ଯାଜପୁର : ଘାଇ ପାଇଁ ଦାୟୀ କିଏ?

୫ଶହ କୋଟି ଖର୍ଚ ହୋଇଥିବା ଡିଭିଜନରେ ୫ ଘାଇ, ୮୦କୋଟି ଖର୍ଚ୍ଚ ହୋଇଥିବା ଡିଭିଜନରେ ୨୫ଘାଇ

ଯାଜପୁର, (ସଂଗ୍ରାମ କେଶରୀ ସିଂହ) : ଯାଜପୁରରେ ଏବେ ଜଳ ହିଁ ଜଳ। ୨୦୧୧ମସିହା ପରେ ଜିଲ୍ଲାରେ ଦେଖା ଦେଇଛି ପ୍ରଳୟଙ୍କାରୀ ବନ୍ୟା। ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ଗୁଡ଼ିକରେ ଏକକାଳୀନ ବନ୍ୟା ଆସିଥିବାରୁ ଜିଲ୍ଲାର ସମସ୍ତ ୧୦ ବ୍ଲକ୍ ପ୍ରଭାବିତ। ବିଶେଷକରି ବ‌ୈତରଣୀ ପରେ ବ୍ରାହ୍ମଣୀର ବନ୍ୟା ଜିଲ୍ଲାର ୧୦ଲକ୍ଷ ଲୋକଙ୍କୁ ବିପଦ ମୁହଁକୁ ରାଜନେତାଙ୍କ ଛକାପଞ୍ଝା ଠେଲି ଦେଇଛି। ଗତମାସ ଶେଷ ସପ୍ତାହରେ ପ୍ରଥମେ ବୈତରଣୀ ଓ ତାର ଶାଖା କାଣୀ,ବୁଢା ନଦୀରେ ୫ଟି ଘାଇ ‌ହୋଇଛି। ସେହିପରି ବ୍ରାହ୍ମଣୀ ଓ ତାର ଶାଖା ଖରସ୍ରୋତା, କେଲୁଆ ନଦୀରେ ୨୫ଟି ଘାଇ ହୋଇଛି। ଏହାକୁ ଲକ୍ଷ୍ୟ କରି ପ୍ରଶ୍ନ ଉଠିଛି ଏକକାଳୀନ ୩୦ ଘାଇ ପାଇଁ ଦାୟୀ କିଏ?

ରାଜ୍ୟର ପ୍ରମୁଖ ୩ଟି ନଦୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ତାର ଶାଖା ନଦୀଗୁଡ଼ିକ ଜାଲ ପରି ଯାଜପୁର ଜିଲ୍ଲାକୁ ଘେରି ରହିଛନ୍ତି। ବିଗତ ବର୍ଷରେ ଭିନ୍ନ ଭିନ୍ନ ସମୟରେ ଏହି ନଦୀଗୁଡ଼ିକରେ ବନ୍ୟା ଆସୁଥିବାରୁ ବନ୍ୟା ଜଳ ଖେଳେଇ ହୋଇଯାଉଥିଲା। ଏଥର ସବୁ ନଦୀରେ ଏକକାଳୀନ ବନ୍ୟା ଆସିବାରୁ ପ୍ରଳୟ ସୃଷ୍ଟି କରିଛି। ଗତ ମାସ ୧୪ ଓ ୨୩ତାରିଖ ଲଘୁଚାପ ବର୍ଷା ଯୋଗୁଁ ବୈତରଣୀ, କାଣୀରେ ୨୭ତାରିଖରେ ଘାଇ ହୋଇଥିବାବେଳେ ୨୮ତାରିଖରେ ବ୍ରାହ୍ମଣୀ, ଖରସ୍ରୋତା, କେଲୁଅରେ ଘାଇଗୁଡ଼ିକ ଖୋଲିଯାଇଥିଲା। ୨ଦିନ ଭିତରେ ଏକକାଳୀନ ୩୦ଟି ଘାଇ ଜିଲ୍ଲାର ୧୦ବ୍ଲକ୍‌ର ୧୦ ଲକ୍ଷ ଲୋକଙ୍କୁ କବଳିତ କରିଦେଲା। ୨୦୧୪ ମସିହା ପରେ ବୈତରଣୀରେ ବଡ଼ ବନ୍ୟା ଆସିନଥିବା ବେଳେ ୨୦୧୧ ମସିହା ପରେ ବ୍ରାହ୍ମଣୀ ଓ ଖରସ୍ରୋତାରେ ଏପରି ବଡ଼ ବନ୍ୟା ଆସିନଥିଲା। ତେବେ ପ୍ରତି ବର୍ଷ ଶହଶହ କୋଟି ଟଙ୍କା ବନ୍ଧବାଡ଼ ପାଇଁ ଆସୁଛି। ସେ ବ୍ୟୟ ହେଉଛି କେଉଁଠି?

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଗତ ୫ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରେ ଦୁଇଟି ଜଳସମ୍ପଦର ଡିଭିଜନ ମଧ୍ୟରୁ ଯାଜପୁର ଡିଭିଜନକୁ ଆସିଛି ୫ଶହ କୋଟିରୁ ଅଧିକ ଟଙ୍କାର ଅନୁଦାନ। ସେହି ସମୟରେ ଜାରକାରେ ଥିବା ଅନ୍ୟ ଏକ ଡିଭିଜନକୁ ଆସିଛି ମାତ୍ର ୮୦କୋଟି ଟଙ୍କାରୁ କମ୍। ଏପରିକି ଏହି ଡିଭିଜନକୁ ନିର୍ବାହୀ ଯନ୍ତ୍ରୀ ଆସୁନାହାନ୍ତି। ଅନୁଦାନ ନଥିବାରୁ ଆସିଲେ ରହୁନାହାନ୍ତି। ମାର୍ଚ୍ଚ ମାସରୁ ନିର୍ବାହୀ ଯନ୍ତ୍ରୀ ପଦବି ଖାଲି ପଡ଼ିଥିଲା । ଘାଇ ହେବା ପରେ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଛନ୍ତି। ଏହି ପାତର ଅନ୍ତର ଓ ନେତାଙ୍କର ଖେଳ ହିଁ ଜିଲ୍ଲାର ଲକ୍ଷ ଲକ୍ଷ ଲୋଙ୍କ ପାଇଁ କାଳ ହୋଇଛି। ଯେଉଁ ଅନୁଦାନ ବି ଆସିଛି, ତାହା ଚାଷ କ୍ଷେତକୁ ଜଳସେଚନ କିମ୍ବା ଦୁର୍ବଳ ନଦୀବନ୍ଧ ମରାମତିରେ ବ୍ୟୟ ହେବା ଅପେକ୍ଷା ନେତାଙ୍କ ମର୍ଜିରେ ଠିକାଦାରଙ୍କୁ ଲାଭବାନ କରିବା ଭଳି କାର୍ଯ୍ୟରେ ବ୍ୟୟ ହେଇଛି ବୋଲି ସଙ୍ଗିନ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ, ଯ‌‌ାଜପୁର ସହର ମଧ୍ୟ ଦେଇଯାଇଥିବା ୨ଟି ମୁଖ୍ୟ କେନାଲ ରୁଢିଆରୁ କିଆନାଳି, କିଆନାଳିରୁ ସୁନ୍ଦରିଆମୁହଁ କେନାଲର ବିକାଶ ପାଇଁ ପ୍ରାୟ ୫୦କୋଟି ଟଙ୍କା ବ୍ୟୟ ହେଉଛି। ଏବେ ଯାଜପୁର ସହର ଦଶାଶ୍ବମେଧଘାଟ ନିକଟରେ ନୌକା ବିହାର ପାଇଁ ବ୍ୟାରେଜ କରାଯିବାର ପ୍ରସ୍ତାବ ରହିଛି। ଏଥିରେ ୨୩୬କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଯାହାକି ବନ୍ୟା ନିୟନ୍ତ୍ରଣରେ ଏହାର ସେପରି ବିଶେଷ ଭୂମିକା ନାହିଁ। ନେତାଙ୍କ ମର୍ଜିରେ ଜଳସେଚନ ବିଭାଗ‌ କୋଟିକୋଟି ଟଙ୍କା ଅପବ୍ୟୟ କରିଚାଲିଛି। ଅଥଚ ଜାରକା ଠାରେ ଥିବା ଡିଭିଜନକୁ ୨୦୧୭-୧୮,୨୦୧୮-୧୯ ଓ ୨୦୧୯-୨୦ ରେ ସରକାରୀ ଅନୁଦାନ ମାତ୍ର ୭୨କୋଟି ଆସିଛି। ଏହି ଡିଭିଜନରେ ଜିଲ୍ଲାର ୧୦ଟି ବ୍ଲକ୍ ମଧ୍ୟରୁ ୭ଟି ବରୀ, ରସୁଲପୁର, ଧର୍ମଶାଳା, ବଡ଼ଚଣା, ସୁକିନ୍ଦା, କୋରେଇ, ଦାନଗଦୀ ରହିଛି। ଚଳିତ ବର୍ଷା ବନ୍ୟାରେ ବରୀ ଓ ରସୁଲପୁରରେ ଭୟଙ୍କର ବନ୍ୟା ବିପତ୍ତି ଦେଖା ଦେଇଛି। ନଦୀବନ୍ଧରେ ମୂଷା ଗାତ କରିଦେଲେ ବୋଲି ଘଳିଆ ପଡ଼ି ବନ୍ୟା ହେଲା ବୋଲି ଜିଲ୍ଲାର ଜଣେ ଦାୟିତ୍ବବାନ ପ୍ରଶାସକ ଦାୟିତ୍ବହୀନ ମନ୍ତବ୍ୟ ଦେଇ ଗଣମାଧ୍ୟମରେ ସମା‌ଲୋଚିତ ହୋଇଛନ୍ତି। ଜଳସମ୍ପଦ ବିଭାଗର ବନ୍ୟା ନିୟନ୍ତ୍ରଣ ଯୋଜନା ଯାଜପୁର ଭଳି ବନ୍ୟା ପ୍ରଭାବିତ ଜିଲ୍ଲାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ସ୍ବର ତୀବ୍ର ହେବାରେ ଲାଗିଛି।

ସମ୍ବନ୍ଧିତ ଖବର