ଭୁବନେଶ୍ବର: ୪ଥର ବିଧାୟକ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିବା କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।
ଶ୍ରୀ ପାଙ୍ଗୀ କହିଛନ୍ତି ଯେ ଦଳକୁ ଶକ୍ତିଶାଳୀ କରିବାକୁ ଓ ରାଜ୍ୟରେ ବିଜେଡି ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସରେ ଯୋଗ ଦେଲେ। ଆଦିବାସୀଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ କଂଗ୍ରେସ ଦଳ ହିଁ ସମସ୍ତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥା କରିଛି। ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବା ପାଇଁ ସମସ୍ତେ ଏକାଠି ପରିଶ୍ରମ କରିବୁ।
ଉଲ୍ଲେଖ ଯେ, କଂଗ୍ରେସରେ ସାମିଲ ହେବା ନେଇ ଶ୍ରୀ ପାଙ୍ଗୀ ଗତମାସରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଜୟରାମ ପାଙ୍ଗୀ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ହୋଇଥିବା ବେଳେ ୨୦୦୯ରେ କୋରାପୁଟ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୭ ମସିହାରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ କୋରାପୁଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଥିଲେ। ପରବର୍ତୀ ସମୟରେ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି(ବିଆରଏସ୍)ରେ ସାମିଲ ହୋଇଥିଲେ।
ସେହିପରି ପୂର୍ବତନ ବିଧାୟକ ରଞ୍ଜିତ ଭର୍ତ୍ତିଆ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ପରିଡ଼ା, ଅବସରପ୍ରାପ୍ତ ପୁଲିସ କର୍ମଚାରୀ ହେମସାଗର ନନ୍ଦ, ସିଦ୍ଧାର୍ଥ ଦାସ, ଶେଖର ନାୟକଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ନିଜ ସମର୍ଥକଙ୍କ ସହ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ଗଣେଶ୍ବର ବେହେରା, ଶିବାନନ୍ଦ ରାୟ, ମନୋରଂଜନ ତ୍ରିପାଠୀ, ବିଶ୍ବଜିତ ଦାଶ, ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ମନିଷା ତ୍ରିପାଠୀ, ପ୍ରକାଶ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।