ଗଣ ବିକ୍ଷୋଭରେ ଗର୍ଜିଲା କଂଗ୍ରେସ

ରାଫେଲ୍‌ କିଣା ଏ ଶତାବ୍ଦୀର ସର୍ବ ବୃହତ ମହାଦୁର୍ନୀତି, ନିଜର ସୁରକ୍ଷା ପାଇଁ ଓଡ଼ିଶାର ସ୍ୱାର୍ଥକୁ ବଳି ଦେଉଛି ବିଜେଡି, ଯାଜପୁର ହିଁ ପରିବର୍ତ୍ତନ ବାର୍ତ୍ତା ବହନ କରିବ

ଯାଜପୁର/ଟାଉନ/ସଦର : ଯୁଦ୍ଧ ବିମାନ ରାଫେଲ୍‌ କିଣା ଦୁର୍ନୀତି ଚଳିତ ଶତାବ୍ଦୀର ସର୍ବ ବୃହତ ମହାଦୁର୍ନୀତି। ଏଥିରେ ୪୨ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପପତି ଅନିଲ ଆମ୍ବାନିଙ୍କ ଜରିଆରେ ଏହି ଦୁର୍ନୀତିର ବାଟ ଖୋଲିଛନ୍ତି। ସେହିପରି ଓଡ଼ିଶାରେ କଳି କରୁଥିବା ବିଜେଡ଼ି ଓ ବିଜେପି ନେତା ଦିଲ୍ଲୀରେ କୋଳାକୋଳି ହେଉଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିର ଗଡ଼ ଫାଦର ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଯାଜପୁର ଜିଲ୍ଲାର ସଦର ମହକୁମାରେ କଂଗ୍ରେସର ବିଶାଳ ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଓଡ଼ିଶାର ସ୍ୱାଭିମାନ ରକ୍ଷା କରିବା ସହିତ ବିକାଶ ନାମରେ ଚାଲିଥିବା ବିନାଶକୁ ରୋକିବା ପାଇଁ ଆହ୍ଵାନ ଦେଇଥିଲେ। ସବୁ ଠାରୁ ଚତୁର ଯାଜପୁରବାସୀ ରାଜ୍ୟର ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

କେନ୍ଦ୍ରର ମୋଦୀ ନେତୃତ୍ୱାଧୀନ ବିଜେପି ଏବଂ ଓଡ଼ିଶାର ନବୀନ ନେତୃତ୍ୱାଧୀନ ବିଜେଡ଼ି ସରକାରଙ୍କ ଦୁର୍ନୀତି, ଜନମାରଣ ନୀତି ବିରୋଧରେ କଂଗ୍ରେସ ଆଜି ଗଣ ବିକ୍ଷୋଭ ଜରିଆର ଶକ୍ତି ପ୍ରଦର୍ଶନ କରିଥିଲା। ହଜାର ହଜାର କଂଗ୍ରେସ କର୍ମୀ, ସମର୍ଥକ, କର୍ମକର୍ତ୍ତା ଓ ନେତା ଆଜି ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗାନ୍ଧି ଛକରେ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ।

ପିସିସି ସଭାପତି କହିଥିଲେ, ଯଦି ୟୁପିଏ ସରକାରଙ୍କ ଚୁକ୍ତି ମୁତାବକ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ସହିତ ଜ୍ଞାନ କୌଶଳ କ୍ରୟ କରିଥାନ୍ତେ ଓଡ଼ିଶାର କୋରାପୁଟ୍‌ର ସୁନାବେଡ଼ାରେ ଥିବା ୫୦ ବର୍ଷ ଅଭିଜ୍ଞ ହାଲ୍‌ କମ୍ପାନିରେ ୩୦ ହଜାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇଥାନ୍ତେ। ଭାରତବର୍ଷର ୩ଟି ସ୍ଥାନରେ ୧.୨୦ଲକ୍ଷଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥାନ୍ତା। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ୧୦ଦିନର କମ୍ପାନି ହାତରେ ଏହି ଦାୟିତ୍ୱ ଟେକି ଦେଲେ।

ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଶ୍ରୀ ପଟ୍ଟନାୟକ କହିଥିଲେ, ଏଠାରେ ମଧ୍ୟ ନବୀନ ପଟ୍ଟନାୟକ ସରକାର ଓଡ଼ିଶାର ବିକାଶ ନାମରେ ବିନାଶ କରିଚାଲିଛି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତ ଯେଉଁ କୋଟି କୋଟି ଟଙ୍କାର ଚାରା ଦୁର୍ନୀତି, ସମବାୟ ଦୁର୍ନୀତି, ପାହାଡ଼ ଓ ପାଣି ଦୁର୍ନୀତି କଥା ଉଠାଇଛନ୍ତି। ସେ ଦୁର୍ନୀତିକୁ କୃଷି ଓ ସମବାୟ ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରି ଦାମ ରାଉତଙ୍କ ଦୁର୍ନୀତିକୁ ଅବାନ୍ତର କହି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଛନ୍ତି। ଅତୀତରେ ଦୁର୍ନୀତି ନାମରେ ବିଭିନ୍ନ ସମୟରେ ନବୀନ ପଟ୍ଟନାୟକ ବଳି ପକାଇଥିବା ବିଜୁବାବୁଙ୍କ ସହଯୋଗୀଙ୍କୁ ଦଳରୁ ବିଦା କରି ନିଜେ ଦୁର୍ନୀତିର ଗଡ଼ଫାଦର ବୋଲି ପ୍ରମାଣିତ କରିଛନ୍ତି। କେବଳ ଦୁର୍ନୀତି ନୁହେଁ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସବୁ କ୍ଷେତ୍ରରେ ଅଧାଗତି ଘଟିଛି ବୋଲି ସେ ଅଭିଯୋଗ କରିଥିଲେ।

