ବୈତରଣୀ ଓ ଏହାର ଶାଖା ବୁଢା ନଦୀରେ ପାଣି ବଢୁଛି: ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ୩ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ

ଯାଜପୁର: ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ବୁଢା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୯.୫୬ ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏଠାରେ ବିପଦ ସଙ୍କେତ ୧୭.୮୩ । ଆଖୁଆପଦାରେ ଗତକାଲି ରାତି ୧୦ଟା ସୁଦ୍ଧା ଜଳସ୍ତର୧୯.୦୩ ମିଟରରେ ପହଞ୍ଚିଥିଲା।

ଏଣେ ଯାଜପୁର ଜିଲ୍ଲାର ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ଏସବୁ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଥିବାର ଖବର ମିଳିଛି। ଗତକାଲି ଜିଲ୍ଲାପାଳ ଏବଂ ଏସପି ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲା ସାହି ବନ୍ଧ ପରିଦର୍ଶନ କରିଥିଲେ।
ଏଣେ ବିଂଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ବର୍ଷାଜଳ ପଶି ଯାଇଥିବା ବେଳେ କୋ‌ରେଇ ବ୍ଲକର ଚାଷଜମି ଓ ଗାଁରେ ପାଣି ଜମି ରହିଛି। କେତେକ ସ୍ଥାନରେ ଘରକାନ୍ଥ ଭାଙ୍ଗିଯାଇଛି। ଅନ୍ୟପଟେ ଏବ ବଡ଼ ବନ୍ୟାର ଆଶଙ୍କା କରିଛି ପ୍ରଶାସନ।

‌ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଦ୍ରୁତ ଗତିରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଏକ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।

ବନ୍ୟା ମୁକାବିଲା ପାଇଁ ସମସ୍ତ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବା ବେଳେ କୋରେଇରେ ୫ଟି, ଯାଜପୁରରେ ୨ଟି, ଦଶରଥପୁରରେ ୪ ଟି ଓ ବିଂଝାରପୁରରେ ୨ ଟି ବୋଟ୍ ପ୍ରସ୍ତୁତ ରହିଛି। କଳିଙ୍ଗନଗରରୁ ଆସିଥିବା ଓଡ୍ରାଫ୍ ଟିମ୍‌କୁ ଦଶରଥପୁର ବ୍ଲକକୁ ପଠାଇ ଦିଆଯାଇଛି। ପାଣିକୋଇଲିରେ ଥିବା ଏନ୍‌ଡିଆର୍‌ଏଫ୍ କୋରେଇ ବ୍ଲକର ସ୍ଥିତି ଉପରେ ନଜର ରଖିବେ।

 

ସମ୍ବନ୍ଧିତ ଖବର