ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀକନ୍ଦଳ : ଯାଜପୁର କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ବିଜେପିର ରାଜ୍ୟ କାର୍ଯ୍ୟାଳୟ‌ରେ ଦେଖାଦେଇଥିବା ଏକ ଅଭାବନୀୟ ଘଟଣା ଦଳ ଭିତରର ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଛି। ଧାରଣା ଦେବାକୁ କେନ୍ଦ୍ର କରି ଦୁଇ ଯୁବଗୋଷ୍ଠୀ ମାରପିଟ୍‌ ହେବାରୁ ଦଳୀୟ କାର୍ଯ୍ୟାଳୟ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା। ଯାଜପୁରର ବିଞ୍ଝାରପୁର ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନାଙ୍କୁ ମାଡ଼ ମରାଯିବା ସହ ହତ୍ୟା ଧମକ ଦିଆଯାଇଥିବାରୁ ଭୟରେ ସେ ଆତ୍ମଗୋପନ କରିଛନ୍ତି। ଅପରପକ୍ଷେ ଏହି ଗଣ୍ଡଗୋଳରେ ଆହତ ହୋଇଥିବା ଯାଜପୁର ଯୁବମୋର୍ଚ୍ଚାର ସତ୍ୟରଞ୍ଜନ ମିଶ୍ରଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ଦୁହିଁଙ୍କ ବ୍ୟତୀତ ଅନ୍ୟ କିଛି ଯାଜପୁର ବିଜେପି ଯୁବକର୍ମୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଇଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। ଗତକାଲି ଘଟିଥିବା ଏହି ଘଟଣାକୁ ଚାପି ଦେବାକୁ ଯଥାସାଧ୍ୟ ଉଦ୍ୟମ କରାଯାଇଥିଲେ ମଧ୍ୟ ଶ୍ରବଣଙ୍କ ଏତଲା ଏହା ଉପରୁ ପରଦା ଉଠାଇଛି।

ସୂଚନା ମୁତାବକ, ଦଳରେ ଅବହେଳା କରାଯାଉଥିବା ଅଭିଯୋଗ କରି ଯାଜପୁର ଜିଲ୍ଲାର ପୂର୍ବତନ ଜୋନ୍‌ ସଭାପତିମାନେ ରାଜ୍ୟ ପାର୍ଟି ଅଫିସ୍‌ରେ ଧାରଣାରେ ବସିଥିଲେ। ତାଙ୍କୁ ଭେଟି ସମର୍ଥନ ଜଣାଇବା ପାଇଁ ବିଞ୍ଝାରପୁର ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାରଙ୍କ ସହ ଅନ୍ୟ କିଛି କର୍ମୀ ଗତକାଲି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପରିସ୍ଥିତି କ୍ରମଶଃ ଜଟିଳ ହେବାରୁ ଭୁବନେଶ୍ୱର ବିଜେପିର କର୍ମୀମାନେ ସେମାନଙ୍କୁ ଧାରଣା ଦେବାକୁ ବାରଣ କରିଥିଲେ। କିନ୍ତୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଯାଜପୁରର କର୍ମୀମାନେ ଜିଦ୍‌ରେ ଅଟଳ ରହିବାରୁ ସେମାନଙ୍କ ମଧ୍ୟ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା। ଭୁବନେଶ୍ବରର ବିଜେପି କର୍ମୀମାନେ ଗୋଡ଼େଇ ଗୋଡ଼େଇ ଯାଜପୁର କର୍ମୀମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେବେ ଏ ସଂପର୍କରେ ଦଳ ପକ୍ଷରୁ ମତାମତ ସଂଗ୍ରହ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର