ଯାଜପୁର/ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ମନରେଗା କେଳେଙ୍କାରୀ ଚରମ ସୀମାରେ ପହଞ୍ଚିଛି। ଗରିବ ଶ୍ରମିକମାନେ ଜବ୍‌କାର୍ଡରେ କାମ ନପାଇ ଦାଦନ ଖଟିବାକୁ ଯାଉଥିବା ବେଳେ ୨ ମହଲା କୋଠା ଥିବା ତଥା ଚାରି ଚକିଆ ଗାଡ଼ି ଚଢ଼ୁଥିବା ଲୋକ ମୁଣ୍ଡରେ ମାଟି ବୋହିଥିବା ଦର୍ଶାଇ ମଜୁରି ହଡ଼ପ କରାଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିନିଧି ଦଶରଥପୁର ବ୍ଲକ୍ ଗ୍ରାମନନ୍ଦିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ମହାନ୍ତି(ନାରଣ), ତାଙ୍କ ପତ୍ନୀ ବର୍ତ୍ତମାନର ସରପଞ୍ଚ ସଂଯୁକ୍ତା ମହାନ୍ତି, ପୁଅ ଚୌଧୁରୀ ଦେବାଶିଷ ମହାନ୍ତି, ଆଶୀର୍ବାଦ ମହାନ୍ତି ମାଟି ଉଠାଇବା ନାମରେ ହଜାର ହଜାର ଟଙ୍କା ମଜୁରି ହାତେଇଛନ୍ତି।

Advertisment

ଜବକାର୍ଡ ନମ୍ବର ଓଆର-୨୦-୦୦୬-୦୧୯-୦୦୨/୪୭୮୯୭୦୭ରେ ପ୍ରଦୀପ ମହାନ୍ତି ଏବଂ ତାଙ୍କ ପତ୍ନୀ ସଂଯୁକ୍ତା ମହାନ୍ତି ୨୦୨୦ ଏପ୍ରିଲ୧୭ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ୯୪ ଦିନ ମାଟି କାମ କରିଛନ୍ତି। ମଜୁରି ବାବଦକୁ ୧୯ ହଜାର ୪୫୮ ଟଙ୍କା ନେଇଛନ୍ତି। ପେଟାନାଳର ମାଟି ଖୋଳିବା, ଭନ୍ଦେଶ୍ୱର ପୋଖରୀ ଖୋଳିବା, ନଳିନୀକାନ୍ତ ନାୟକ ଏବଂ ନିଶିକାନ୍ତ ସାହୁଙ୍କ ଜମି ଉନ୍ନତୀକରଣ କାମ କରିଥିବା ଦର୍ଶାଯାଇଛି। ସେହିପରି ଶ୍ରୀ ମହାନ୍ତିଙ୍କ ପୁଅ ଆଶୀର୍ବାଦ ମହାନ୍ତି ଜବକାର୍ଡ ନମ୍ବର ଓଆର ୨୦ -୦୦୬-୦୧୯-୦୦୨/୪୭୮୯୭୦୮ରେ ୨୦୨୦ ଏପ୍ରିଲ ୧୭ରୁ ଚଳିତ ବର୍ଷ ଏପ୍ରିଲ୨୯ ତାରିଖ ମଧ୍ୟରେ ବିଭିନ୍ନ ଯୋଜନାରେ ମୋଟ ୧୧୯ ଦିନ କାର୍ଯ୍ୟ କରି ୨୭ ହଜାର ୪ ଶହ ୪୬ ଟଙ୍କା ମଜୁରି ନେଇଛନ୍ତି। ଆଶୀର୍ବାଦ ମଧ୍ୟ ନନ୍ଦିପୁର ପେଟାନାଳ ମାଟି, ଆରଡି ରାସ୍ତା ଠାରୁ ସୁରଢିଅ ବନ୍ଧ, ମୋ ଉପକାରୀ ବଗିଚା, ଖତଗଡ଼ିଆ ଆଦି ମାଟିକାମ କରିଛନ୍ତି। ଆଉଜଣେ ପୁଅ ଚୌଧୁରୀ ଦେବାଶିଷ ମହାନ୍ତିଙ୍କ ଜବ୍‌କାର୍ଡ ନମ୍ବର ଓଆର-୨୦-୦୦୬-୦୧୯-୦୦୨/୪୭୮୯୭୦୯ରେ ୨୦୨୦ ମେ ୮ରୁ ୨୦୨୨ ଡିସେମ୍ବର ୧୭ତାରିଖ ମଧ୍ୟରେ ୧୧୯ ଦିନ କାର୍ଯ୍ୟ କରି ୨୮ ହଜାର ୨୧୯ ଟଙ୍କା ମଜୁରି ନେଇଛନ୍ତି। ଶ୍ରୀ ମହାନ୍ତି ଏହି ପଞ୍ଚାୟତର ସରପଞ୍ଚ ଭାବେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଥିଲେ। ସେହିପରି ତାଙ୍କ ପତ୍ନୀ ଶ୍ରୀମତୀ ମହାନ୍ତି ୨୦୧୨ ରୁ ୨୦୧୭ ଓ ଦ୍ବିତୀୟ ଥର ୨୦୨୨ରୁ ସରପଞ୍ଚ ଅଛନ୍ତି।

ପୂର୍ବତନ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ମହାନ୍ତିଙ୍କ ୨ମହଲା କୋଠା ଥିବା ବେଳେ ପତ୍ନୀଙ୍କ ନାମରେ ୪ଚକିଆ ଗାଡ଼ି (ଗ୍ରାଣ୍ଡ ଭିଟାରା) ଅଛି। ଲକ୍ଷ ଲକ୍ଷ ଟଙ୍କା ସଂପତ୍ତିର ମାଲିକ ଶ୍ରୀ ମହାନ୍ତିଙ୍କ ପରିବାରଙ୍କ ରାଜନୈତିକ ଓ ସାମାଜିକ ପ୍ରତିଷ୍ଠା ରହିଥିବା ସତ୍ତ୍ବେ ଜବ୍‌କାର୍ଡରେ କାମ କରିଥିବା ଜଣାପଡ଼ିବା ପରେ ଅନେକ ବ୍ୟକ୍ତି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ମନରେଗା କେଳେଙ୍କାରୀର ତଦନ୍ତ କରିବାକୁ ଶରତ ଚନ୍ଦ୍ର ସେଠୀ, ଅମରେଶ ଦାଶ, ପ୍ରତାପଚନ୍ଦ୍ର ବେହେରା, ରୁଦ୍ରନାରାୟଣ ପତି ପ୍ରମୁଖ ଦଶରଥପୁର ବିଡିଓ, ଯାଜପୁର ପ୍ରକଳ୍ପ ନିର୍ଦେଶକ, ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ୪ ମାସ ହେଲା ଅଭିଯୋଗ ହୋଇଥିଲେ ହେଁ ଅଧିକାରୀମାନେ ଚୁପ୍‌ ବସିବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ଶ୍ରୀ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନି।