ଉ‌ଷ୍ମ ହେଲାଣି ଜୟପୁର ରାଜନୀତି: ବିଜେଡିକୁ ସୁହାଇବ କି ବିଶ୍ବବିଦ୍ୟାଳୟ କାର୍ଡ!

ଚଳଚଞ୍ଚଳ ରବି, ହ୍ୟାଟ୍ରିକ୍ ଲକ୍ଷ୍ୟରେ ତାରା; ବଳ ଜୁଟାଉଛନ୍ତି ବିଜେପି ଓ ବିଆର୍‌ଏସ୍

ଜୟପୁର,(ନବୀନ ଚନ୍ଦ୍ର ସାହୁ): ୨୦୨୪ ନିର୍ବାଚନ ପୂର୍ବରୁ ଉଷ୍ମ ହେଲାଣି ଜୟପୁର ରାଜନୀତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ବିଧାନସଭା ଆସନକୁ ହାତେଇବାକୁ ବିଜେଡି ପ୍ରସ୍ତୁତ କଲାଣି ରଣନୀତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରି ଦଳୀୟ ସ୍ଥିତି ସୁଦୃଢ଼ କରିବାକୁ ଜୋର ଲଗାଇଛନ୍ତି। ଆଗକୁ ଅନେକ ପ୍ରସଙ୍ଗ ଉଠିବ, କିନ୍ତୁ ବିଶ୍ବବିଦ୍ୟାଳୟ କାର୍ଡ ଖେଳି ନେତା ନିର୍ବାଚନୀ ଅଭିଯାନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

 

India Today

ରାଜ୍ୟ ରାଜନୀତିରେ ଜୟପୁର ବିଧାନସଭା ଆସନର ବେଶ୍ ଗୁରୁତ୍ବ ରହିଛି। ୫ ଦଶନ୍ଧି ଧରି ବିଜେଡି-କଂଗ୍ରେସ ମଧ୍ୟରେ ଏଠି କଡ଼ା ମୁକାବିଲା ହୋଇଆସୁଛି। ୧୯୭୪ରୁ ୧୯୯୫ ପର୍ଯ୍ୟନ୍ତ ଅନୁଷ୍ଠିତ ୬ଟି ନିର୍ବାଚନରେ କଂଗ୍ରେସ ଲଗାତାର ଜିତିଥିଲା। ପୂର୍ବତନ ଅର୍ଥ ମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକ ୫ଥର, ଗୁପ୍ତ ପ୍ରସାଦ ଦାଶ ଥରେ (୧୯୮୫ରେ) ବିଜୟୀ ହୋଇଥିଲେ। କଂଗ୍ରେସର ଏହି ଅଭେଦ୍ୟ ଦୁର୍ଗରେ ୨୦୦୦ ନିର୍ବାଚନରେ ବିଜେଡି ଟିକେଟ୍‌ରେ ଲଢ଼ି ରବି ନାରାୟଣ ନନ୍ଦ ଭେଟରାନ୍ ନେତା ଶ୍ରୀ ପଟ୍ଟନାୟକଙ୍କୁ ପରାଜୟର ରାସ୍ତା ଦେଖାଇଥିଲେ। ଏହାପରେ ଲଗାତାର ଜୟପୁରରୁ ବିଜୟୀ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ଜଳ ସମ୍ପଦ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ଶ୍ରୀ ନନ୍ଦ। କିନ୍ତୁ ୨୦୧୪ ନିର୍ବାଚନରେ ପଟ୍ଟ ପରିବର୍ତ୍ତନ ଯୋଗୁ ବିଜେଡି ପରାଜୟ ମୁହଁ ଦେଖି ଆସୁଛି। ୨୦୧୪, ୨୦୧୯ ନିର୍ବାଚନରେ ଜୟପୁରରେ ବିଜେଡି ପରାଜୟର ପ୍ରଭାବ ଜିଲ୍ଲା ତଥା ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇଛି। ୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ମୂଳପୋଛ ଅବସ୍ଥାକୁ ଚାଲି ଆସିଥିବା ବେଳେ ଜୟପୁର ବିଧାନସଭା ଆସନରୁ ବାହିନୀପତି, କୋରାପୁଟ ସଂସଦୀୟ କ୍ଷେତ୍ରରୁ ସପ୍ତଗିରି ଉଲାକା ବିଜୟୀ ହୋଇଥିଲେ। ଏଣେ ବାହିନୀପତି ଓ ସପ୍ତଗିରି କଂଗ୍ରେସ ସ୍ଥିତିକୁ ପୁଣି ସୁଦୃଢ଼ କରୁଥିବାରୁ କ‌ଳେବଳେ କୌଶଳେ ୨୦୨୪ରେ ବିଜୟ ପାଇଁ ବିଜେଡି ବ୍ଲୁ ପ୍ରିଣ୍ଟ୍ କରିଛି।

