ଯାଜପୁର ଡ୍ରେନେଜ୍ ଡିଭିଜନ୍‌ରେ ଘାସ, ଦଳ ସଫେଇ ନାଁରେ ୯୦ ଲକ୍ଷ ଚଳୁ, ଗୁପ୍ତ ଟେଣ୍ଡର କରି ଠିକାଦାର ଓ ଯନ୍ତ୍ରୀ ମାଲାମାଲ

ଯାଜପୁର/ବିଂଝାରପୁର : ଯାଜପୁର ଡ୍ରେନେଜ୍ ଡିଭିଜନ୍‌ରେ ଚାଲିଛି ବ୍ୟାପକ ହରିଲୁଟ୍‌। ଘାସ,ଦଳ ଓ ଛୋଟ ଗଛ ସଫା ନାମରେ ଏଫ୍-୨ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି। କେନାଲ ପୁନଃଉଦ୍ଧାର ନାମରେ ଅସାଧୁ ମେଣ୍ଟ ପକେଟ ଗରମ କରୁଛନ୍ତି। ଏ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ‘ସମ୍ବାଦ’ ଅନୁସଂଧାନ ଟିମ୍ ହାତରେ ଲାଗିଛି।

ଯାଜପୁର ଡ୍ରେନେଜ୍‌ ଡିଭିଜନ୍‌ରେ ୨୦୧୬-୧୭ ଆର୍ଥିକ ବର୍ଷରେ ୨୬ଟି ଏଫ୍-୨ କାମ କରାଯାଇ ୩୬ଲକ୍ଷ ୫୬ ହଜାର ୭୦୬ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ୨୦ଟି ଏଫ୍-୨ କାମରେ ଖର୍ଚ୍ଚ ହୋଇଛି ୨୯ଲକ୍ଷ ୭୫ହଜାର ୪୦୧ ଟଙ୍କା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୮ଟି ଏଫ୍-୨ କାମରେ ୧୧ଲକ୍ଷ ୮୨ହଜାର ୧୪୨ଟଙ୍କା ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୩ଟି ଏଫ୍-୨ରେ ୧୨ଲକ୍ଷ ୬୦ହଜାର ୨୯୯ଟଙ୍କା ଖର୍ଚ୍ଚ କରାଯାଇଛି। କେବଳ ପାଟନାଳୀରୁ ଘାସ,ଦଳ ଓ ଛୋଟଛୋଟ ଗଛ ସଫା ନାମରେ ମୋଟ ୫୭ଟି ଏଫ୍-୨ ଜରିଆରେ ୯୦ ଲକ୍ଷ ୭୪ ହଜାର ୫୪୮ ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡିଛି।

ପାଟନାଳୀ ପୁନଃଉଦ୍ଧାର ନାମରେ ମଧ୍ୟ ୨୦୧୬-୧୭ ଆର୍ଥିକ ବର୍ଷରେ ୨୨ଟି ପି-୧ ଓ ୧୦ଟି ଏଫ୍-୨ କାମ ଜରିଆରେ ୪୬କୋଟି ୪୯ଲକ୍ଷ ୭୯ହଜାର ୫୦୨ଟଙ୍କା ଖର୍ଚ୍ଚ ହୋଇଥିବା‌ ବେଳେ ୨୦୧୭-୧୮ଆର୍ଥିକ ବର୍ଷରେ ୪ଟି ପି-୧ ଓ ୨ଟି ଏଫ୍-୨ରେ ୨୪କୋଟି ୧୦ଲକ୍ଷ ୫ହଜାର ୩୧୬ ଟଙ୍କା, ୨୦୧୮-୧୯ଆର୍ଥିକ ବର୍ଷରେ ୧୯ଟି ପି-୧ ଓ ୧୫ଟି ଏଫ୍-୨ କାମରେ ୧୭କୋଟି ୮୭ଲକ୍ଷ ୭୩ହଜାର ୭୧୦ଟଙ୍କା ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୫ଟି ଏଫ୍-୨ରେ ୨୦ଲକ୍ଷ ୨ହଜାର ୧୨୨ ଟଙ୍କା ଖର୍ଚ୍ଚ କରାଯାଇଛି । ମୋଟ ୪୫ଟି ପି-୧ ଓ ୩୨ଟି ଏଫ୍-୨ କାମରେ ୮୮କୋଟି ୬୭ଲକ୍ଷ ୬୦ହଜାର ୬୫୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ନାମକୁ ମାତ୍ର କାମ କରି କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଏଫ୍-୨ଚୁକ୍ତି ତଥା ଗୁପ୍ତଟେଣ୍ଡର କରି ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁମେଣ୍ଟ ବ୍ୟାପକ ଅର୍ଥ ହେରଫେର କରୁଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଏହି କାର୍ଯ୍ୟର ବ୍ୟୟ ବରାଦ ୨କୋଟି ୨୬ଲକ୍ଷ ୧୬ହଜାର ୩୭୮ଟଙ୍କା ହୋଇଥିଲା । ସେଥିରୁ ଶତକଡ଼ା ୧୪.୯୯ ପ୍ରତିଶତ କମ୍‌ ବାବଦକୁ ୩୩ଲକ୍ଷ ୯୦ହଜାର ୧୯୫ ଟଙ୍କା କଟିଥିଲା। ଏହି କାମରେ ୧କୋଟି ୯୨ଲକ୍ଷ ୨୬ହଜାର ୧୮୩ ଟଙ୍କା ଖର୍ଚ୍ଚ କରାଯାଇଛି। କାର୍ଯ୍ୟ ଆରମ୍ଭ ପୂର୍ବରୁ ଫଳକ ଲାଗିବାର ନିୟମ ଥିଲାବେଳେ ଠିକାଦାର କୌଣସି ଫଳକ ନଲଗାଇ କାର୍ଯ୍ୟ ସାରିଦେଇଥିଲେ। ଅଭିଯୋଗ ହେଲା ପରେ ୨ଦିନ ହେଲା ଠିକାଦାର ଭୁଲ ଲେଖାଥିବା ଏକ ଫଳକକୁ ନେଇ ପ୍ରତିଦିନ ନୂଆନୂଆ ସ୍ଥାନରେ ପୋତୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ନାଳ ଖୋଳାରେ ହୋଇଥିବା କେଳେଙ୍କାରୀର ସିବିଆଇ ତଦନ୍ତ କରିବାକୁ ହରେକୃଷ୍ଣ ପଣ୍ଡା, ସଇଫୁର ରହେମାନ, କାଳନ୍ଦୀ ସାହୁ, ଜୀବନ ମହାନ୍ତି, ଅଲେଖ ମଲିକ, ଶତ୍ରୁଘ୍ନ ଦାସ, ପରେଶ ମଲିକ, କୁଳମଣି ବେହେରା, ଅବିନାଶ ନାଥଶର୍ମା, ମୋହନଚରଣ ନାଥଶର୍ମା, ଅଦିତ୍ୟ ସାହୁ, କରୁଣାକର ଦାସ, ସତ୍ୟନାରାୟଣ ଦାସ ପ୍ରମୁଖ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର