ଯାଜପୁରସଦର: ଅନିଶ୍ଚିତତା ମଧ୍ୟରେ ଯାଜପୁର ସହରରେ କୋଟି କୋଟି ଟଙ୍କାର ପ୍ରକଳ୍ପ। ଦଳୀୟ ଟଣାଓଟରା, ଆରୋପ ପ୍ରତ୍ୟାରୋପ ମଧ୍ୟରେ ଛନ୍ଦି ହୋଇପଡ଼ିଛି ଏକାଧିକ ପ୍ରକଳ୍ପର ଭବିଷ୍ୟତ। ପୂର୍ବ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ସହରର କିଛି ପ୍ରକଳ୍ପ ଏବେ ସଂପୂର୍ଣ୍ଣ କରିବାକୁ ସରକାରୀ କଳ ପକ୍ଷରୁ ଆଗ୍ରହ ପ୍ରକାଶ ପାଉନି। ଦଳୀୟ କନ୍ଦଳ ଭିତରେ ସହରବାସୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଫଳରେ ସହର ବିକାଶ ଦିଗହରା ହୋଇପଡ଼ିଛି।
ଯାଜପୁର ସହର ବିକାଶ ପାଇଁ ପୂର୍ବତନ ବିଧାୟକ ତଥା ବିଜେଡି ସରକାର ବହୁ ବ୍ୟୟବହୁଳ ପ୍ରକଳ୍ପ ମଞ୍ଜୁର କରିଥିଲେ। କିନ୍ତୁ ସରକାର ବଦଳିବା ପରେ ଏହି ପ୍ରକଳ୍ପ ଅଧାରେ ରହି ଯାଇଛି। କେବଳ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟ କୌଣସି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉନି। ମେଡିକାଲ କଲେଜ ସଂଲଗ୍ନ ଅଞ୍ଚଳରେ ଆରଏମ୍ସି ସହଯୋଗରେ ୧୦୦ ବ୍ୟବସାୟିକ ଘର ନିର୍ମାଣ କରାଯାଇଥିଲା। ଯାହା ଆବଣ୍ଟିତ ହେବା ବଦଳରେ ଦୁଇବର୍ଷ ହେଲା ପଡ଼ିରହି ଭୂତକୋଠି ପାଲଟିଲାଣି। ଏହାକୁ ଆବଣ୍ଟନ କଲେ ବହୁ ବ୍ୟବସାୟୀ ଲାଭବାନ ହେବା ସହିତ ସହରବାସୀ ଗୋଟିଏ ସ୍ଥାନରୁ ସବୁ ସାମଗ୍ରୀ କ୍ରୟ କରିପାରନ୍ତେ। କିନ୍ତୁ ଦଳୀୟ କନ୍ଦଳ ଭିତରେ ତାହା ଏଯାବତ୍ ବଣ୍ଟନ ହୋଇପାରୁନାହିଁ।
ସେହିପରି ନିର୍ମାଣାଧୀନ ଆରଏମ୍ସି ମାର୍କେଟ କମ୍ପେକ୍ସ ଗୃହ ଆବଣ୍ଟନଜନିତ ସମସ୍ୟାରେ ଜଡ଼ିତ ହୋଇଛି। ଏଥିପାଇଁ ୪୦ରୁ ଊର୍ଦ୍ଧ୍ବ ଗୃହରେ ତାଲା ଝୁଲୁଛି। ଖାଲି ସେତିକି ନୁହେଁ, ମେଡିକାଲ କଲେଜ ସଂଲଗ୍ନ ମୁଖ୍ୟ କେନାଲ କଡ଼ରେ ନିର୍ମାଣାଧୀନ ପ୍ରାତଃଭ୍ରମଣ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ ନ ହୋଇ ନଷ୍ଟ ହେବାକୁ ବସିଛି। ବରାହ ନିକଟରେ ଶିବା ପ୍ରକଳ୍ପ ଓ ହେରିଟେଜ୍ ପାର୍କ ଏବଂ ଗ୍ରାମୀଣ ବଜାର ନିର୍ମାଣ ଅଧାପନ୍ତରିଆ ଭାବେ ରହିଛି। ବିରଜା ମନ୍ଦିର ବିକାଶର ଅଗ୍ରଗତି ହେଉନଥିବା ବେଳେ ବିରଜା ହାଟ କଳେବର କେବେ ବଦଳିବ ତାହା ମଧ୍ୟ ସନ୍ଦେହ ଘେରରେ। ଆଜି ଜିଲ୍ଲାପାଳ କାମ ବନ୍ଦ ହୋଇ ରହିଥିବା ପ୍ରଶାସନିକ ଭବନ, ବିରଜା ମନ୍ଦିର, ନିର୍ମାଣାଧୀନ ନୂତନ କୋର୍ଟ ଆଦି ବୁଲି ସ୍ଥିତି ଯାଞ୍ଚ କରିଛନ୍ତି।