ଯାଜପୁରସଦର: ଗତ ୬ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରୁ ସର୍ବାଧିକ ନି‌‌ଖୋଜ ମାମଲା ପଞ୍ଜୀକୃତ ହୋଇଛି। ସାରା ରାଜ୍ୟରେ ୬୮ଟି ଥାନାର ସମୀକ୍ଷା ସମୟରେ ୨୦୧୮ ଜାନୁଆରିରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍ ବୟସର ୧୩,୭୯୨ ଜଣ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ସେଥିରୁ ୫,୫୬୬ ନିଖୋଜ ଶିଶୁଙ୍କ ଅଭିଯୋଗ କ୍ରାଇମ୍ ଏବଂ କ୍ରିମିନାଲ୍‌ ଟ୍ରାକିଂ ନେଟ୍‌ୱର୍କ ସିଷ୍ଟମ୍ (ସିସିଟିଏନଏସ୍)ରେ ପଞ୍ଜୀକରଣ ହୋଇ ନଥିଲା। ଏହାଦ୍ବାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ମହାଲେଖା ନିୟନ୍ତ୍ରକ ତଥା ସମୀକ୍ଷକ (ସିଏଜି)ଙ୍କ ୨୦୨୫ ସେପ୍ଟେମ୍ବର ରିପୋର୍ଟରେ ଦର୍ଶାଯାଇଛି। 

Advertisment

ତଥ୍ୟାନୁସାରେ ଯାଜପୁର ଜିଲ୍ଲାର ୬ ଥାନାରେ ସର୍ବାଧିକ ୧୭୪୧ଟି ନିଖୋଜ ମାମଲା ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ଯାଜପୁର ଟାଉନ ଥାନାରେ ୪୧୬ ଜଣ, ଯାଜପୁର ସଦର ଥାନାରେ ୪୩୦, ମଙ୍ଗଳପୁର ଥାନାରେ ୪୬୨, ବରୀ ରାମଚନ୍ଦ୍ରପୁର ଥାନାରେ ୩୫୦, କାଳିଆପାଣି ଥାନାରେ ୩୫ ଓ ଟମକା ଥାନାରେ ୪୮ ନିଖୋଜ ମାମଲା ରୁଜୁ ହୋଇଛି। ସିସିଟିଏନଏସ୍‌ରେ ନିଖୋଜ ବ୍ୟକ୍ତି, ଶିଶୁମାନଙ୍କର ପଞ୍ଜୀକରଣ ନ ହେବା ଏବଂ ବିଳମ୍ବରେ ପଞ୍ଜୀକରଣ ହେବା ଯୋଗୁଁ ସେମାନଙ୍କୁ ଖୋଜିବା ସମ୍ଭାବନା ହ୍ରାସ ପାଇଥିଲା। ଏହାବାଦ୍‌ ଉକ୍ତ ନିଖୋଜ ବ୍ୟକ୍ତି ଓ ଶିଶୁ ମାମଲାଗୁଡ଼ିକର ତଦନ୍ତ ସ୍ଥିତି ତଦାରଖ କରାଯାଇ ପାରିଲାନାହିଁ। ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ଝିଅ ପିହୁ ନିଖୋଜ ଘଟଣା ଏହାର ଜ୍ବଳନ୍ତ ଉଦା‌ହରଣ। ୨୦୨୦ ଅଗଷ୍ଟ ୯ରେ ୩ ବର୍ଷର ଝିଅ ପିହୁ ନିଖୋଜ ହୋଇଯାଇଥିଲା। ଏହାମଧ୍ୟରେ ୫ ବର୍ଷ ପୂରି ସାରିଥିଲେ ବି ପିହୁ ନିଖୋଜ ଘଟଣାରେ ପୁଲିସ ଏଯାବତ୍ କୌଣସି ଟେର୍‌ ପାଇପାରି ନାହିଁ। ପିହୁର ମା’ ମୋନାଲିସା ଝିଅ ପାଇଁ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ଦିଲ୍ଲୀ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ଫଳ ଶୂନ। ଗତ ଅଗଷ୍ଟ ୩୦ ତାରିଖରେ ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଯାଜପୁର ଗସ୍ତରେ ଆସି ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି କହିଥିଲେ। ହେଲେ ସେ ମଧ୍ୟ ମିଛ ପ୍ରତିଶ୍ରୁତି ଦେଇଥିବା ମୋନାଲିସା ଅଭିଯୋଗ କରିଛନ୍ତି। ପୂର୍ବ ସରକାର ଅମଳରେ ପିହୁକୁ ଖୋଜିବା ପାଇଁ ଘର ପାଖ ପୋଖରୀ ଶୁଖାଇବାଠାରୁ ଆରମ୍ଭ କରି‌ ବିଭିନ୍ନ ସ୍ଥାନରେ ପୋଷ୍ଟର୍‌ ମରାଯାଇଥିଲା। ତେବେ ନିଖୋଜ ସମୟରେ ବିଂଝାରପୁର ଥାନାର ଅବହେଳା, ଅଭିଯୋଗ ନ ରଖିବା ଆଦି କାରଣରୁ ଆଜି ବି ପିହୁର ସନ୍ଧାନ ମିଳିପାରିଲାନି ବୋଲି ମୋନାଲିସା ଅଭିଯୋଗ କରି ଆସୁଛନ୍ତି। ସଂପୃକ୍ତ ଥାନାଧିକାରୀ ଓ ତଦନ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ପଦୋନ୍ନତି ଦିଆଗଲା। ଯାହାକି ପୁଲିସ ବ୍ୟବସ୍ଥାର ବାସ୍ତବ ସତ୍ୟକୁ ପଦାରେ ପକାଇଛି। କେବଳ ଏହି ଘଟଣା ନୁହେଁ, ଜିଲ୍ଲାରୁ ଅନେକ ଆଦିବାସୀ ଶିଶୁ ଶ୍ରମିକଙ୍କୁ ଚାଲାଣ କରାଯାଉଥିଲେ ହେଁ ପୁଲିସ ପାଖରେ ଏ ନେଇ କୌଣସି ତଥ୍ୟ ନଥିବା ଜଣାପଡ଼ିଛି।