ବ୍ୟାସନଗର: ଯାଜପୁରରୋଡ୍ ଫେରୋକ୍ରୋମ କାରଖାନାର ଅଚଳ ଥିବା ୨ଟି ଯାକ ଫର୍ଣ୍ଣେସ ଆଜି କାର୍ଯ୍ୟକ୍ଷମ ହୋଇଛି। ସକାଳ ୮.୩୦ରେ ୨ନମ୍ବର ଫର୍ଣ୍ଣେସ ଚାଲୁ ହୋଇଥିବା ବେଳେ ୮.୪୫ରେ ୧ ନମ୍ବର ଫର୍ଣ୍ଣେସ କାର୍ଯ୍ୟକ୍ଷମ ହୋଇଛି। ଫର୍ଣ୍ଣେସ କାର୍ଯ୍ୟକ୍ଷମ ହେବାର ୭୨ଘଣ୍ଟା ପରେ ଉତ୍ପାଦନ ଆରମ୍ଭ ହେବ ବୋଲି କାରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। କାରଖାନା ସଚଳ ହେବା ପରେ ଚିନ୍ତାରେ ଥିବା ୩୫୦ ଶ୍ରମିକ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଗତ ୨୯ ତାରିଖରୁ ୨୨ଦିନ ଧରି କାରଖାନା ଅଚଳ ରହିବା ଓ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉତ୍ପାଦନ ନ ହେବାରୁ ଏହି ୨୫ ଦିନର ମଜୁରି ମିଳିବ କି ନାହିଁ, ସେ ନେଇ ଶ୍ରମିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଫର୍ଣ୍ଣେସ ବନ୍ଦ ସମ୍ପର୍କରେ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ଏହାକୁ ଚଳାଇବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି।
୨୫ ଦିନର ପାଉଣା ମିଳିବା ନେଇ ଆଶଙ୍କାରେ ଶ୍ରମିକ
ନିୟମ ଅନୁସାରେ କାରଖାନା ବନ୍ଦ କରିବା ପୂର୍ବରୁ ଠିକାସଂସ୍ଥାକୁ ନୋଟିସ୍ ଦିଆଯିବା କଥା। ବିନା ନୋଟିସ୍ରେ ଉତ୍ପାଦନ ବନ୍ଦ ପରେ ୩୫୦ ଶ୍ରମିକ ବସି ରହିଥିଲେ। ପ୍ରତିଦିନ ଠିକାସଂସ୍ଥାକୁ ପାଉଣା ବାବଦରେ ୨.୫ ଲକ୍ଷ ଟଙ୍କା ପୈଠ କରିବାକୁ ହୋଇଥାଏ। ବନ୍ଦ ସମୟରେ ଶ୍ରମିକଙ୍କୁ ୨୫ ଦିନର ପାଉଣା ଓଏମ୍ସି ନା ଠିକାସଂସ୍ଥା ଦେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଖାନାର ଜନୈକ ପୂର୍ବତନ ପରିଚାଳନା ଅଧିକାରୀଙ୍କ ମତ ଅନୁସାରେ ଠିକାସଂସ୍ଥାକୁ କାରଖାନା ବନ୍ଦ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିବାରୁ ଶ୍ରମିକଙ୍କ ପାଉଣା ଓଏମ୍ସି ଦେବାକୁ ବାଧ୍ୟ ବୋଲି କହିଛନ୍ତି। ଠିକାସଂସ୍ଥା ‘କେସି ନାଥ ଆଣ୍ଡ କୋ’ର କହିବାନୁସାରେ ନିର୍ଦ୍ଦେଶ ହିସାବରେ ଠିକାସଂସ୍ଥା ପାଉଣା ଦେବାକୁ ବାଧ୍ୟ। ହେଲେ ଓଏମ୍ସି କୌଣସି ନୋଟିସ କରିନଥିବାରୁ ଏହି ପାଉଣା ମିଳିବ କି ନାହିଁ ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି। କାରଖାନାରେ ଉତ୍ପାଦନ ବନ୍ଦ ଥିଲେ ଶ୍ରମିକଙ୍କୁ ମଜୁରି ଦିଆଯାଏନାହିଁ, ଯାହା ଠିକାସଂସ୍ଥା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
କାରଖାନା ପରିଚାଳନା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ାଙ୍କୁ ଶ୍ରମିକଙ୍କ ପାଉଣା ସମ୍ପର୍କରେ ପଚାରିବାରୁ ଆପୋସ ବୁଝାମଣାରେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି। କାରଖାନାର ୨ଟି ଯାକ ଫର୍ଣ୍ଣେସ କାର୍ଯ୍ୟକ୍ଷମ ପାଇଁ ଦିନକୁ ୩୦ ଟନ୍ କୋଇଲାର ଆବଶ୍ୟକତା ରହିଛି। ହେଲେ ମାତ୍ର ୪୦ ଟନ୍ ଆସିଥିବା ସମ୍ପର୍କରେ ପଚାରିବାରୁ କୋଇଲା ଯୋଗାଇଦେବା ପାଇଁ ଠିକାସଂସ୍ଥା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଲୋଚନା ସରିଛି। କୋଇଲାଜନିତ ସମସ୍ୟା ଆଉ ରହିବ ନାହିଁ ବୋଲି ଶ୍ରୀ ପରିଡ଼ା ମତବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ କ୍ଷତି ସହୁଥିବା ଦର୍ଶାଇ ୨୦୨୦ରେ ଇଡକଲ୍ର ଏହି କାରଖାନାକୁ ଘରୋଇକରଣ ପାଇଁ ଯୋଜନା କରାଯାଇଥିଲା। ତେବେ ଶ୍ରମିକଙ୍କ ପ୍ରବଳ ବିରୋଧ ଯୋଗୁଁ ପୂର୍ବ ସରକାର ଏହାର ଘରୋଇକରଣକୁ ବନ୍ଦ କରିଥିଲେ। ପରେ ଏହାର ପୁନରୁଦ୍ଧାର ପାଇଁ ୨୦୨୩ ଜୁନ୍ ୮ ତାରିଖରେ ଓଏମ୍ସିକୁ ହସ୍ତାନ୍ତର କରାଯାଇଥିଲା।