ଯାଜପୁର ହଟ୍‌ସ୍ପଟ୍, ଗୋଟିଏ ଦିନରେ ୧୭ ପଜିଟିଭ୍

ରାଜ୍ୟର ୨୫ ପ୍ରତିଶତ ସଂକ୍ରମିତ ଯାଜପୁର ଜିଲ୍ଲାରେ, ରାଉରକେଲାର ୨ ସୁସ୍ଥ ହେଲେ, ସଂଖ୍ୟା ୪୧ ଛୁଇଁଲା

ଭୁବନେଶ୍ବର : ଗତ ୫ ତାରିଖରେ ରାଜଧାନୀରେ ତଥା ରାଜ୍ୟରେ ସର୍ବାଧିକ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ୨୫ଦିନ ପରେ ଆଜି ଯାଜପୁର ଜିଲ୍ଲାରୁ ଗୋଟିଏ ଦିନରେ ୧୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫ଜଣ ମହିଳା, ୧୦ଜଣ ପୁରୁଷ ଓ ୨ଜଣ ଶିଶୁ। ଏଥିସହିତ ଯାଜପୁର ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲା ବାଦ୍ ଯାଜପୁର ଜିଲ୍ଲା ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ପାଲଟିଛି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ରାଉରକେଲାର ୨ କରୋନା ସଂକ୍ରମିତ ଆଜି ସୁସ୍ଥ ହୋଇଛନ୍ତି। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି। ଫଳରେ ସୁନ୍ଦରଗଡ଼ ଜିଲ୍ଲାର ୧୦ଜଣ ସଂକ୍ରମିତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୫ଜଣ ସୁସ୍ଥ ହୋଇସାରିଲେଣି। ଆହୁରି ୫ଜଣ ଏବେ ଚିକିତ୍ସିତ ହେଉଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖା ୪୧ରେ ପହଞ୍ଚିଛି।

ଆଜି ସକାଳେ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦଶରଥପୁର ବ୍ଲକ୍ କଟିକଟା ଅଞ୍ଚଳର ଜଣେ ୧୮ବର୍ଷର ଯୁବତୀ ଓ ୫୬ବର୍ଷର ପୁରୁଷ ରହିଛନ୍ତି। ଏହି ଦୁଇ ଜଣ ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏହାସହ କୋଲକାତାରୁ ଫେରିଥିବା ୬୫ବର୍ଷର ପୁରୁଷ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର କୌଣସି ଲକ୍ଷଣ ନ ଥିଲା। ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେହିପରି ଅପରାହ୍‌ଣରେ ଆଜି ଆଉ ୧୪ଜଣଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ୭ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ୨୯, ୩୮, ୩୫, ୨୯, ୩୪, ୧୨, ଓ ୬୨ବର୍ଷ ବୋଲି ଜଣାପଡ଼ିଛି। ଏହାସହ ୪୦, ୨୦, ୮୫, ୩୬, ୫୨ ବୟସ ଥିବା ବେଳେ ୩ବର୍ଷର ଜଣେ ଲେଖାଏ ଶିଶୁ ରହିଛନ୍ତି।

ଯାଜପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩୬ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ୩୫ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫.୪ ପ୍ରତିଶତ ଆକ୍ରାନ୍ତ ଏବେ ଯାଜପୁର ଜିଲ୍ଲାରେ ରହିଛନ୍ତି।

ଖୋର୍ଧା ଜିଲ୍ଲାରେ ସର୍ବାଧିକ ୩୩.୧ ପ୍ରତିଶତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂହ କହିଛନ୍ତି ଯେ ଯାଜପୁର କଟିକଟାରେ ପଶ୍ଚିମବଙ୍ଗ ଫେରାନ୍ତା ୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ‌ ସେହି ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। କଟିକଟା ଅଞ୍ଚଳରେ ୨୬୯ ପରିବାର ରହୁଛନ୍ତି, ତହିଁରୁ ୨ଶହ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଅବରୋଧ ଅଞ୍ଚଳରୁ ହିଁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ଅଞ୍ଚଳରେ ଆହୁରି ଅନେକ ନମୁନା ସଂଗ୍ରହ କରାଯାଉଛି। ତେବେ ଆଜିର ଘଟଣାକୁ ନେଇ ଲୋକମାନେ ଛାନିଆ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର