ଯାଜପୁର ଜିଲ୍ଲା ବିଜେପିରେ ବିଦ୍ରୋହ : ପୂର୍ବତନ ମଣ୍ଡଳ ସଭାପତିଙ୍କ ଧାରଣା

ଭୁବନେଶ୍ବର : ଯାଜପୁର ଜିଲ୍ଲା ବିଜେପିରେ ବିଦ୍ରୋହ ଦେଖାଦେଇଛି। ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ନେଇ ପୁରୁଣା ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କିଛି ପୂର୍ବତନ ମଣ୍ଡଳ ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ଗତକାଲି ଠାରୁ ଧାରଣାରେ ବସିଛନ୍ତି। ସେମାନଙ୍କୁ ଅଗଣତାନ୍ତ୍ରିକ ଭାବେ ବିତାଡ଼ିତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁଯାୟୀ ଗଣତାନ୍ତ୍ରିକ ପଦ୍ଧତ୍ତିରେ ଏହି ମଣ୍ଡଳ ସଭାପତିମାନେ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ସେମାନେ ଦଳ ପାଇଁ କାମ କରି ସଫଳତା ଆଣିଥିଲେ। କିନ୍ତୁ ନିର୍ବାଚନ ପରେ ଅନ୍ୟ ଦଳରୁ ଆସିଥିବା ଜଣେ ବ୍ୟକ୍ତି ହଠାତ ଜିଲ୍ଲାର ସର୍ବେସର୍ବା ବନିଗଲେ। ଫଳରେ ତତ୍‌କାଳୀନ ଜିଲ୍ଲା ସଭାପତି ଓ ଅନ୍ୟ ମଣ୍ଡଳ ସଭାପତିମାନେ କିଛି ଦାୟିତ୍ବରେ ଅଛନ୍ତି ବୋଲି ଅନୁଭବ କରିପାରିଲେ ନାହିଁ। ହଠାତ ଜିଲ୍ଲା ସଭାପତିଙ୍କୁ ଅନ୍ତର କରାଯାଇ ନୂଆ ସଭାପତି ଭାବେ ସେହି ବ୍ୟକ୍ତିଙ୍କୁ ଦାୟିତ୍ବ ଦିଆଗଲା। ଏହା ପରେ ଅଗଣତାନ୍ତ୍ରିକ ଭାବେ ୨୯ ଜଣ ମଣ୍ଡଳ ସଭାପତିଙ୍କୁ ବାହାର କରିଦିଆଗଲା। ଏହାର ସମାଧାନ କରି ଦଳରେ ଶୃଙ୍ଖଳା ଫେରାଇ ଆଣିବାକୁ ଦଳର ରାଜ୍ୟ ନେତୃତ୍ବ ଠାରୁ ଆରମ୍ଭ କରି କେନ୍ଦ୍ର ନେତୃତ୍ବ ପର୍ଯ୍ୟନ୍ତ ସମସ୍ତଙ୍କୁ କୁହାଯାଇଥିଲେ ବି କିଛି ସୁଫଳ ମିଳିଲା ନାହିଁ। ବର୍ତ୍ତମାନ ଜିଲ୍ଲାରେ କୌଣସି ଦଳୀୟ କାର୍ଯ୍ୟକ୍ରମ ଓ ସଂଗଠନ ଆଦି ହେଉ ନାହିଁ। ଏମିତି ଜାରି ରହିଲେ ଆଗାମୀ ଦିନରେ ଦଳ ବିଫଳତାର ସାମ୍ନା କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର