ପୂର୍ବର ସବୁ ପାସ୍ ଅକାମୀ, ଦୋକାନ, ବଜାର ବନ୍ଦ
ସରପଞ୍ଚଙ୍କୁ ଧରି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଖୋଜାଯିବ
ନମୁନା ଯାଞ୍ଚ ହେବ, ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର : ଯେଉଁ ଉପାୟ ଅବଲମ୍ବନ କରି ରାଜଧାନୀ ଭୁବନେଶ୍ବରରେ ରାଜ୍ୟ ସରକାର କରୋନାକୁ ଆୟତ୍ତ କରିଛନ୍ତି, ସମାନ ସୂତ୍ର ଆଜି ଯାଜପୁର, ବାଲେଶ୍ବର ଓ ଭଦ୍ରକ କ୍ଷେତ୍ରରେ ପ୍ରୟୋଗ କରାଯାଇଛି। ଆଜି ରାତି ୧୦ଟାରୁ ଏହି ତିନି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ କରାଯାଇଛି। ଅର୍ଥାତ ୨୬ ତାରିଖ ସକାଳ ୧୦ଟା ଯାଏ ଏହି ତିନି ଜିଲ୍ଲାରେ କର୍ଫ୍ୟୁ ଭଳି ସ୍ଥିତି ରହିବ। ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା କରିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ମୁଖ୍ୟସଚିବ କହିଛନ୍ତି, ଭୁବନେଶ୍ବରରେ ୪୮ ଘଣ୍ଟିଆ ସଟ୍ଡାଉନ୍ ପରେ ବଡ଼ ସଫଳତା ମିଳିଥିଲା। ୧୪ ତାରିଖ ପରଠାରୁ ଭୁବନେଶ୍ବରରେ ଆଉ କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏବେ କିଛିଦିନ ହେଲା ଯେଉଁ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେସବୁ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର। ଏବେ ସୁଦ୍ଧା ୨୭ ଜଣ ସଂକ୍ରମିତ ଏହି ଅଞ୍ଚଳରୁ ଚିହ୍ନଟ ହେଲେଣି। ସରକାରଙ୍କୁ ଏହା ଚିନ୍ତାରେ ପକାଇଛି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ତିନିଜଣ ନିର୍ଦେଶକଙ୍କୁ ପଠାଯାଇଥିଲା।। ଏବେ ଆଉ ତିନିଜଣ ଆଇଏଏସ୍ ଅଫିସରଙ୍କୁ ଏହି ତିନି ଜିଲ୍ଲାକୁ ପଠାଯାଇଛି। ତିନି ଜିଲ୍ଲାରେ ଅଧିକରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରିବା ଓ ବାହାରୁ ଆସିଥିବା ଲୋକଙ୍କୁ ନେଇ ସଙ୍ଗରୋଧରେ ରଖିବା ଭଳି କାର୍ଯ୍ୟକୁ ଏବେ ତ୍ବରାନ୍ବିତ କରିବାକୁ ହେବ।
ପଶ୍ଚିମବଙ୍ଗ ସୀମାରୁ ଆସୁଥିବା ଲୋକ ଏହି ତିନି ଜିଲ୍ଲାପାଇଁ ବିପଦର କାରଣ ହୋଇଛନ୍ତି ବୋଲି ସୂଚାଇ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଏବେ ସେ ଅଞ୍ଚଳରେ ୨୭ ପ୍ଲାଟୁନ୍ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ବୁଧବାର ପୁଲିସ ମହାନିର୍ଦେଶକ ଯାଇ ସରଜମିନ୍ ଅନୁଧ୍ୟାନ କରି ଆସିଛନ୍ତି। ଏବେ ସରକାର କର୍ଫ୍ୟୁ ଭଳି କଟକଣା କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ସଟ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ୬୦ ଘଣ୍ଟା ଭିତରେ ବ୍ୟାପକ ଯାଞ୍ଚ କରିବାକୁ ଯୋଜନା କରିଛନ୍ତି। ସରପଞ୍ଚମାନଙ୍କୁ ଆୟୁଧ କରି ସମ୍ପୂର୍ଣ୍ଣ ଅଞ୍ଚଳରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସରକାର ଚିହ୍ନଟ କରିବେ ବୋଲି ମୁଖ୍ୟସଚିବ କହିଛନ୍ତି। ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସ୍ୱଇଚ୍ଛାରେ ଆସି ତଥ୍ୟ ଦେବାକୁ ସରକାର ଆହ୍ୱାନ ଦେବା ସହିତ ସତର୍କ କରାଇଛନ୍ତି; ଯଦି କେହି ନ ଆସନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପଛଘୁଞ୍ଚା ଦେବେ ନାହିଁ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ୬୦ ଘଣ୍ଟା ମଧ୍ୟରେ ୧୩ଟି କ୍ଷେତ୍ରକୁ ବାଦ୍ ଦେଲେ ଅନ୍ୟ ସବୁ କ୍ଷେତ୍ରରେ ଶତ ପ୍ରତିଶତ କଟକଣା ଜାରି କରାଯାଇଛି। ଏହି ସଟ୍ଡାଉନ୍ ସମୟରେ ଜରୁରୀକାଳୀନ ସେବା ଯଥା ମେଡିକାଲ କାମ ଛଡ଼ା ଆଉ ଅନ୍ୟ କୌଣସି କାମରେ କେହି ବାହାରକୁ ବାହାରି ପାରିବେନି। କିଛି ଔଷଧ ଦୋକାନ ଖୋଲା ରହିବା ଛଡ଼ା ଆଉ ସମସ୍ତ ଦୋକାନ ଏବଂ କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ସମୟରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ।
ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଚଳାଚଳକୁ ଅନୁମତି ମିଳିବ। ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ବିଭାଗର ସଚିବ ଯେଉଁ ଟେଲିକମ୍ ସେବାକୁ ଅନୁମତି ଦେବେ, କେବଳ ସେ ହିଁ ଗତାଗତ କରିପାରିବେ। ସେହିଭଳି ଜିଲ୍ଲା ପ୍ରଶାସନ ଯେଉଁ ପେଟ୍ରୋଲ ଟାଙ୍କିକୁ ଖୋଲିବାକୁ ଅନୁମତି ଦେବେ, କେବଳ ସେ ହିଁ ଖୋଲିବେ। ରେଳବାଇ ଓ ବନ୍ଦରକୁ ମାଲ୍ ପରିବହନ ଜାରି ରହିବ ଏବଂ ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି, କୋଭିଡ୍-୧୯ ପରିଚାଳନା ସହ ସଂପୃକ୍ତ କଲ୍ ସେଣ୍ଟରକୁ ଅନୁମତି ଦିଆଯିବ। ସେହିପରି ଜଳଯୋଗାଣ, ପରିମଳ, ସ୍ବେରେଜ୍, ବିଦ୍ୟୁତ ଯୋଗାଣ, ସରକାରଙ୍କ ଦ୍ବାରା ଚିହ୍ନଟ ଔଷଧ ଦୋକାନ, ମାଲ୍ ପରିବହନ ଯାନବାହନ ଖୋଲାରହିବ।
ପୂର୍ବରୁ ଯେଉଁ ପାସ୍ ଏସବୁ ଜିଲ୍ଲା ପ୍ରଶାସନ ଦେଇଛନ୍ତି, ତାହାକୁ ସରକାର ଏହି ୬୦ଘଣ୍ଟା ପାଇଁ ବାତିଲ୍ କରିଦେଇଛନ୍ତି। ଅର୍ଥାତ୍ ଏସବୁ ଅକାମୀ ହୋଇଯାଇଛି। ସଂପୃକ୍ତ ବ୍ୟକ୍ତି ବାହାରକୁ ବାହାରିପାରିବେ ନାହିଁ। ଏସବୁର ଉଲ୍ଲଂଘନ କଲେ ସରକାର ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଓ ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଦଫାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟସଚିବ ସ୍ପଷ୍ଟ କରିଦେଇଛନ୍ତି।
ଅନ୍ୟପକ୍ଷରେ ତିନିଟି ଜିଲ୍ଲାରେ ରାଜ୍ୟ ସରକାରଙ୍କ ଏହି ସଟ୍ଡାଉନ୍ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଏହି ସମୟରେ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ସହଯୋଗ କରିବା ସହ ଘରୁ ନ ବାହାରିବାକୁ ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bdk.jpg)