କାଳିଆପାଣି : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତରୁ ଆସିଛି ରୋଚକ ଖବର। ଶ୍ବଶୁର ସରପଞ୍ଚ ପଦ ପାଇଁ ଲଢ଼ି ଲଗାତର ଭାବେ ପରାଜିତ ହୋଇଆସୁଥିବା ବେଳେ ଏଥର ତାଙ୍କ ବୋହୂ ଜିତିଛନ୍ତି। ଅଞ୍ଜଳି ଦେହୁରୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଭଦ୍ରା ତିଉଙ୍କୁ ୨୦୮୬ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଛନ୍ତି। ଏଥିସହ ଶ୍ବଶୁର ମହେଶ୍ବର ଦେହୁରୀଙ୍କ ୩୦ ବର୍ଷର ସ୍ବପ୍ନ ସାକାର ହୋଇଛି।
୧୯୯୨ ମସିହାରେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଗଠନ ହେବା ଦିନରୁ ଅନୁସୂଚିତ ଜନଜାତି ବର୍ଗର ଦୁଇ ପରିବାର ମଧ୍ୟରେ କ୍ଷମତା ଦଖଲକୁ ନେଇ ପ୍ରତିଦ୍ବନ୍ଦିତା ଚାଲିଛି। ଅବିଭକ୍ତ ରାଁସୋଳ ପଞ୍ଚାୟତରୁ ଦୁଇ ଥର ସରପଞ୍ଚ ନିର୍ବାଚିତ ହୋଇଥିବା ସ୍ବର୍ଗତ ହୃଷୀକେଶ ପ୍ରଧାନ ଓ ସୁକିନ୍ଦାର ଆରାଧ୍ୟ ଦେବୀ ମା’ ଖଣ୍ଡୁରାଈଙ୍କ ପୂଜକ ସ୍ବର୍ଗତ ଜଟିଆ ଦେହୁରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ରାଜନୈତିକ ଲଢ଼େଇ ତିନିପିଢ଼ି ଧରି ଲାଗିରହିଛି। ସ୍ବର୍ଗତ ହୃଷିକେଶ ପ୍ରଧାନଙ୍କ ପରେ ପୁତୁରା ନୀଳେନ୍ଦ୍ର ପ୍ରଧାନ ଓ ସ୍ବର୍ଗତ ଜଟିଆ ଦେହୁରୀଙ୍କ ପରେ ପୁଅ ମହେଶ୍ବରଙ୍କ ମଧ୍ୟରେ ରାଜନୈତିକ ପ୍ରତିଦ୍ବନ୍ଦିତା ରହିଥିଲା। ମହେଶ୍ବର ୩ ଥର ସରପଞ୍ଚ ପାଇଁ ଲଢ଼ି ହାରିଥିଲେ। ଚଳିତଥର ବୋହୂ ତାଙ୍କ ସ୍ବପ୍ନ ପୂରଣ କରିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ମହେଶ୍ବର।
/sambad/media/post_attachments/wp-content/uploads/2022/03/jajpur.jpg)
ଚିଙ୍ଗୁଡ଼ିପାଳ ନୂଆ ପଞ୍ଚାୟତ ଗଠିତ ହେବା ପରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ନୀଳେନ୍ଦ୍ର ପ୍ରଧାନ ୧୬୧ ଖଣ୍ଡ ଭୋଟ ବ୍ୟବଧାନରେ ମହେଶ୍ବର ଦେହୁରୀଙ୍କୁ ହରାଇଥିଲେ। ୧୯୯୭ ମସିହାରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତାରେ ପୁନର୍ବାର ଶ୍ରୀ ପ୍ରଧାନ ପୂର୍ବ ପ୍ରତିଦ୍ବନ୍ଦୀ ଶ୍ରୀ ଦେହୁରୀଙ୍କୁ ୨୧୦ ଖଣ୍ଡ ଭୋଟରେ ହରାଇ ଦ୍ବିତୀୟବାର ସରପଞ୍ଚ ନିର୍ବାଚିତ ହୋଇଥିଲେ। ୨୦୦୨ ମସିହାରେ ସରପଞ୍ଚ ପଦବି ମହିଳା ପାଇଁ ସଂରକ୍ଷିତ ହୋଇଥିଲା। ସେଥିର ନୀଳେନ୍ଦ୍ର ପ୍ରଧାନ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ। ୨୦୦୭ ମସିହାରେ ନୀଳେନ୍ଦ୍ର ପୁନର୍ବାର ମହେଶ୍ବରଙ୍କୁ ହରାଇଥିଲେ। ୨୦୧୨ ମସିହାରେ ସରପଞ୍ଚ ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ନୀଳେନ୍ଦ୍ର ପ୍ରଧାନଙ୍କ ପତ୍ନୀ ପ୍ରମିଳା ପ୍ରଧାନ ସମିତିସଭ୍ୟା ନିର୍ବାଚିତ ହୋଇଥିଲେ। ୨୦୧୭ ମସିହାରେ ଶ୍ରୀ ପ୍ରଧାନ ଚତୁର୍ଥ ଥର ଲାଗି ସରପଞ୍ଚ ନିର୍ବାଚିତ ହୋଇ ୩ ଦଶନ୍ଧି ଧରି ତାଙ୍କ ପରିବାର ନିରବଚ୍ଛିନ୍ନ ଭାବେ ପଞ୍ଚାୟତ କ୍ଷମତାରେ ରହିଆସିଛନ୍ତି। ଗତଥର ମହେଶ୍ବର ଲଢ଼ିନଥିଲେ। ଏଥର ତାଙ୍କ ବୋହୂ ଅଞ୍ଜଳି ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ୩୦ ବର୍ଷ ପରେ ପ୍ରଧାନ ପରିବାର ହାତରୁ ପଞ୍ଚାୟତ କ୍ଷମତା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Daughter-in-Law-Wins_Thumbnail.jpg)