ଯାଜପୁରରେ ବନ୍ୟା ତାଣ୍ଡବ : ୬ ଭାସିଗଲେ, ୪ ମୃତ,୨ ନିଖୋଜ

ପୁଅକୁ ବଞ୍ଚାଇବାକୁ ଯାଇ ମା’ ମୃତ, ବାପାମା’ ଆଗରେ ଭାସିଗଲା ପୁଅ

ଯାଜପୁର/ବରୀ/ବାଲିକୁଦା/ଧର୍ମଶାଳା : ଯାଜପୁର ଜିଲ୍ଲାରେ ବନ୍ୟା ତାଣ୍ଡବଲୀଳା ରଚିଚାଲିଛି। ଜିଲ୍ଲାରେ ୩୦ଟି ଘାଇ ହୋଇ ଗାଁଗଣ୍ଡାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଗାଁ ଭିତରେ ପ୍ରଖର ଜଳସ୍ରୋତରେ ଭାସିଯାଇ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ନିଖୋଜ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ବରୀ ଅଞ୍ଚଳର ୩ ଜଣ ଓ ଧର୍ମଶାଳା ବ୍ଲକରେ ଜଣେ ବ୍ୟକ୍ତି ଅଛନ୍ତି। ବଡ଼ଚଣା ବ୍ଲକ୍ ବାଲିକୁଦା ଅଞ୍ଚଳର ୨ଜଣ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ମୃତକମାନେ ହେଲେ ବରୀ ବ୍ଲକ ଅରଙ୍ଗାବାଦ ଗ୍ରାମର ବାସବ ଜେନାଙ୍କ ପତ୍ନୀ ଲକ୍ଷ୍ମୀ ଜେନା (୩୫), ନାଥପୁରପାଟଣା ଗ୍ରାମର ଶ୍ରୀଧର ‌ସେଠୀ (୫୦) ଓ ଭଅଁରା ଗ୍ରାମର ସୁବାସ ଦାସଙ୍କ ପୁଅ ସୁବ୍ରତ ଦାସ (୧୮) ଓ ଧର୍ମଶାଳା ବ୍ଲକର ସାନନହନଙ୍ଗରା ଗ୍ରାମର ବଟକୃଷ୍ଣ ସାହୁ(୭୫)। ନିଖୋଜ ଦୁଇଜଣ ହେଲେ ବଡ଼ଚଣା ବ୍ଲକ୍‌ ସାଉଡ଼ିଆ ପଞ୍ଚାୟତ ମୂଷାଟିକିରୀ ଗ୍ରାମର ଗଦାଧର ଦାସଙ୍କ ପୁଅ ଅମିତ(୧୯) ଓ ସାଉଡ଼ିଆ ଗ୍ରାମର କନ୍ଦ ମଲିକ(୬୫)।

ବ୍ରାହ୍ମଣୀ ନଦୀର ଭୟଙ୍କର ବନ୍ୟା ବରୀ ଅଞ୍ଚଳକୁ ବୁଡ଼ାଇ ରଖିଥିଲାବେଳେ ଆଜି ଅରଙ୍ଗାବାଦ ଗ୍ରାମର ବାସବ ଜେନାଙ୍କ ଦୁଇ ପୁଅ ଭାସିଯାଉଥିଲେ। ପିଲାମାନଙ୍କୁ ଉଦ୍ଧାର କରିବାକୁ ଯାଇ ମା’ ଲକ୍ଷ୍ମୀ ଜଳସ୍ରୋତରେ ଭାସିଯାଇଥିଲେ। ପିଲାଦ୍ବୟ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ସେହିପରି ଧାରପୁର ପଞ୍ଚାୟତର ନାଥପୁରପଟଣା ଗ୍ରାମର ଶ୍ରୀଧର ସେଠୀ (୫୦) ଆଜି ଖାଦ୍ୟ ଆଣିବାକୁ ଯାଉଥିବାବେଳେ ଘର ସମ୍ମୁଖରେ ଚାଲିଥିବା ସୁଅରେ ଭାସିଯାଇଥିଲେ। ସେହିପରି ଭଅଁରା ପଞ୍ଚାୟତ ଭଅଁରା ଗ୍ରାମର ସୁବାସ ଦାସଙ୍କ ଘରେ ପାଣି ପଶିଯାଇଥିବାରୁ ସେ ପରିବାର ସହ ସ୍କୁଲ ଘରକୁ ଯାଉଥିଲାବେଳେ ତାଙ୍କ ୧୮ ବର୍ଷର ପୁଅ ସୁବ୍ରତ ଦାସ ବନ୍ୟା ସ୍ରୋତରେ ଭାସିଯାଇଥିଲେ। କିଛି ସମୟ ଖୋଜାଖୋଜି ପରେ ସୁବ୍ରତଙ୍କର ମୃତଦେହ ମିଳିଛି। ବରୀ ଥାନା ପକ୍ଷରୁ ପୃଥକ ପୃଥକ ୩ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସୁବ୍ରତ ଓ ଲକ୍ଷ୍ମୀଙ୍କ ଶବ ବ୍ୟବ‌ଚ୍ଛେଦ ପାଇଁ ଯାଜପୁର ପଠାଯାଇଛି। ଶ୍ରୀଧର ସେଠୀଙ୍କ ମୃତଦେହ ବରୀ ବଜାର ନିକଟ ରାସ୍ତାକଡ଼ରେ ସନ୍ଧ୍ୟାଯାଏ ପଡ଼ିରହିଥିଲା।

ସେହିପରି ଧର୍ମଶାଳା ବ୍ଲକର ସାନନହନଙ୍ଗରା ଗ୍ରାମର ବଟକୃଷ୍ଣ ସାହୁ(୭୫) ଦୁଇଦିନ ହେଲା ନିଖୋଜ ଥିଲେ। ସେ କେଲୁଅ ନଦୀର ବନ୍ୟାପାଣି ସାନନହନଙ୍ଗରା ଗାଁ ଦାଣ୍ଡରେ ବୁଡ଼ିଯାଇଥିଲେ। ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ବଡ଼ଚଣା ବ୍ଲକ୍‌ ସାଉଡ଼ିଆ ପଞ୍ଚାୟତ ମୂଷାଟିକିରୀ ଗ୍ରାମର ଗଦାଧର ଦାସଙ୍କ ପୁଅ ଅମିତ(୧୯) ଆଜି ଭୋରରେ ତାଙ୍କ ସାନଭାଇ ଅସିତ(୧୨) ସହ ନିକଟସ୍ଥ କୃଷ୍ଣଦାସପୁର ମୁଖ୍ୟରାସ୍ତାକୁ ଯାଇଥିଲେ। ଗାଁ ରାସ୍ତାରେ କାଣୀନାଳର ୩ ଫୁଟର ପାଣି ଚାଲିଥିଲା। ସେଥିରେ ଦୁଇଭାଇ ଭାସି ଯାଇଥିଲେ। ଏକ କଦଳୀ ଗଛକୁ ଧରି ସାନଭାଇ ଅସିତ ରକ୍ଷା ପାଇଯାଇଥିଲେ। ଅମିତ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଅମିତଙ୍କର ପତ୍ତା ମିଳିପାରିନାହିଁ। ସେହିପରି ସାଉଡ଼ିଆ ଗ୍ରାମର କନ୍ଦ ମଲିକ(୬୫) ଆଜି ମଧ୍ୟାହ୍ନରେ କେଲୁଅ ନଦୀକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥ‌ିଲେ ମଧ୍ୟ ସନ୍ଧାନ ପାଇନାହାନ୍ତି।

ସମ୍ବନ୍ଧିତ ଖବର