ଯାଜପୁର(ଅନିଲ କୁମାର ପଣ୍ଡା): ନିଜର କଳାର ପ୍ରଦର୍ଶନ କରି ଆଜି ସାରା ଭାରତରେ ଚର୍ଚ୍ଚାକୁ ଆସିଛନ୍ତି ଯାଜପୁରର ଝିଅ। ନିଜର ଉଦ୍ୟମ ବଳରେ ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋ’ରେ ନିଜର ସେଟ୍ ଡିଜାଇନ ପ୍ରଦର୍ଶନ କରିଛନ୍ତି ଯାଜପୁରର ସୌଭାଗ୍ୟଲକ୍ଷ୍ମୀ ରାଉତ। ଇଣ୍ଟେରିୟର ଡିଜାଇନ ବର୍ଗରେ ‘ଲାକମେ ଫ୍ୟାସନ ୱିକ’ର ମୁଖ୍ୟ ସୋ’ ଏରିଆରେ ଜଣେ ଜଣେ ଖ୍ୟାତାନାମା ଡିଜାଇନରଙ୍କ ସୋ’ ସେଟ ଡିଜାଇନ କରିବାର ସୁଯୋଗ ପାଇଛନ୍ତି ସୌଭାଗ୍ୟଲକ୍ଷ୍ମୀ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହାଁ ଗାଁର ଯଯାତି କେଶରୀ ରାଉତଙ୍କ ଝିଅ ସୌଭାଗ୍ୟ ଲକ୍ଷ୍ମୀ ନିଜର ଗାଁରେ ସ୍କୁଲ ଜୀବନ ଶେଷ କରି ଜୁପିଟର ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଶିକ୍ଷା କରିଥିଲେ। ପରେ ସେ ଏନଆଇଏଫଟିରେ ଇଣ୍ଟେରିୟରର ଡିଜାଇନ୍ ପାଠ୍ୟକ୍ରମ ଶେଷ କରି ଆଇଏନଆଇଏଫଡି ରେ ମାଷ୍ଟର ଡିଗ୍ରୀ ପାଠପଢ଼ା ଜାରି ରଖିଛନ୍ତି। ତେବେ ସେ ଭୁବନେଶ୍ବରରେ ଅନୁଷ୍ଠିତ ଲାକମେ ଫ୍ୟାନସ ୱିକର ଆଞ୍ଚଳିକ ଚୟନରେ ଇଣ୍ଟେରିୟର ବର୍ଗରେ ସାମିଲ ହୋଇଥିଲେ। ଓଡିଶାର ସଂସ୍କୃତିକୁ ସମ୍ମାନ ଦେବାକୁ ଯାଇ ସେ ବାଉଁଶରେ ପ୍ରସ୍ତୁତ ବଂଶୀ ସଦୃଶ୍ୟ ଜିନିଷ ବ୍ୟବହାର କରି ଫ୍ୟାସନ ସେଟ୍ ଡିଜାଇନ କରି ଆୟୋଜକ, ସେଲିବ୍ରିଟି ଜୁରୀମାନଙ୍କ ସହ ସମସ୍ତଙ୍କୁ ଆକର୍ଷିତ କରିପାରିଛନ୍ତି।
ଭାରତର ୫ଟି ଜୋନରୁ ନେଇ ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀ ଭିତରେ ବମ୍ବେରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ସୌଭାଗ୍ୟଲକ୍ଷ୍ମୀଙ୍କ ସହ ଭୋପାଳ, ବେଙ୍ଗାଲୁରୁ ଓ ମୁମ୍ବାଇରୁ ଜଣେ ଲେଖାଏଁ ପ୍ରତିଯୋଗୀ ନିଜର ସେଟ୍ ଜିଡାଇନ ପ୍ରଦର୍ଶନ କରିଥିଲେ। କିନ୍ତୁ ଏହା ଭିତରୁ ଓଡ଼ିଶା ଝିଅଙ୍କ ଓଡ଼ିଆ କଳାକୃତୀ ବଂଶୀ ଦ୍ବାରା ପ୍ରସ୍ତୁତ ସେଟ ସମସ୍ତଙ୍କୁ ମନମୁଗ୍ଧ କରିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ବଲିଡଡ ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ଏହା ଡିଜାଇନକୁ ଶ୍ରେଷ୍ଠ ବୋଲି କହିଥିଲେ। ଏହି ଅବସରରେ ସୌଭାଗ୍ୟଲକ୍ଷ୍ମୀ ଅର୍ଥ ରାଶି ପୁରସ୍କାର ସହିତ ସିଲ୍ ଗ୍ରହଣ କରିଥିଲେ। ତେବେ ଏହି ସୋ’ ଟିଭିରେ ପ୍ରଦର୍ଶିତ ହୋଇଥିବା ବେଳେ ଯାଜପୁରର ଝିଅଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।
ନିଜର ଜିଲ୍ଲା ଓ ନିଜ ଓଡ଼ିଶାକୁ ଭଲ ପାଇବା ସହ ପ୍ରତିଯୋଗିତାରେ ମଧ୍ୟ ସଂସ୍କୃତିକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇଥିବା ସୌଭାଗ୍ୟଲକ୍ଷ୍ମୀ ନିଜର ସଫଳତା ପାଇଁ ମା’ ବିରଜା, ନିଜର ପରିବାର, କଲେଜର ସମସ୍ତ ଗୁରୁଜନଙ୍କ ପ୍ରେରଣା ଏବଂ ନିଜ ଉପରେ ଥିବା ବିଶ୍ବାସ ହିଁ ତାଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି। ଭବିଷ୍ୟତରେ ପାଠ ପଢ଼ା ଶେଷକରି ଜଣେ ଭଲ ଇଣ୍ଟେରିୟର ଡିଜାଇନର ହେବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/jaj.jpg)