ଫେବ୍ରୁଆରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁର ଗସ୍ତରେ ଆସି ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା
ପ୍ରଦାନ କଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍ କୋରାପୁଟରେ ୩ଦିନ ରହି ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେପଟେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ କୋରାପୁଟ, ଜୟପୁରରେ ଡେରା ପକାଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଜୟପୁର ଆସନରୁ ବିଜେଡି ଟିକେଟ୍ ପାଇଁ ଯଦିଓ ଆଶାୟୀଙ୍କ ସଂଖ୍ୟା କମ୍ ନାହିଁ, କିନ୍ତୁ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ ସର୍ବାଗ୍ରେ ରହିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା, ପୌର ନିର୍ବାଚନର ବିଫଳତା କାରଣରୁ ନିରବ ଥିବା ରବି କିନ୍ତୁ ପ୍ରଣବଙ୍କ ସମୀକ୍ଷା ପରେ ଏବେ ଆକ୍ସନ୍ ମୁଡରେ ମଇଦାନକୁ ଓହ୍ଲାଇଛନ୍ତି। ସେପଟେ ବିଜେଡି ରଣନୀତିକୁ ଭଣ୍ଡୁର କରି ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟରେ ରହିଛି କଂଗ୍ରେସ। ଯାହାର ମଙ୍ଗ ଧରିଛନ୍ତି ଖୋଦ୍ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଗତ କିଛିଦିନ ମଧ୍ୟରେ ଜୟପୁରରେ ଚାଲିଥିବା ଉଭୟ ଦଳର କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେବାର ପ୍ରୟାସ ଜୟପୁର ରାଜନୀତିକୁ ଉଷ୍ମ କରିଛି।

ବିଜେଡି-କଂଗ୍ରେସ ଟକ୍କରର ଫାଇଦା ଉଠାଇ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ବୁଥସ୍ତରରେ ସଂଗଠନ ସୁଦୃଢ଼ କରି ବଳ ଜୁଟାଉଛି ବିଜେପି। ନୂଆ ଦଳ ବିଆରଏସ୍ ମଧ୍ୟ ନୂତନ ବିକଳ୍ପ ଭାବେ ଠିଆ ହୋଇ ଅଙ୍କ ବିଗାଡିବାକୁ ଯୋଜନା କରିଛି। ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୧୧ହଜାର ୬୬୦ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୫୭ ହଜାର ୮୬୨ ଜଣ ମତଦାନ କରିଥିଲେ। ତାରା ପ୍ରସାଦ ବାହିନୀପତି ୫୯ ହଜାର ୭୮୫ (୩୭.୮୭ ପ୍ରତିଶତ) ଭୋଟ ପାଇଥିବା ବେଳେ ରବି ନନ୍ଦଙ୍କ ସପକ୍ଷରେ ଯାଇଥିଲା ୫୪ ହଜାର ୩୩୪ (୩୪.୪୨ ପ୍ରତିଶତ) ଭୋଟ।

ସମ୍ବନ୍ଧିତ ଖବର