କଂଗ୍ରେସ ଅଭିଯୋଗ କରିଥିଲା ଯେ ମହାନଦୀ ପାଣି ପ୍ରସଙ୍ଗ ହେଉ କି ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା, ସବୁ ପ୍ରସଙ୍ଗରେ ବିଜେଡି ସାଂସଦ ଚୁପ୍‌ ହୋଇ ବସୁଛନ୍ତି, ଏଠାରେ ନାଟକ କରୁଛନ୍ତି। ବିଜେପିର ସରକାର ଛତିଶଗଡ଼ରେ ଥିବାରୁ ସେ ମଧ୍ୟ ଓଡ଼ିଶା ସ୍ୱାର୍ଥହାନୀକୁ ସମର୍ଥର୍ନ ଜଣାଉଛନ୍ତି। ଓଡ଼ିଶାବାସୀ ଯଦି ସତର୍କ ନହେବେ ତେବେ ମହାନଦୀ ପରି ବ୍ରାହ୍ମଣୀ, ବୈତରଣୀର ନଦୀ ମଧ୍ୟ ଶୁଖିଯିବ।

ଏହି ଅବସରରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ସିଡ଼ବ୍ଲୁସିର ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ, ଏଆଇସିସି ସଂପାଦକ ଶରତ ରାଉତ ରାଫେଲ ଦୁର୍ନୀତି ଠାରୁ ଆରମ୍ଭ କରି ବିମୁଦ୍ରାକରଣ, ଯାଜପୁର କ୍ରୋମାଇଟ୍‌ ମହାଦୁର୍ନୀତି ଠାରୁ ବିରଜାଙ୍କ ଯନ୍ତ୍ର ବଦଳ ପ୍ରସଙ୍ଗ ଆଦି ଉଠାଇ ଗର୍ଜିଥିଲେ। ଏଆଇସିସି ସଂପାଦକ ତଥା ଓଡ଼ିଶ ପ୍ରଭାରୀ ରୁଦ୍ର ରାଜୁ ଆଜିର ବିଶାଳ ବିକ୍ଷୋଭ ପାଇଁ କଂଗ୍ରେସ ଲୋକ ଓ ସଂଗଠକମାନଙ୍କର ଉତ୍ସାହକୁ ଉଚ୍ଚ ପ୍ରଶଂସା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ ରାଉତ ସଭାପତିତ୍ୱ କରିଥିଲେ। ଶେଷରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ଗତ ପ୍ରାର୍ଥୀ ହୋଇଥିବା ସନ୍ତୋଷ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ବରୀ-ଡ଼େରାବିଶ ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଶ୍ରୀନାଥ ମିଶ୍ର, କାଙ୍ଗାଳୀ ପଣ୍ଡା, ସଂଜୟ ରାୟ, ବ୍ୟାସନଗର ପୂର୍ବତନ ନଗରପାଳ ବନ୍ଦିତା ପରିଡ଼ା, ଜିଲ୍ଲା ସଭାନେତ୍ରୀ ଆରତୀ ସ୍ୱାଇଁ, କନକଲତା ମଲିକ, ଆରତୀ ଦେଓ, ପୁଲିନ୍‌ ପୁହାଣ, ମାନସ କର, ଭାସ୍କର ମହାନ୍ତି, ଡ଼ିସିସି, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳ କଂଗ୍ରେସ୍‌, ସେବା ଦଳର କର୍ମକର୍ତ୍ତା ସାମିଲ ହୋଇ ନେତୃତ୍ୱ ନେଇଥିଲେ।

ଏହି ଅବସରରେ ବିଜେପି ନେତା ତଥା ଯୁବ ଆଇନଜୀବୀ ମନୋରଂଜନ ଦାସ ନିଜ ସମର୍ଥକ ଗହଣରେ ଆସି କଂଗ୍ରେସରେ ଯୋଗଦେଇଥିଲେ। ଅନ୍ୟପକ୍ଷରେ ଡିସିସି ଉପସଭାପତି ବଳଭଦ୍ର ଦାସ, ଜିଲ୍ଲା ପରିଷଦ ପୂର୍ବତନ ସଭ୍ୟ ଅଜୟ ସାମଲଙ୍କ ଅନ୍ୟ ନେତାମାନେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ୧୬ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର