ଯାଜପୁର ଜିଲ୍ଲାରେ ବି ବିହନ ପାଇଁ ଚିନ୍ତା ବଢ଼ିଲା : ଲକ୍ଷେ ୧୦ହଜାର ହେକ୍ଟର ଜମି ପାଇଁ ମିଳିଛି ୪୭୦୦ କୁଇଣ୍ଟାଲ

ଯାଜପୁରସଦର :   ଯାଜପୁର ଜିଲ୍ଲା ପାଇଁ ଯେତିକି ବିହନର ଆବଶ୍ୟକତା ରହିଛି ତାଠାରୁ ଢେର କମ୍ ବିହନ ଜିଲ୍ଲାକୁ ଯୋଗାଇ ଦିଆଯାଇଛି। ଫଳରେ ଚାଷୀ ବିହନ ପାଇପାରୁ ନାହିଁ। ଚଳିତ ବର୍ଷ କୋଭିଡ-୧୯ ପାଇଁ ପ୍ରବାସୀମାନେ ଗାଁକୁ ଫେରି ଆସିଥିବାରୁ ଅଧିକ ଚାଷ ହେବ ବୋଲି ଆଶା କରାଯାଉଥିବା ବେଳେ ବିହନ ମିଳୁ ନଥିବାରୁ ଚାଷୀ ହତାଶ ହୋଇପଡ଼ିଛି। ଚଳିତ ଖରିଫ ଧାନ ପାଇଁ କ୍ଷେତ୍ର ପ୍ରସ୍ତୁତ କରି ବିହନ ପାଇଁ ଚାହିଁ ବସିଛି ଚାଷୀ। କେତେକ ଚାଷୀ ନିଜେ ସଂଗ୍ରହ କରି ରଖିଥିବା ବିହନରେ ତଳି ପକାଇବା ଆରମ୍ଭ କଲେଣି। ପ୍ରକୃତ ଚାଷୀ ବିହନ ପାଉ ନଥିବାବେଳେ କେତେକ ଅଣଚାଷୀ ବିହନ ‌ହାତେଇ ନେଉଥିବା ମଧ୍ୟ ଅଭିଯୋଗ ଆସୁଛି।

ବିକାଶଶୀଳ, ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ରହିଛି ଅନେକ ଉତ୍କୃଷ୍ଟ ଚାଷ ଜମି। ଘେରି ରହିଛି ବ୍ରାହ୍ମଣୀ, ‌ଖରସ୍ରୋତା ଭଳି ଆଦି ନଦୀ। ଜିଲ୍ଲାରେ ହଜାର ହଜାର ଚାଷୀ ଚାଷ ଉପରେ ନିର୍ଭର କରି ଚଳନ୍ତି। ଚଳିତ ଖରିଫ ଋତୁରେ ଜିଲ୍ଲାରେ ୧ଲକ୍ଷ ୧୦ହଜାର ୫ଶହ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ଜିଲ୍ଲାରେ ଧାନ ଚାଷର ଧାର୍ଯ୍ୟ ପୂରଣ ହେଉଥିବା ବେଳେ ପ୍ରଶାସନିକ ଓ ବିଭାଗୀୟ ସମର୍ଥନ ଚାଷୀଙ୍କ ପ୍ରତି ରହିଥାଏ ବୋଲି କୃଷି ବିଭାଗ  ଦୃଢ଼ୋକ୍ତି ପ୍ରକାଶ କରୁଛି। ପ୍ରକୃତ ଚାଷୀ ସରକାରୀ ବିହନ, ସାରରୁ ବଞ୍ଚିତ ହୋଇ ଖୋଲା ବଜାରରୁ  କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି ନବ ନିର୍ମାଣ କୃଷକ ସଂଗଠନ ଯାଜପୁର ଶାଖା ପକ୍ଷରୁ ଦାବି ହେଉଛି। ବିଭାଗୀୟ ସୂଚନା ଅନୁସାରେ ଚଳିତ ଖରିଫ ପାଇଁ ଜିଲ୍ଲାରେ ମୋଟ ଧାନ ଚାଷ ଲକ୍ଷ୍ୟରୁ କୋରେଇ ବ୍ଲକରୁ ସର୍ବାଧିକ ଲକ୍ଷ୍ୟ ରଖାଯାଇଛି।

କୋରେଇରୁ  ୧୮୭୦୦ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ରହିଥିବା ବେଳେ  ଯାଜପୁରରୁ ୧୦୮୩୦ ହେକ୍ଟର,  ଦଶରଥପୁରରୁ ୧୨୬୩୦ ହେକ୍ଟର,  ବିଂଝାରପୁରରୁ ୧୨୩୦୦ ହେକ୍ଟର,  ବଡଚଣାରୁ ୧୨୬୫୦ ହେକ୍ଟର, ଧର୍ମଶାଳାରୁ ୧୨୮୮୦ ହେକ୍ଟର, ରସୁଲପୁରରୁ ୮୪୨୦ ହେକ୍ଟର,ବରୀରୁ ୯୪୩୦ ହେକ୍ଟର, ସୁକିନ୍ଦାରୁ ୬୪୦୦ ହେକ୍ଟର, ଦାନଗଦୀରୁ  ୮୨୭୦ ହେକ୍ଟର ଜମିରେ ଚାଷ ହେବାର ଲକ୍ଷ୍ୟ ରହିଛି। କୃଷି ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ  ଓଡ଼ିଶା ଷ୍ଟେଟ୍  ସିଡ୍  କର୍ପୋରେସନ ପକ୍ଷରୁ  ଜିଲ୍ଲାକୁ ୪୭୦୦ କ୍ବିଣ୍ଟାଲ ବିହନ ଯୋଗାଣ ସରିଲାଣି।  ଯାହାକି  ବିହନ ନିଗମ ଦ୍ବାରା ନିର୍ଧାରିତ ଓ ଲାଇସେନ୍ସପ୍ରାପ୍ତ ଜିଲ୍ଲାର ୬୬ ଜଣ ଡିଲର ଓ କିଛି ସମବାୟ ସମିତି ଜରିଆରେ ବଣ୍ଟନ କରାଯାଉଛି।  ଜିଲ୍ଲାରେ ସରକାରୀ ବିହନ ଯୋଗାଣରେ କୌଣସି ସମସ୍ୟା ନଥିବା ଜିଲ୍ଲା କୃଷି ଶସ୍ୟ ସଂରକ୍ଷଣ ଅଧିକାରୀ ଶ୍ରୀଧର ଦାସ କହୁଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ। ଜିଲ୍ଲାର ବହୁ ଚାଷୀ ବିହନ ପାଇବାରୁ ବଞ୍ଚିତ ହେଉଛନ୍ତି। ହେକ୍ଟର ପିଛା ୪୦ କିଗ୍ରା ବିହନ ଆବଶ୍ୟକ ଥିବା ବେଳେ ଏଯାବତ୍ ମାତ୍ର ୪୭୦୦ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଛି। ଯାହା ସମୁଦ୍ରକୁ ଶଙ୍ଖେ। ବିହନ ନ ମିଳିଲେ ଚାଷୀ ଚାଷ କରିବ କିପରି ବୋଲି ବହୁ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାର ଅଧିକ ଧାନ ହେଉଥିବା କୋରେଇ, ଦଶରଥପୁର, ବଡ଼ଚଣା ଓ ବିଂଝାରପୁରର ଅନେକ ଚାଷୀ ସରକାରୀ ବିହନକୁ ଚାହିଁ ଚାହିଁ ନିରାଶ ହେଉଛନ୍ତି। ତେଣୁ ସରକାରୀ ପ୍ରଦତ୍ତ ବିହନ ବଣ୍ଟନ ରିପୋର୍ଟ ଅଧିକାଂଶ ସ୍ଥାନରେ କେବଳ କାଗଜକଲମରେ ସୀମିତ ବୋଲି କେତେକ କୃଷକନେତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର