ଯାଜପୁର : ଚତୁର୍ଥ ପର୍ଯ୍ୟାୟରେ ଆସନ୍ତାକାଲି ଯାଜପୁର ସଂରକ୍ଷିତ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ ଆରମ୍ଭ । ଲୋକସଭା ପାଇଁ ୮ ଜଣ ଓ ୭ଟି ବିଧାନସଭା ପାଇଁ ୫୩ ଜଣ ଏଭଳି ମୋଟ ୬୧ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଆସନ୍ତାକାଲି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜିଲ୍ଲାର ୧୪ ଲକ୍ଷ ୭୨ ହଜାରରୁ ଉର୍ଦ୍ଧ୍ବ ମତଦାତା। ପ୍ରାୟ ସବୁ ଆସନରେ ଏଥର ମୁଖ୍ୟତଃ ବିଜେଡି- ବିଜେପି ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି। ଆଉ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଳକନ କରାଯାଉଛି। ପ୍ରଥମ ଥର ପାଇଁ ଜିଲ୍ଲାରେ ଏଥର ଏକ ବଡ଼ ଶକ୍ତି ଭାବେ ବିଜେପି ଉଭା ହୋଇଛି। ଲୋକସଭା ଆସନରେ ଏଥର ବିଜେଡି- ବିଜେପି ମଧ୍ୟରେ ସମ୍ମୁଖ ଲଢ଼େଇ ହେବ ବୋଲି କୁହାଯାଉଥିବା ବେଳେ ୭ଟି ବିଧାନସଭା ଆସନ ମଧ୍ୟରୁ ୫ଟି ଆସନରେ ବିଜେଡି ଓ ବିଜେପି ଭିତରେ କଡ଼ା ଟକ୍କର ଏବଂ ୨ଟି ଆସନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇପାରେ।।

Advertisment

ସାଂସଦ ପଦ ପାଇଁ ବିଜେପି ପ୍ରାର୍ଥୀ ଅମୀୟକାନ୍ତ ମଲିକ ଓ ବିଜେଡିର ଶର୍ମିଷ୍ଠା ସେଠୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଅମିୟ ୨୦୧୪ ମସିହାର ଅଭିଜ୍ଞତାକୁ ପାଥେୟ କରି ସମସ୍ତ ବଳ ଲଗାଇଥିବା ବେଳେ ପ୍ରଶାସିକା ପଦ ଛାଡ଼ି ରାଜନୀତିରେ ପାଦ ଥାପିଥିବା ଶର୍ମିଷ୍ଠା ମଧ୍ୟ ବିଜେଡିର ବିଭିନ୍ନ ବିଧାୟକ ପ୍ରାର୍ଥୀଙ୍କ ସହ ଉତ୍ତମ ଯୋଗସୂତ୍ର ରଖି ଜିତିବା ପାଇଁ ସମସ୍ତ ପ୍ରକାର ବଳ ଖଟାଇଛନ୍ତି। ବିଜେଡି ଓ ବିଜେପି କଡ଼ା ଟକ୍କର ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ମାନସ ଯେନା ମଧ୍ୟ ଦଳୀୟ ବିଧାୟକ ପ୍ରାର୍ଥୀମାନଙ୍କ ସହ ମିଶି ଜୋରଦାର ପ୍ରଚାର କରିଥିଲେ। ତେଣୁ ତାଙ୍କ ସପକ୍ଷରେ ଯିବା ଭୋଟ ନିର୍ଣ୍ଣାୟକ ହେବ ବୋଲି ଆକଳନ କରାଯାଉଛି।

ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସିଥିବା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ସ୍ଥିତି ରୋଚକ ହୋଇପାରେ ବୋଲି ଆଲୋଚନା ହେଉଛି। ଏଥର ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ବିଜେଡିର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ (ବବି) ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଜିଲ୍ଲା ସଭାପତି ‌ଗୌତମ ରାୟ। ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ସନ୍ତୋଷ ନନ୍ଦ ପୁଣି ଥରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଯାଜପୁର ବିଧାନସଭା ଆସନରେ ମୁଖ୍ୟତଃ ବବି ଏବଂ ଗୌତମଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବ ଆକଳନ କରାଯାଉଛି। ଏଠାରେ ବିକାଶ ମୂଳକ କାର୍ଯ୍ୟକୁ ନେଇ ବବି ଲୋକଙ୍କ ନିକଟତର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଯୋଜନା ଏବଂ ପରିବର୍ତ୍ତନର ବାର୍ତ୍ତା ନେଇ ଗୌତମ ମତଦାତାଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିଛନ୍ତି।

ସେହିପରି ବିଂଝାରପୁର ଆସନରେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପିର ବବିତା ମଲ୍ଲିକ। ବରୀ ଆସନରେ ବିଜେପିର ବିଶ୍ବରଂଜନ ମଲ୍ଲିକଙ୍କ ସହ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ଅନ୍ୟପକ୍ଷରେ ଧର୍ମଶାଳାରେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଏବଂ ବିଜେପିର ତୁଷାର ପରିଡ଼ାଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ ବୋଲି ଆକଳନ କରାଯାଉଛି। ବଡ଼ଚଣାରେ ଦୁଇ ଅମରଙ୍କ ମଧ୍ୟରେ ଯଥା ବିଜେଡିର ଅମର ଶତପଥୀ ଏବଂ ବିଜେପିର ଅମର ନାୟକଙ୍କ ମଧ୍ୟରେ ସମ୍ମୁଖ ଲଢ଼େଇ ହେବ ବୋଲି କୁହାଯାଉଛି। ତେବେ ସୁକିନ୍ଦା ଏବଂ କୋରେଇ ଆସନରେ ତ୍ରିକୋଣୀୟ ଲଢ଼େଇ ହେବାର ସମ୍ଭାବନା ରହିଛି। ସୁକିନ୍ଦାରେ ପ୍ରୀତିରଂଜନ ଘଡ଼େଇ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ବଳ ସାମନ୍ତ ଏବଂ କଂଗ୍ରେସରୁ ଶରତ ରାଉତ ପ୍ରାର୍ଥୀ ହୋଇଛନ୍ତି। ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ସପକ୍ଷରେ ମତଦାତାକୁ ନେବା ପାଇଁ ଭରପୂର ପ୍ରୟାସ କରିଛନ୍ତି। କୋରେଇ ଆସନରେ ଏଥର କଂଗ୍ରେସରୁ ବନ୍ଦିତା ପରିଡ଼ା, ବିଜେପିରୁ ବିଶ୍ବଜିତ୍‌ ନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ି ଅଶୋ‌କ ବଳଙ୍କୁ ମଇଦାନରେ ଛାଡ଼ିଛି। ଏହି ୩ ପ୍ରମୁଖ ପ୍ରାର୍ଥୀ ଗାଁ ଗାଁ ବୁଲି ପ୍ରଚାର କରିବା ସହ ସମସ୍ତ ପ୍ରକାର ଶକ୍ତି ଖଟାଇଛନ୍ତି। ଏଠାରେ କାହାର ଜିତାପଟ ହେବ ତାହା ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ।