ଯକ୍ଷ୍ମା ଆକ୍ରାନ୍ତ ସାନ ଭାଇକୁ ତଡ଼ିଦେଲା ବଡ଼, ଅଙ୍ଗନବାଡ଼ି ବାରଣ୍ଡାରେ ପଡ଼ିରହିଛନ୍ତି ଯୁବକ

କାଳିଆପାଣି : ଯକ୍ଷ୍ମାରୋଗ ପାଇଁ ଭାଇ ସାଜିଛି ଭଗାରି। ସଂପର୍କରେ ସୃଷ୍ଟି ହୋଇଛି ଫାଟ । ବଡ଼ଭାଇ ଓଡ଼ିଶା ଖଣି ନିଗମ(ଓଏମ୍‌ସି) କ୍ବାର୍ଟର୍ସରେ ଆରାମରେ ରହୁଥିବା ବେଳେ ରୋଗାକ୍ରାନ୍ତ ଭାଇ ରମେଶ ବାଘିଆ(୩୫) ଏବେ ସୁକିନ୍ଦା ବ୍ଲକ କାଳିଆପାଣି ବିର୍ସାନଗର ଅଙ୍ଗନବାଡ଼ି କେନ୍ଦ୍ର ବାରଣ୍ଡାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। କିଛି ସହୃଦୟ ବ୍ୟକ୍ତିଙ୍କ ଦାନରେ ତାଙ୍କ ପେଟ ଓ ପିଠିକୁ ଦାନାକନା ମିଳୁଛି। ସଞ୍ଜରୁ ସକାଳ ଯାଏ ନିଛାଟିଆ ପରିବେଶରେ ରମେଶ ଏବେ ଅତ୍ୟନ୍ତ ନିଃସହାୟ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ଶୈଶବ ଓ କିଶୋର ଅବସ୍ଥା‌ରେ ବେଶ୍‌ ସୁଖ ଓ ସ୍ବାଚ୍ଛନ୍ଦ୍ୟରେ ଚଳି ଆସିଥିବା ରମେଶ ଦିନେ ଏମିତି ଅବସ୍ଥାରେ ପଡ଼ିବେ ବୋଲି ସ୍ବପ୍ନରେ ବି ଭାବି ନଥିଲେ।

ରମେଶଙ୍କ ମା’ବାପା ସାବିତ୍ରୀ ଓ ନନ୍ଦ ବାଘିଆ ଓଏମ୍‌ସି କାଠପାଳ କ୍ରୋମାଇଟ୍‌ ଖଣିରେ କାମ କରୁଥିଲେ। ୨୦୦୨ ମସିହାରେ ଏହି ଖଣି ବନ୍ଦ୍ ହେବା ପରେ ବାପାମାଆଙ୍କ ଚାକିରି ଚାଲିଗଲା। ଛଟେଇ ପରେ ଏହି ଦମ୍ପତି ଢେଙ୍କନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କନ୍ଧରା ଅନ୍ତର୍ଗତ କାଲ୍‌ବୁଦ୍ଧିଆସ୍ଥିତ ପୈତୃକ ଗାଁକୁ ପଳାଇଗଲେ। କିଛିଦିନ ପରେ ଅଭାବଗ୍ରସ୍ତ ଦମ୍ପତି ରୋଗବ୍ୟାଧିରେ ପଡ଼ି ଆଗପଛ ହୋଇ ଆରପାରିକୁ ଚାଲିଗଲେ। ହାକିମଙ୍କ ସହ ଭଲ ସଂପର୍କ ରଖିଆସିଥିବା ବାପା ନନ୍ଦଙ୍କ ସୁପାରିସରେ ବଡ଼ପୁଅ କୈଳାସ(ଡାକ୍ତର)ଙ୍କୁ ଓଏମ୍‌ସିରେ ସ୍ଥାୟୀ ଚାକିରି ମିଳିଲା। କୈଳାସ ଏବେ ଓଏମ୍‌ସି କାଳିଆପାଣି ଟାଉନସିପ୍‌ କଲୋନିରେ ପତ୍ନୀ ଓ ତିନି ଝିଅଙ୍କ ସହ ବେଶ୍‌ ଖୁସିରେ ରହୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସାନପୁଅ ରମେଶ ଗାଁରେ ରହୁଥିଲେ। ୧୦ ବର୍ଷ ତଳେ ତାଙ୍କ ଗର୍ଭବତୀ ପତ୍ନୀ ତିଳୋତ୍ତମାଙ୍କର ମୃତ୍ୟୁ ହୋଇଥିଲା। ଏଥିପାଇଁ ତାଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା। ଋଣ କରଜରେ ସେ ବୁଡ଼ି ଯାଇଥିଲେ। ଜଣେ ଭଲ ରାଜମିସ୍ତ୍ରୀ ଭାବେ ଜଣାଶୁଣା ଥିବା ରମେଶ କଟକ ଓ ଭୁବନେଶ୍ବର ଯାଇ କାମ କରି ଚଳୁଥିଲେ। ଅବସର ବେ‌ଳେ ଗାଁକୁ ଯାଇ ବଡ଼ଭାଇ ପାଖରେ ଆସି ରହୁଥିଲେ।

କର୍ମକ୍ଷେତ୍ରରେ ‌ତାଙ୍କ ସ୍ବାସ୍ଥ୍ୟହାନୀ ହେବାରେ ପରୀକ୍ଷା କରାଇବାରୁ ସେ ଯକ୍ଷ୍ମା ରୋଗାକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ୩ ମାସ ତଳେ ସେ ପୁଣି ବଡ଼ଭାଇ ପାଖକୁ ଫେରି ଆସିଥିଲେ। ଘରେ କାଶ ହେବା ଓ ଏଥିରେ ରକ୍ତ ପଡ଼ିବା ଦେଖି ଭାଇଭାଉଜ ସ୍ଥାନୀୟ ଟାଟାଷ୍ଟିଲ ଫାଉଣ୍ଡେସନ ପରୀକ୍ଷାଗାରରେ ପୁଣି କଫ ପରୀକ୍ଷା କରାଇଥିଲେ। ସେ ଯକ୍ଷ୍ମା ଆକ୍ରାନ୍ତ ଜାଣି ତାଙ୍କ ପରିବାରରେ ଝଡ଼ ଉଠିଥିଲା। ଯକ୍ଷ୍ମା ପାଇଁ ପିଲାମାନଙ୍କ ପ୍ରତି ବିପଦ ଆଶଂକା ଆଳରେ ଭାଇଭାଉଜ ତାଙ୍କୁ ଘରୁ ତଡ଼ିଦେଲେ। ପୂର୍ବ ପରିଚିତ ଅନାମ ମହାକୁଡ଼ଙ୍କ ଘରେ କିଛିଦିନ ସେ ଆଶ୍ରୟ ନେଇଥିଲେ। ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଜାଣି କାଳେ ମୃତ୍ୟୁ ହେଲେ ପୁଲିସ ତାଙ୍କୁ କୈଫିୟତ ତଲବ କରିବ କି’ ବାନ୍ଧିବ ସେହି ଭୟରେ ସେ ରମେଶଙ୍କୁ ଅନ୍ୟତ୍ର ଚାଲିଯିବାକୁ କହିଥିଲେ। ସେହିଦିନଠାରୁ ଅଙ୍ଗନବାଡ଼ି ବାରଣ୍ଡା ହିଁ ରମେଶଙ୍କ ଠିକଣା ପାଲଟିଛି। ନିଜ ଗଣ୍ଠିଲି ଓ ବିଛଣା ଧରି ସେ ସେଇଠି ୧୫ ଦିନ ହେଲା ଭାଗ୍ୟକୁ ଆଦରି ପଡ଼ି ରହିଥିବା ଦେଖିବାକୁ ମିଳିଛି। ପୂର୍ବ ପରିଚିତ ଓଏମ୍‌ସି ଖଣି ଶ୍ରମିକ ସୁଶୀଳା ମହାନ୍ତ ତାଙ୍କୁ ଲୁଗାପଟା ସହ ଦିନକୁ ୩ ବେଳା ଖାଇବାକୁ ଦେଉଥିବା ଜଣାପଡ଼ିଛି। ଏ ସଂପର୍କରେ କୈଳାସଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ଏହି ଦମ୍ପତିଙ୍କ ଦେଖା ମିଳିନଥିଲା। କକାକୁ ରୋଗ ହୋଇଥିବାରୁ ମାଆ ଘରୁ ତଡ଼ି ଦେଇଥିବା ନେଇ ତାଙ୍କ ବଡ଼ଝିଅ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର