ଯାଜପୁର: ବିଜେଡିର ଯାଜପୁର ଜିଲ୍ଲାସ୍ତରୀୟ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଗତକାଲି ବିଜେଡିର କିଛି ତୁଙ୍ଗ ନେତାଙ୍କ ଅନୁପସ୍ଥିତିକୁ ନେଇ ଦଳର ମତଭେଦ ପଦାରେ ପଡ଼ିଛି। ଖୋଲା ମଞ୍ଚରେ ପ୍ରଣବ ପ୍ରକାଶ ଦାସ (ବବି) ଯାଜପୁର ବିଜେଡି ଏବେ ଏକାଠି ବୋଲି କହିଥିବାବେଳେ ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, କୋରେଇର ପୂର୍ବତନ ବିଧାୟକ ଅଶୋକ ବଳ, ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ସହିତ ନିଜ ନିର୍ବାଚନମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ନେଇ ଯାଜପୁର ବିଜେଡି ଏବେ ଭିନ୍ନେ ହୋଇଗଲାଣି ବୋଲି ଚର୍ଚ୍ଚା ହେଉଛି। ଯାଜପୁର ବିଜେଡି କହିଲେ ବବି-ଜିତୁ-ଡାନିକୁ ବୁଝାଏ ବୋଲି ବବି କହିବା ପରେ ଅମର-ଅଶୋକ-ସୁନନ୍ଦା କେଉଁ ଦଳର ବୋଲି ତାଙ୍କ ସମର୍ଥକମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଗତକାଲି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରୁ ଦୂରେଇ ରହିବା ପ୍ରସଙ୍ଗରେ ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ଓ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ମୁହଁ ଖୋଲିଛନ୍ତି। ଶ୍ରୀ ଶତପଥୀ ଦଳୀୟ କାର୍ଯ୍ୟକ୍ରମରୁ ଏବେ ସାମୟିକ ନିବୃତ୍ତ ଥିବା କହିଛନ୍ତି। ହେଲେ ସେ ସକ୍ରିୟ ରାଜନୀତିରେ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ସୁନନ୍ଦାଙ୍କ ସ୍ବାମୀ ଶ୍ରୀ ଦାସ ତୃଣମୂଳସ୍ତରର ନେତାଙ୍କର ବିଜେଡିରେ ସ୍ଥାନ ନାହିଁ ବୋଲି କହିଛନ୍ତି। ବରୀ ଲୋକଙ୍କ ସହିତ ସେ ଅଛନ୍ତି। ୫ବର୍ଷ ବରୀ ଲୋକମାନଙ୍କର ସେବା କରିଥିଲେ। ଦଳୀୟ ଶୃଙ୍ଖଳା ଭିତରେ କାମ କରିବା ସତ୍ତ୍ବେ ତାଙ୍କୁ ଅଣଦେଖା କରାଯାଇଥିଲା। ଆଗାମୀ ଦିନରେ ତାଙ୍କର ଆଭିମୁଖ୍ୟ କ’ଣ ରହିବ; ପରେ ସେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଦାସ କହିଛନ୍ତି। 

Advertisment

ବବି କହିଲେ ଆମେ ଏକାଠି, 
ଦୂରେଇ ରହିଲେ ଅମର-ଅଶୋକ-ସୁନନ୍ଦା 
କାର୍ଯ୍ୟକ୍ରମରୁ ସାମୟିକ ନିବୃତ୍ତ ଅଛି: ଅମର

ପ୍ରକାଶଥାଉକି, ଦଳୀୟ ସଦସ୍ୟତା କାର୍ଯ୍ୟକ୍ରମକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଭୟ ଦଳର ନେତାମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ଗତ ୨୯ ତାରିଖରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପିର ସଦସ୍ୟତା ଅଭିଯାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଂଝାରପୁର ନେତ୍ରୀ ବବିତା ମଲ୍ଲିକ, ବରୀର ଉମେଶ ଜେନା ଯୋଗ ଦେଇ ବିଜେପିର ଶକ୍ତି ପ୍ରଦର୍ଶନ କରିଥିଲେ। ଗତକାଲି ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନରେ ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ (ଡାନି), ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ।