନ୍ଦ୍ର ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ଯୋଜନାର ଟିକିନିଖି ସମୀକ୍ଷା କରିଥିଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ଏହି ସମୀକ୍ଷା ବୈଠକରେ ବିଧାୟକ ଆଦିତ୍ୟ ମାଢ଼ି, ପୂର୍ବତନ ସାଂସଦ ବଳଭଦ୍ର ମାଝି, ରେଲଵେ ବିଭାଗର ଡିଆରଏମ୍ ଅନୁପ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଭେଜାଙ୍ଗିଵାଡା ପୋଷ୍ଟାଲ ଦୁର୍ନୀତି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ୮୦ ପ୍ରତିଶତ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଥିବା ଏବଂ ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f65sh4sf654h654hf65fhhh.jpg)