ଗୁଣପୁର : ରାୟଗଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ଯଯାତି ସାହୁ ହତ୍ୟାକାଣ୍ଡ ମାମଲାରେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଏଡିଜେ କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି। ଉକ୍ତ ମାମଲାରେ ପୂର୍ବରୁ ୨୦ଜଣ ସାକ୍ଷ୍ୟଙ୍କ ବୟାନ ମାନ୍ୟବର କୋର୍ଟରେ ରେକର୍ଡ କରାଯାଇଥିଲା। ତେବେ ଉକ୍ତ ଶୁଣାଣି ବେଳେ ସବ୍ୟସାଚୀ ଅନୁପସ୍ଥିତ ଥିବା ବେଳେ ତାଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି, ୨୦୦୨ ନଭେମ୍ବର ୨୬ ତାରିଖ ରାତିରେ ଇରା ଗ୍ରାମ ସ୍ଥିତ ନିଜସ୍ବ ବାସଭବନରୁ ବିଜେଡି ନେତା ଯଯାତି କେଶରୀ ସାହୁଙ୍କୁ ମାଓବାଦୀମାନେ ଘୋଷାରି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସବ୍ୟସାଚୀଙ୍କ ସହିତ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଅନେକ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି। ଏହି ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା ସଂପୃକ୍ତ ଥିବା ନେଇ ଗୁଡ଼ାରି ପୁଲିସ ମାମଲା ରୁଜୁ କରିବା ସହ ସିଟି ନଂ-୨୦/୧୬ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲା। ଯଯାତିଙ୍କୁ ହତ୍ୟା କରାଯିବା ପରେ ରାଜ୍ୟର ଆଇନ ଶଙ୍ଖଳାକୁ ନେଇ ବିରୋଧୀ ତୁମ୍ବି ତୋଫାନ ବି କରିଥିଲେ। ଏହାପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ରାଜସ୍ବ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ସମୟରେ ଏହି ଘଟଣାର ତଦନ୍ତ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇପାରିନି।