ଜରା ନିବାସ ନାହିଁ, ଖର୍ଚ୍ଚ ହେଲାଣି ୪୦ ଲକ୍ଷ!

ଯାଜପୁର/ଦାନଗଦୀ/ବ୍ରହ୍ମବରଦା : ଯାଜପୁର ଜିଲ୍ଲାରେ ଦୁର୍ନୀତି କାୟା ବିସ୍ତାର କରି ଚାଲିଛି। ଭୂତ ରାସନ ଖାଉଛି, ଭୂତଙ୍କ ନାମରେ ଆବାସ, ଭୂତ ବି ଶ୍ରମିକ କାର୍ଡ ହାସଲ କରିବା ଖବର ଚର୍ଚ୍ଚା ହେଉଥିବା ‌ବେ‌ଳେ ଏବେ ଭୂତ ଜରାନିବାସର ସନ୍ଧାନ ମିଳିଛି। ନିରାଶ୍ରୟ ବରିଷ୍ଠ ନାଗରିକମାନଙ୍କୁ ଆଶ୍ରୟ ଦେବା ପାଇଁ ହୋଇଥିବା ଜରା ନିବାସରେ ଭୂତ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ। ଘର ନାହିଁ ତ ନାହିଁ ନିରାଶ୍ରୟ ଆଶ୍ରୟ ନେବେ କେଉଁଠି? ଅଥଚ ସରକାରୀ କାଗଜପତ୍ରରେ ଶତାଧିକ ବୃଦ୍ଧବୃଦ୍ଧା ଜରାନିବାସରେ ରହୁଛନ୍ତି। ସରକାର ମଧ୍ୟ ୨ବ‌ର୍ଷରେ ୪୦ ଲକ୍ଷ ଟଙ୍କା ବ୍ୟୟ କଲେଣି। ଯାହାକି ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ଏଭଳି ଠକେଇ ଲୋକଲୋଚନକୁ ଆସିବା ପରେ ସମ୍ପୃକ୍ତ ସଂସ୍ଥା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିବାଦ ଘେରକୁ ଟାଣି ହୋଇଆସିଛନ୍ତି।

ପ୍ରକାଶଥାଉକି, କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଅଧୀନରେ ଜୟନ୍ତୀ ପାଠାଗାର ନାମକ ଏକ ସଂସ୍ଥା ରସୁଲପୁର ବ୍ଲକ୍ ବନ୍ଧଡିହ ପଞ୍ଚାୟତର ସାହାପଡ଼ା (ବ୍ରହ୍ମବରଦା)ରେ ନିଃସହାୟ ବରିଷ୍ଠ ନାଗରିକକୁ ରଖିବା ପାଇଁ କରିଥିବା ଜରା ନିବାସରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି। ଏହି ଜରା ନିବାସରେ ୨ଜଣ ବୃଦ୍ଧା ଓ ଜଣେ ବୃଦ୍ଧ ମୋଟ ୩ଜଣ ରହୁଥିବାର ଆଜି ଦେଖିବାକୁ ମିଳିଛି। ୨୦୧୮-୧୯ ଓ ୨୦୧୯-୨୦ ମସିହାରେ ୩୭ଲକ୍ଷ ୮୦ହଜାର ୬୭୬ଟଙ୍କା ସରକାର ପ୍ରଦାନ କରିଛନ୍ତି। ସେହିପରି ଏହି ସଂସ୍ଥାର ଦାନଗଦୀ ବ୍ଲକ୍ ସଦର ମହକୁମାର ତ୍ରିଜଙ୍ଗାରେ ନାରାୟଣ ସାମଲଙ୍କ ଘରେ ଜରାନିବାସ ଚାଲିଥିବା ସରକାରଙ୍କୁ ଜଣାଇଛି। ଏଠାରେ ୫୦ଜଣ ଅନ୍ତେବାସୀ ଥିବାର ଦର୍ଶାଯାଇଛି। ମାତ୍ର ଏଠାରେ ସେପରି କିଛି ଜରାନିବାସ ହି ନାହିଁ। କିମ୍ବା କେ‌ହି ଜଣେ ହେଲେ ଲୋକ ନାହାନ୍ତି। ଜୟନ୍ତୀ ପାଠାଗାର ସମ୍ପାଦକ ସୁବ୍ରତ ସାହୁ କହନ୍ତି, ସାହାପଡ଼ାରେ ୨୫ଜଣ ବୃଦ୍ଧବୃଦ୍ଧା ରହୁଛନ୍ତି। ଏହି ଜରାନିବାସ ପାଇଁ ମଧ୍ୟ ସରକାରୀ ଅନୁଦାନ ପାଇଥିବା ସ୍ବୀକାର କରିଛନ୍ତି। ମାତ୍ର ଦାନଗଦୀ ବଦଳରେ ସେ ଯଖପୁରାରେ ଜରାନିବାସ କରିଛନ୍ତି। ଏଠାରେ କେ‌ବଳ ଆସବାବପତ୍ର ପାଇଁ ସରକାର ଅନୁଦାନ ଯୋଗାଇଛନ୍ତି। ଏଠାରେ ଏବେ ଅନ୍ତେବାସୀ ରହିବେ ବୋଲି ଶ୍ରୀ ସାହୁ କହିଛନ୍ତି। ଏ ବିଷୟରେ ମତାମତ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରାଇଥିଲେ ମଧ୍ୟ ତାଙ୍କ‌ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା।

ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର