ଯାଜପୁରରେ ବିଜେଡି ,ବିଜେପି ଏବଂ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ !

ଭୁବନେଶ୍ୱର  (ସୁବ୍ରତ ଦାସ) : ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ଉଠୁଛି ପଡୁଛି। ଆଉ ଦୁଇ ଦିନ ପରେ ଏଠି ଭୋଟ। ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏଠି ଘମାଘୋଟ ଲଢେଇ ଚାଲିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଇତିମଧ୍ୟରେ ପ୍ରଚାର କରିସାରିଥିବା ବେଳେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ବଡ଼ଚଣାଠାରେ ପଥପ୍ରାନ୍ତ ସଭାରେ ଶୁକ୍ରବାର ଦିନ ଉଦ୍‌ବୋଧନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିବା ବେଳେ ଶନିବାର ଦିନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୁକିନ୍ଦାଠାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

୨୦୧୪ ନିର୍ବାଚନରେ ୩.୨ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ରୀତା ତରାଇଙ୍କୁ ଏଥର ଶାସକ ବିଜୁ ଜନତା ଦଳ ବଦଳାଇ ତାଙ୍କ ସ୍ଥାନରେ ପୂର୍ବତନ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଗତଥରର ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକଙ୍କୁ ପୁଣି ଛିଡ଼ା କରାଇଛି। କଂଗ୍ରେସ ଗତଥରର ପ୍ରାର୍ଥୀ ଅଶୋକ ଦାସଙ୍କୁ ବଦଳାଇ ସମାଜସେବୀ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି।

ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଗତ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସର ଗଡ଼ ଥିଲା। ୧୯୫୨ ମସିହାଠାରୁ ୧୯୯୮ ମସିହା ପର୍ଯ୍ୟନ୍ତ କଂଗ୍ରେସ ଲଗାତାର ସାତଥର ଜିତିଥିଲା। ତେବେ ୧୯୯୯ ମସିହାରେ ବିଜୁ ଜନତା ଦଳର ଜଗନ୍ନାଥ ମଲ୍ଲିକ ଏହାକୁ କଂଗ୍ରେସଠାରୁ ଛଡ଼ାଇ ଆଣିଥିଲେ। ସେଦିନଠାରୁ ଏହା ବିଜୁ ଜନତା ଦଳ ହାତରେ ରହିଛି।

ସେହିପରି ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟିଯାକ ବିଧାନସଭା ଆସନ ବିଜୁ ଜନତା ଦଳର ଅକ୍ତିଆରରେ ରହିଥିଲା। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ସାତୋଟି ବିଧାନସଭା ଆସନ ମଧ୍ୟରୁ ଦୁଇଟିରେ ପ୍ରାର୍ଥୀ ବଦଳାଇ ଦେଇଛନ୍ତି। ବରୀ ବିଧାନସଭା ଆସନରେ ୨୦୦୦ ମସିହାରୁ ଜିତି ଆସୁଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ବଦଳାଇ ଏଥର ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କୋରେଇ ବିଧାୟକ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକଙ୍କ ସ୍ଥାନରେ ଦଳୀୟ ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ ରୂପେ ଛିଡ଼ା କରାଯାଇଛି। ଅନ୍ୟ ୫ ଜଣ ବିଧାୟକ-ପ୍ରମିଳା ମଲ୍ଲିକ (ବିଂଝାରପୁର), ଅମର ପ୍ରସାଦ ଶତପଥୀ (ବଡ଼ଚଣା), ପ୍ରଣବ ବଳବନ୍ତରାୟ (ଧର୍ମଶାଳା), ପ୍ରଣବ ପ୍ରକାଶ ଦାସ (ଯାଜପୁର) ଏବଂ ପ୍ରୀତିରଂଜନ ଘଡ଼େଇ (ସୁକିନ୍ଦା) ପୁଣି ଥରେ ପ୍ରାର୍ଥୀ ରୂପ ମନୋନୀତ ହୋଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ବିଂଝାରପୁର ଆସନରେ ଗତଥରର କଂଗ୍ରେସ ପ୍ରାର୍ଥୀ ବବିତା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ବଡ଼ଚଣାରେ ଗତଥର ୨୬,୨୬୦ ଖଣ୍ଡ ଭୋଟ ପାଇଥିବା ସ୍ୱାଧୀନ ପ୍ରାର୍ଥୀ ଅମର ନାୟକଙ୍କୁ ଏଥର ପ୍ରାର୍ଥୀ ରୂପେ ବାଛିଛି। କୋରେଇର ଗତଥର କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ନାୟକ ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ଚାରୋଟି ଆସନରେ (ବରୀ, ଧର୍ମଶାଳା, ଯାଜପୁର ଏବଂ ସୁକିନ୍ଦା)ରେ ଭାଜପା ଏଥର ନୂଆ ମୁହଁ ଦେଇଛି।

କଂଗ୍ରେସ ସୁକିନ୍ଦାରେ ଶରତ ରାଉତଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ ଯାଜପୁରରେ ଗତଥରର ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କୁ ପୁଣି ପ୍ରାର୍ଥୀ ରୂପେ ବାଛିଛି। ଅନ୍ୟ ପାଞ୍ଚୋଟି ଆସନରେ ନୂଆ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି।

ସମ୍ବନ୍ଧିତ ଖବର