ବିଡିଓଙ୍କ ପାଦତଳେ ପଡ଼ି ନ୍ୟାୟଭିକ୍ଷା କଲେ ବୃଦ୍ଧା, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ

ବରୀ : ହିତାଧିକାରୀଙ୍କୁ ଯେତିକି ପରିମାଣରେ ଚାଉଳ ଦିଆଯିବା କଥା ଦିଆଯାଉନାହିଁ। ଏହାର ତଦନ୍ତ ବେଳେ ଜଣେ ବୃଦ୍ଧା ବିଡିଓଙ୍କୁ କାକୁତିମିନତି ହୋଇ ତାଙ୍କ ପାଦତଳେ ପଡ଼ି ନ୍ୟାୟ ଭିକ୍ଷା କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ବାଲିବିଲି ପଞ୍ଚାୟତ ଏହି ଘଟଣା ସହ ରାସନ ଦୁର୍ନୀତିକୁ ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଗୁରୁତ୍ବର ସହ ନେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଟ୍ବିଟ୍ ଯୋଗ‌େ ଜଣାଇଛନ୍ତି।

ବାଲିବିଲି ପଞ୍ଚାୟତରେ ଚାଉଳ ପ୍ରଦାନ ବେଳେ କମ୍ ଚାଉଳ ଦିଆଯାଉଥିଲା। ଏନେଇ କେତେକ ହିତାଧିକାରୀ ଦାବି କରିବାରୁ ସଂପୃକ୍ତ ଡିଲର ଜାତିଆଣ ଆକ୍ଷେପ କରିବା ସହିତ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲା। ଅଭ‌ିଯୋଗକୁ ନେଇ ବିଜେପି ବ୍ଲକ ପ୍ରଶାସନକୁ ଘେରିଥିବାବେଳେ ଗତକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବାସିନୀ ଶର୍ମାଙ୍କ ଉପସ୍ଥିତିରେ ବିଡିଓ ଶାଶ୍ବତ ଜେନା ଏବଂ ‌ବ୍ଲକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ବେହେରା ତଦନ୍ତ କରି ଫେରିଥିଲେ। ମାତ୍ର ତଦନ୍ତ ବେଳେ ଜଣେ ବୃଦ୍ଧା ଭାରତୀ ଜେନା ବିଡିଓଙ୍କୁ କାକୁତିମିନତି ହୋଇ ତାଙ୍କ ପାଦତଳେ ପଡ଼ି ନ୍ୟାୟ ଭିକ୍ଷା କରିଥିଲେ। ଏ ସମ୍ପର୍କିତ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଟ୍ବିଟ୍ ଯୋଗେ ଜିଲ୍ଲା ପ୍ରଶାସନକୁ ଏଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ବିଡିଓ ଶ୍ରୀ ଜେନା ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି।

ଭାରତୀଙ୍କ ଅଭିଯୋଗ ଅନୁସାରେ, ରିଲିଫ୍‌ ଚାଉଳ କମ୍‌ ଦିଆଯାଉଥିବା ନେଇ ସେ ପ୍ରତିବାଦ କରିଥିଲେ। ମାତ୍ର, ଡିଲରଙ୍କ ପୁତ୍ର ଜଣେ ସରକାରୀ କର୍ମଚାରୀ ହୋଇଥିଲେ ବି ସମ୍ପୃକ୍ତ ଦଳିତ ମହିଳାଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରି ମାଡ଼ ମାରିଥିଲେ। ଏ ନେଇ ସେ ଥାନାରେ ମଧ୍ୟ ଅଭିଯୋଗ କରିବା କଥା କହିଛନ୍ତି।

ସଂପୃକ୍ତ ଡିଲର ହିତାଧିକାରୀଙ୍କୁ ଚାଉଳ କମ୍ ଦିଆଯାଉଥିବା ତଦନ୍ତବେଳେ ଜଣାପଡ଼ିଥିବା ବିଡିଓ ଶାଶ୍ବତ ଜେନା କହିଛନ୍ତି। ଅନ୍ୟପକ୍ଷରେ, ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘଟଣା ଦିନ ଫୋନ ପାଇ ତୁରନ୍ତ ତହସିଲଦାରଙ୍କ ସହିତ ନିଜେ ଘଟଣାସ୍ଥଳକୁ ଯାଇଥିଲେ। ଅଭିଯୋଗରେ ଦର୍ଶାଯାଇଥିବା ତଥ୍ୟ ଓ ତଦନ୍ତରେ ଆସିଥିବା ତଥ୍ୟର ତାଳମେଳ ରହୁ ନଥିବାରୁ ଏହି ମାମଲା ପାଇଁ ଅଧିକ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଏପରି ସ୍ଥିତିରେ ମନ୍ତ୍ରୀଙ୍କ ଟ୍ବିଟ୍ ପରେ ସଂପୃକ୍ତ ଡିଲରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ହିତାଧିକାରୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର