ଯାଜପୁର: ଯାଜପୁରରେ ଦୀର୍ଘ ୨୫ ବର୍ଷର ବିଜେଡି ଗଡ଼ ଭାଙ୍ଗି ଚୂରମାର ହୋଇଛି। ଗତ ସାଧାରଣ ନିର୍ବାଚନରେ ୭ଟି ବିଧାନସଭା ଆସନରୁ ୪ଟି ଆସନ ଓ ଲୋକସଭା ଆସନ ହାତରୁ ଖସିଯିବା ପରେ ଏବେ ତୃଣମୂଳସ୍ତରରୁ ବିଜେଡି ସଂଗଠନ ଭୁଶୁଡ଼ିବା ଆରମ୍ଭ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା ଓ ଉପସଭାପତି ଗଣେଶ୍ବର ବରାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ତେବେ ନିଲମ୍ବନର ମାତ୍ର କେଇ ଘଣ୍ଟା ଭିତରେ ବିଜେଡିକୁ ଝଟକା ଦେଇଛନ୍ତି ଦୁଇ ନିଲମ୍ବିତ ସଭାପତି ଓ ଉପସଭାପତି। ସାଥିରେ ୧୮ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି। ମିଶ୍ରଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିବା ଜାଣିବା ପରେ ବିଜେଡି ତରବର ହୋଇ ନିଲମ୍ବିତ କରିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି।

Advertisment

PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ

ସାମିଲ ହେଲେ ୨୦ ଜିଲ୍ଲା ପରିଷଦ ସଦସ୍ୟ, ପୂର୍ବତନ ସାଂସଦ ଓ ବ୍ଲକ୍‌ ଅଧ୍ୟକ୍ଷ

ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଜେନା ନିଲମ୍ବନ ଆଗରୁ ତାଙ୍କର ଇସ୍ତଫାପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇ ସମସ୍ତଙ୍କୁ ଚକିତ କରିଛନ୍ତି। ନିଲମ୍ବନ ପରେ ଉଭୟ ସଭାପତି ଓ ଉପସଭାପତି ସେମାନଙ୍କ ଅସନ୍ତୋଷ ଝାଡ଼ିଛନ୍ତି। ଜିଲ୍ଲା ପରିଷଦ ସଭାପତିି ଶ୍ରୀମତୀ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ଜିଲ୍ଲା ପରିଷଦ ସଭାପତି ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ ବି ତାଙ୍କୁ ଅବହେଳା କରାଯାଉଥିଲା। ଜିଲ୍ଲାର ଶୀର୍ଷ ନେତୃତ୍ବ ତାଙ୍କ କଥାକୁ ଗୁରୁତ୍ବ ଦେଉନଥିଲେ। ଦଳରେ ଅସହାୟ ଓ ଅଣନିଶ୍ବାସୀ ଅନୁଭବ କରି ସେ ନିଜ ଆଡ଼ୁ ଆଜି ଇସ୍ତଫା ଦେଇଛନ୍ତି। ନିଲମ୍ବନ ସଂପର୍କରେ ଉପସଭାପତି ଶ୍ରୀ ବରାଳ କହିଛନ୍ତି, ଦଳର ଏକ କୋଟେରି ଗୋଷ୍ଠୀ ସାଙ୍ଘାତିକ ଷଡ୍‌ଯନ୍ତ୍ର କରୁଛନ୍ତି। ଯେଉଁଥିରେ ଜିଲ୍ଲାର ପ୍ରମୁଖ ନେତୃତ୍ବ ସାମିଲ ଅଛନ୍ତି‌। ଆଜିର ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ରୀତା ତରାଇ, ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ ରାଉତ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ପୂର୍ବରୁ ଧର୍ମଶାଳା ଓ ବରୀ ବ୍ଲକ୍‌ ଅଧ୍ୟକ୍ଷ ବିଜେପିରେ ଯୋଗ ଦେଇସାରିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦଙ୍କ ସଦସ୍ୟଙ୍କ ଯୋଗଦାନ ବିଶେଷ ଗୁରୁତ୍ବ ବହନ କରୁଛି।

Business : ବଢ଼ୁଛି ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬

ଭୁବନେଶ୍ବରରେ ଆଜି ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବରେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମହାନ୍ତି ଓ ଜୟଶ୍ରୀ ସାମଲ, ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ଜିଲ୍ଲା ପରିଷଦ ସଦସ୍ୟ ସୁଧାଂଶୁ ସାହୁ, ସ୍ମୃତିରେଖା ବେହେରା, ଚକ୍ରଧର ବେହେରା, ମମତା ଖୁଣ୍ଟିଆ, କୋ‌ରେଇ ନିର୍ବାଚନମଣ୍ଡଳୀରୁ ଜିଲ୍ଲା ପରିଷଦ ସଦସ୍ୟ ଶିଶିର ମହାନ୍ତି ଓ ଶଶୀରେଖା ପୃଷ୍ଟି, ବରୀ ନିର୍ବାଚନମଣ୍ଡଳୀରୁ ଜିଲ୍ଲା ପରିଷଦ ସଦସ୍ୟ ଭାରତୀ ବିଶ୍ବାଳ ଓ ବିନୋଦ କୁମାର ମାଝୀ, ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ଜିଲ୍ଲା ପରିଷଦ ସଦସ୍ୟ ଟିନା ହାଇବ୍ରୁ, ସାମନ୍ତିରାଣୀ ରାଉତ, ପ୍ରତାପ ପଟ୍ଟନାୟକ ଓ ସାଧୁଚରଣ ତିଉ ମିଶିଛନ୍ତି। ସୂଚନାଯୋଗ୍ୟ, ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ଏକାକୀ ଯାଜପୁର ଜିଲ୍ଲା ପରିଷଦ ଦଖଲ କରିଥିଲା। କୋରେଇ ବ୍ଲକ୍‌ର ୩ ନଂବର ଜୋନ୍‌ରୁ ନିର୍ବାଚିତ ହୋଇଥିବା ଶ୍ରୀମତୀ ଜେନା ନିର୍ଦ୍ବନ୍ଦ୍ବରେ ଜିଲ୍ଲା ପରିଷଦ ସଭାପତି ଏବଂ ବଡ଼ଚଣା ବ୍ଲକ୍‌ର ୧୭ ନଂବର ଜୋନ୍‌ରୁ ନିର୍ବାଚିତ ହୋଇଥିବା ଶ୍ରୀ ବରାଳ ଉପସଭାପତି ହୋଇଥିଲେ।