ଭୁବନେଶ୍ବର : ଏବେ ଆର୍‌ସିଏସ୍-ଉଡାନ୍ ଯୋଜନାରେ ଝାରସୁଗୁଡ଼ା‌ରୁ ବିମାନ ଉଡ଼ାଣ କରୁଛି। ଏହାବାଦ୍ ରାଉରକେଲା, ଉତ୍‌କେଲା, ଜୟପୁରରୁ ବିମାନବନ୍ଦରକୁ ଆର୍‌ସିଏସ୍‌-ଉଡ଼ାନ୍ ଯୋଜନାରେ ଅନ୍ତର୍ଭୁକ୍ତ କରି କାର୍ଯ୍ୟକ୍ଷମ କରିବା ପ୍ରକ୍ରିୟା ଚାଲିଛି। ଖୁବ୍‌ ଶୀଘ୍ର ଏଠାରୁ ବିମାନ ଉଡ଼ାଣ କରିବ। ଉଡ଼ାନ୍ ଯୋଜନାରେ କେଉଁଠୁ ବିମାନ ଉଡ଼ାଣ କରିବାର ଯୋଜନା ଅଛି ବୋଲି ବିଧାୟକ ଭୂପିନ୍ଦର ସିଂହ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା କହିଛନ୍ତି।

Advertisment

ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ଯେ, ଜୟପୁର ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି। ଏହାର ୨ବି ଏରୋଡ୍ରମ ଲାଇସେନ୍ସିଂ ନିମନ୍ତେ ଡିଜିସିଏକୁ ଆବେଦନ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜୟପୁର-ଭୁବନେଶ୍ବର ରୁଟ୍‌ରେ ବିମାନ ଉଡ଼ାଣ କରିବାକୁ ଅନୁମତି ମିଳିଛି।

ଉତ୍‌କେଲା ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଅନ୍ତିମ ସ୍ତରରେ ଅଛି। ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଉତ୍‌କେଲା-ଭୁବନେଶ୍ବର, ଉତ୍‌କେଲା-ରାୟପୁର ରୁଟ୍‌ରେ ବିମାନ ଉଡ଼ାଣ ନିମନ୍ତେ ଅନୁମତି ମିଳିଛି। ଏହାର ୨ବି ଏରୋଡ୍ରମ ଲାଇସେନ୍ସିଂ ଆବେଦନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ରାଉରକେଲା ବିମାନବନ୍ଦରକୁ ଆର୍‌ସିଏସ୍‌-ଉଡାନ୍ ଯୋଜନାରେ ଅନ୍ତର୍ଭୁକ୍ତ କରି ସେଲ୍‌, ଏଏଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିମାନବନ୍ଦର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ରାଉରକେଲା ବିମାନବନ୍ଦରକୁ କ୍ୟାଟେଗୋରି ୨ବିରୁ କ୍ୟାଟେଗୋରି ୩ସିକୁ ଉନ୍ନତ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ନୂଆ ଏପ୍ରନ ଏବଂ ଟ୍ୟାକ୍ସିୱେର ନିର୍ମାଣ କାର୍ଯ୍ୟ ଚାଲିଛି।