ଯାଜପୁର ବିଜେଡି ଗଡ଼ ସୁରକ୍ଷିତ

ବିଜେପିକୁ ପାଇଛି ୨୦ ପ୍ରତିଶତ ଅଧିକ ମତ, କଂଗ୍ରେସ ଖାତାରେ ମାତ୍ର ୭.୬୩ ପ୍ରତିଶତ ଭୋଟ

ଯାଜପୁର ରୋଡ଼ : ୧୯୯୯ ମସିହାରୁ ଏଯାବତ ଅଣକ‌ଂଗ୍ରେସ ଗଡ଼ ଭାବେ ପରିଚିତ ଯାଜପୁର ସଂରକ୍ଷିତ(ଏସ୍‌ସି) ଲୋକସଭା ଆସନ ପୁଣିଥରେ ବିଜେଡି ଖାତାକୁ ଯାଇଛି। ଚଳିତ ସାଧାରଣ ନିର୍ବାଚନରେ ପ୍ରଶାସକ ଚାକିରି ଛାଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଶର୍ମିଷ୍ଠା ସେଠୀ ବିଜେଡିରୁ ପ୍ରାର୍ଥିନୀ ହୋଇ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅମିୟକାନ୍ତ ମଲ୍ଲିକଙ୍କୁ ୧ଲକ୍ଷ ୧ ହଜାର ୬୯୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ମାତ୍ର ବିଜେପି ପ୍ରାର୍ଥୀ ଅମିୟ ୨୦୧୪ ନିର୍ବାଚନରେ ୧ଲକ୍ଷ ୫୦ ହଜାର ୭୮୯ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଏଥର ୪ ଲକ୍ଷ ୪୨ ହଜାର ୩୨୭ଟି ଭୋଟ ପାଇ ଦ୍ବିତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଚଳିତ ନିର୍ବାଚନରେ ଏକ ପ୍ରକାର ଚିତ୍ ପଟାଙ୍ଗ ମାରିଛି। ମାତ୍ର ୭.୬୩ ପ୍ରତିଶତ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

୧୯୫୨ ମସିହାରୁ ୨୦୧୪ ମସିହା ମଧ୍ୟରେ ଅନାଦି ଦାସ ସର୍ବାଧିକ ୪ଥର(୧୯୭୧, ୧୯୮୦, ୧୯୮୯, ୧୯୯୧) ବିଜୟୀ ହୋଇଥିବା ବେଳେ ସେଥିରୁ ଦୁଇ ଥର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି। ଅନାଦି ଦାସଙ୍କ ପରେ ରାମଚନ୍ଦ୍ର ମଲ୍ଲିକ ୩ ଥର (୧୯୬୨, ୧୯୭୭, ୧୯୯୮) କଂଗ୍ରେସରୁ ବିଜୟୀ ହୋଇଥିଲେ। ମାତ୍ର ୧୯୯୯ ମସିହା ପରେ ସ୍ଥିତି ବଦଳି ଯାଇଛି। ୧୯୯୯ମସିହା ଠାରୁ ଏହି ଆସନ ଆଜି ପର୍ଯ୍ୟନ୍ତ ବିଜେଡି ଦଖଲରେ ରଖିଛି। ୧୯୯୯ରେ ଜଗନ୍ନାଥ ମଲ୍ଲିକ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ବେଳେ ମୋହନ ଯେନା ଲଗାତାର ଦୁଇଥର (୨୦୦୪ ଓ ୨୦୦୯) ହୋଇଥିଲେ। ୨୦୧୪ ନିର୍ବାଚନରେ କଳ୍ପତରୁ ଦାସଙ୍କ ଏକାନ୍ତ ଅନୁଗତ ରୀତା ତରାଇ ୩ଲକ୍ଷ ୨୦ହଜାର ୨୭୧ଟି ଭୋଟରେ ବିଜୟ ଲାଭ କରିଥିଲେ। ତେବେ ୨୦୧୪ ପରଠାରୁ ଜିଲ୍ଲାର ବିଜେଡି ରାଜ‌ନୀତିକୁ ନିୟନ୍ତ୍ରଣ କରୁଥିବା ଯୁବନେତା ପ୍ରଣବ ପ୍ରକାଶ ଦାସ ସାଂସଦ ରୀତା ତରାଇଙ୍କ ସ୍ଥାନରେ ଶର୍ମିଷ୍ଠାଙ୍କୁ ପ୍ରାର୍ଥୀ କରି ନିଜର ବିଚକ୍ଷଣତାର ପରିଚୟ ଦେଇଛନ୍ତି। ଶର୍ମିଷ୍ଠାଙ୍କ ଭୋଟ ବ୍ୟବଧାନ କମିଥିଲେ ମଧ୍ୟ ବିଜେଡି ଏହି ଆସନ ଦଖଲ କରି ନିଜର ଗଡ଼ ସୁରକ୍ଷିତ ରଖିଛି।

ଏହି ନିର୍ବାଚନରେ ଯାଜପୁର ଲୋକସଭା କ୍ଷେତ୍ରରେ ମୋଟ ୧୦ ଲକ୍ଷ ୬୯ ହଜାର ୬୬୮ ଜଣ ମତଦାନ କରିଥିବାବେଳେ ତିନିଟି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଓ ବିଜେପିକୁ ୯ ଲକ୍ଷ ୧୪ ହଜାର ୨୧୬ଟି ଭୋଟ ମିଳିଛି। ଗତ ନିର୍ବାଚନରେ ୪୪.୧୦ ପ୍ରତିଶତ ଭୋଟ ବିଜେଡି ଖାତାକୁ ଯାଇଥିବା ବେଳେ ଏଥର ବିଜେଡି ୪୯.୮୧ ପ୍ରତିଶତ ଭୋଟ ପାଇଛି। ବିଜେପିକୁ ୨୧.୫୦ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତ ଥର ତାହା ବଢ଼ି ୪୦.୫ ପ୍ରତିଶତରେ ପହଞ୍ଚିଛି। ବିଜେଡିର ୫ ପ୍ରତିଶତ ଭୋଟ ବଢ଼ିଥିବା ବେଳେ ବିଜେପିର ପାଖାପାଖି ୨୦ ପ୍ରତିଶତ ଭୋଟ ବଢ଼ିଛି। ଏହା ସତ୍ତ୍ବେ ବିଜେପି ତାର ବିଜୟ ଲକ୍ଷ୍ୟରେ ପହଞ୍ଚିବାରେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର