ଜୟପୁର,(ନବୀନ ଚନ୍ଦ୍ର ସାହୁ): ଉପାନ୍ତ ଜିଲ୍ଲାରେ ପହଞ୍ଚିବ ରେଳ। ଦୁର୍ଗମ ଅଞ୍ଚଳର ବିକାଶ ହେବ। ଏହି ଲକ୍ଷ୍ୟନେଇ ଜୟପୁର-ମାଲକାନଗିରି-ନବରଙ୍ଗପୁର ନୂଆ ରେଳ ପ୍ରକଳ୍ପ ଘୋଷଣା କରିଥିଲେ ସରକାର। ଇତିମଧ୍ୟରେ ପ୍ରକଳ୍ପ ପାଇଁ ଧାର୍ଯ୍ୟ ହୋଇଥିବା ଅବଧି ସରିଛି। ହେଲେ, ଇଞ୍ଚେ ବି ଜମି ଅଧିଗ୍ରହଣ ସରିପାରିନି। ୭ବର୍ଷ ମଧ୍ୟରେ ୮ ଭୂଅର୍ଜନ ଅଧିକାରୀଙ୍କ ବଦଳି ଯୋଗୁ ଦୁଇ ଉପାନ୍ତ ଜିଲ୍ଲାବାସୀ କେବେ ରେଳ ଦେଖିବେ ତାକୁ ନେଇ ସନ୍ଦିହାନ୍।
‘ରେଳ ବଢ଼େ ଦେଶ ବଢ଼େ’ ନାରାଦେଇ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିର ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା ରେଳ ମନ୍ତ୍ରାଳୟ। ଏଥିପାଇଁ ୨୦୧୬ ଅକ୍ଟୋବର ୧୧ତାରିଖରେ ରେଳ ବିଭାଗ-ରାଜ୍ୟ ସଡ଼କ ପରିବହନ ବିଭାଗ ମଧ୍ୟରେ ଚୁକ୍ତି ହୋଇଥିଲା। ମାଗଣା ଜମି ସାଙ୍ଗକୁ ରାଜ୍ୟ ସରକାର ପ୍ରକଳ୍ପର ଅଧା ଖର୍ଚ୍ଚ ପାଇଁ ରାଜି ହୋଇଥିଲେ। ଫଳରେ, ନବରରଙ୍ଗପୁର ପାଇଁ ୭୫୦ ଏବଂ ମାଲକାନଗିରି ପାଇଁ ୨୭୦୦ କୋଟିର ଖର୍ଚ୍ଚ ଆକଳନ ହେଲା। ୨୦୧୬-୧୭ ରେଳ ବଜେଟରୁ ଆରମ୍ଭ ହେଲା ଅନୁଦାନ ଆସିବା। ୨୦୧୭-୧୮ ବଜେଟରେ ମାଲକାନଗିରି ପାଇଁ ୭୯ କୋଟି, ନବରରଙ୍ଗପୁରକୁ ୨୭୫ କୋଟି, ୨୦୧୮-୧୯ରେ ମାଲକାନଗିରି ପାଇଁ ୯୫ କୋଟି, ନବରଙ୍ଗପୁର ପାଇଁ ୧୯ କୋଟି, ୨୦୧୯-୨୦ରେ ମାଲକାନଗିରି ପାଇଁ ୭୦ କୋଟି, ନବରରଙ୍ଗପୁର ପାଇଁ ୧୦ କୋଟି, ୨୦୨୦-୨୧ରେ ମାଲକାନଗିରି ପାଇଁ ୩୩ କୋଟି, ନବରରଙ୍ଗପୁର ପାଇଁ ୨୦ କୋଟି, ୨୦୨୧-୨୨ରେ ମାଲକାନଗିରି ପାଇଁ ୨୮କୋଟି, ନବରରଙ୍ଗପୁର ପାଇଁ ୧୫.୧ କୋଟି, ୨୦୨୨-୨୩ରେ ଜୟପୁର-ମାଲକାନଗିରି ପାଇଁ ୧୩.୮ କୋଟି ସାଙ୍ଗକୁ ଜୟପୁର-ନବରଙ୍ଗପୁର ପାଇଁ ଘୋଷଣା ହେଲା ୮୧ କୋଟି। କିନ୍ତୁ, ଜମି ଅଧିଗ୍ରହଣ ସରିନଥିବାରୁ ଏହି ସବୁ ଅର୍ଥ କେବଳ ରହିଲା କାଗଜ କଲମରେ।
୨୦୧୭ ମସିହାରେ ରାଜ୍ୟ ସରକାର ପ୍ରଥମେ ଅବସରପ୍ରାପ୍ତ ଓଏଏସ୍ ଭୀମମାନ ସେଠଙ୍କୁ ଭୂଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦେଲେ। କିନ୍ତୁ, କାର୍ଯ୍ୟାଳୟ ପାଇଁ ସରକାରୀ କୋଠା ନ ମିଳିବାରୁ ଭଡ଼ାଘରେ ଚାଲିଲା ଅଫିସ୍। ଆବଶ୍ୟକ ଅନୁସାରେ କର୍ମଚାରୀ ମଧ୍ୟ ନ ମିଳିବାରୁ ବର୍ଷେ ନ ପୂରୁଣୁ କାମଛାଡ଼ି ଚାଲିଗଲେ ଶ୍ରୀ ସେଠ୍। ଦ୍ବିତୀୟରେ ପ୍ରକଳ୍ପର ଦାୟିତ୍ୱ ନେଲେ ଅବସରପ୍ରାପ୍ତ ଓଏଏସ୍ ନିରୋଦ କୁମାର ବେହେରା। ଶ୍ରୀ ବେହେରାଙ୍କୁ ନବରଙ୍ଗପୁର, ମାଲକାନଗିରି ସହ ଆଉ ୩ ରେଳ ପ୍ରକଳ୍ପ ଲାଞ୍ଜିଗଡ-ଜୁନାଗଡ଼, ଟିଟିଲାଗଡ଼-ବଲାଙ୍ଗୀର, ବିଜୟନଗର-ଟିଟିଲାଗଡ ତୃତୀୟ ଲାଇନ କାମ ନ୍ୟସ୍ତ କରାଯାଇଥିଲା। ଅଢେ଼ଇ ବର୍ଷ ଦାୟିତ୍ୱରେ ରହିବା ସତ୍ତ୍ବେ ୩ଥର ମଧ୍ୟ ଆସି ପାରିଲେ ନାହିଁ ମାଲକାନଗିରି। ଫଳରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ, ମାଲକାନଗିରି ଉପଜିଲ୍ଲାପାଳ ସୌମ୍ୟରଂଜନ ସାହୁଙ୍କୁ ଆଗ ପଛ ହୋଇ ସରକାର ଦାୟିତ୍ବ ଦେଲେ। କିନ୍ତୁ, କିଏ ମାସେ ତ କିଏ ଦୁଇ ମାସ ରହି ଦାୟିତ୍ବ ଛାଡ଼ିଦେଲେ। ପରେ ଏହି ଦାୟିତ୍ୱ ତତ୍କାଳୀନ ଜୟପୁର ଉପଜିଲ୍ଲାପାଳ ଆଇଏଏସ୍ ହେମକାନ୍ତ ସଏଙ୍କୁ ଦିଆଯାଇଥିଲା। ଶ୍ରୀ ସଏ ବର୍ଷେ ରହିଲେ, ହେଲେ କିଛି ପରିବର୍ତ୍ତନ ହୋଇନଥିଲା। ଓଏଏସ୍, ଆଇଏଏସ୍ଙ୍କ ପରେ ଓଆରଏସ୍ ଅମୂଲ୍ୟ କୁମାର ସାହୁଙ୍କୁ ଦାୟିତ୍ବ ମିଳିଲା। ଦାୟିତ୍ବର ୮ମାସ ମଧ୍ୟରେ ଜମି ଅଧିଗ୍ରହଣକୁ ତ୍ବରାନ୍ବିତ କରିବାରେ ସକ୍ଷମ ହେଲେ ଶ୍ରୀ ସାହୁ। ପୂର୍ବରୁ ଶ୍ରୀ ସାହୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ନୟାଗଡ, ଖୋର୍ଦ୍ଧା, ବୌଦ୍ଧ ଜିଲ୍ଲାରେ କାମ କରିଥିବାରୁ ଅଭିଜ୍ଞତା ଖଟାଇ କାମ ଆଗେଇ ନେଲେ। ହେଲେ, ହଠାତ୍ ତାଙ୍କର ବଦଳି ହେଲା। ଶେଷରେ, ଜୟପୁର ବିଡିଓ ଓଏଏସ୍ ସୂରଜ କୁମାର ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦେଇଛନ୍ତି ସରକାର।