କଟକ : ଯାଜପୁର ଜିଲ୍ଲାରେ ଆତ୍ମା (ଏଗ୍ରିକଲ୍ଚର ଟେକନୋଲୋଜି ମ୍ୟାନେଜମେଣ୍ଟ ଏଜେନ୍ସି) ଅଧୀନରେ କାର୍ଯ୍ୟରତ ବ୍ଲକ ବୈଷୟିକ ପରିଚାଳକ (ବିଟିଏମ୍), ବ୍ଲକ୍ସ୍ତରୀୟ ବୈଷୟିକ ସହାୟକ (ବିଏଲ୍ଟିଏ), ସହକାରୀ ବୈଷୟିକ ପରିଚାଳକ (ଏଟିଏମ୍), ଆକାଉଣ୍ଟାଣ୍ଟ ତଥା କଂପ୍ୟୁଟର ଅପରେଟରଙ୍କ ଚାକିରି ନିୟମିତ ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆଉଟସୋର୍ସିଂ ଏଜେନ୍ସି ପରିବର୍ତ୍ତନ କରାଯାଏ ତେବେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଆବେଦନକାରୀଙ୍କୁ ପ୍ରତିପକ୍ଷ ପ୍ରାଥମିକତା ଦେବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଏହି ମାମଲାରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ଆତ୍ମା ରାଜ୍ୟ ନୋଡାଲ ଅଫିସର, ଯାଜପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ଆତ୍ମା ପ୍ରକଳ୍ପ ନିର୍ଦ୍ଦେଶକ ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି.ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶାନ୍ତ କୁମାର ମହାରଣା ଓ ଅନ୍ୟ ୩୮ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ତୃଣମୂଳସ୍ତରରେ ଚାଷୀଙ୍କୁ କୃଷିକ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା ଆତ୍ମା ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୧ରେ ଆତ୍ମା ଅଧୀନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନକାରୀମାନେ ଦରଖାସ୍ତ କରିଥିଲେ। ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଓ ଜିଲ୍ଲା ସ୍ତରରେ ଆବେଦନକାରୀମାନେ ବିଟିଏମ, ବିଏଲଟିଏ, ଏଟିଏମ, ଆକାଉଣ୍ଟାଣ୍ଟ ତଥା କଂପ୍ୟୁଟର ଅପରେଟର ଭାବେ ଆବେଦନକାରୀ ନିଯୁକ୍ତି ପାଇଥିଲେ। ଆବେଦନକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ବିଭିନ୍ନ ସମୟରେ ହୋଇଥିବା କାର୍ଯ୍ୟଦକ୍ଷତା ପରୀକ୍ଷାରେ ଆବେଦନକାରୀ ଉତ୍ତୀର୍ଣ୍ଣ ହୋଇଥିଲେ। ୧୦ ବର୍ଷରୁ ଅଧିକ ସମୟ ଧରି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ଏହି ପ୍ରସଂଗ ବିଚାରାଧୀନ ଥିବା ବେଳେ ୨୦୨୨, ଏପ୍ରିଲ ୨୦ରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଗ୍ରହଣ କରି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବଦଳରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି। ଏଥି ସହିତ ୧୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅନୁଭବି ଓ ଦକ୍ଷ କର୍ମଚାରୀଙ୍କ ଚାକିରି ନିୟମ ଅନୁସାରେ ନିୟମିତ କରାଯିବା ଉଚିତ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/high-court.jpg)