ରେଡ ଜୋନ୍‌ରେ ଯାଜପୁର: ୨୪ ଘଣ୍ଟାରେ ୨୩୭ ଆକ୍ରାନ୍ତ, ଜଣେ ମୃତ

ଯାଜପୁରସଦର : କରୋନା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଛି। ସ୍ବାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ହଜାରେରୁ ଊର୍ଦ୍ଧ୍ବ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ପାଇଁ ଆବଶ୍ୟକ ହେଲେ ମାତ୍ର ୨୮୬ ଟି ଅକ୍ସିଜେନ ସିଲିଣ୍ଡର ହିଁ ଭରସା। କରୋନାର ଦ୍ବିତୀୟ ଲହରୀର ସର୍ବାଧିକ ସଂକ୍ରମଣ ଯୋଗୁଁ ଯାଜପୁର ଜିଲ୍ଲା ଉପକୂଳବର୍ତ୍ତୀ ପ୍ରଥମ ଜିଲ୍ଲା ଭାବେ ରେଡ୍ ଜୋନ୍‌ରେ ପହଞ୍ଚିଛି। ଦୈନିକ ଶତାଧିକ ସଂକ୍ରମଣ ସହ ସୁସ୍ଥତା ହାର କମ ଥିବାରୁ ସକ୍ରିୟ ମାମଲା ବଢ଼ିବଢ଼ି ଚାଲିଛି।

ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ସେପ୍ଟେମ୍ବର ମାସ ୩ ତାରିଖରେ ଜିଲ୍ଲାରେ ସର୍ବାଧିକ ୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ତା ଠାରୁ ‌ଦୈନିକ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୨୩୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଟାଟା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ବିଂଝାରପୁର ବ୍ଲକ୍‌ ବରପଦା ପଞ୍ଚାୟତ ଧଳସାହି ଗ୍ରାମର ଜଣେ ବୃଦ୍ଧ। ଏହାକୁ ମିଶାଇ ଏପ୍ରିଲ ମାସରେ ମୋଟ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି। ସେହିପରି ୨୪ ଘଣ୍ଟା ମଧ୍ୟରେ ୪୧ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୩୧ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୮୩୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୨୭୨ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟ ସୁକିନ୍ଦାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ଗୁରୁତ୍ବ ଦେଇଛି। ପୂର୍ବରୁ ଜିଲ୍ଲାର ୧୨ଟି ସ୍ଥାନରେ ପରୀକ୍ଷଣ କରାଯାଉଥିବା ବେଳେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରା‌ଠୋରଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ଠାରୁ ୫ଟି ନୂଆ ସ୍ଥାନରେ କୋଭିଡ ପରୀକ୍ଷଣ କରାଯିବ ବୋଲି ସିଡିଏମଓ ସୁଧାଂଶୁ ଶେଖର ବଳ ସୂଚନା ଦେଇଛନ୍ତି।

ପୂର୍ବର ୧୨ଟି ସ୍ଥାନ ବ୍ୟତୀତ ଏବେ ବ୍ୟାସନଗରସ୍ଥିତ ଭିଏନ ହାଇସ୍କୁଲ ଓ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଯାଜପୁର ପୌରପାଳିକାର ଦେବୀଦ୍ବାର ଫିଭର କ୍ଲିନିକ୍ ଓ ବଉଳମୂଳ ଛକଠାରେ ଥିବା ଦୁର୍ଗା ମଣ୍ଡପ‌, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜରୁରୀ କାଳୀନ ବିଭାଗରେ ମଧ୍ୟ ସ୍ବାର୍ବ ସଂଗ୍ରହ କରାଯିବ। ପୂର୍ବରୁ ଜିଲ୍ଲାରେ ୧୨ ଶହ ନମୁନା ସଂଗ୍ରହ କରାଯାଉଥିବା ବେଳେ ଆସନ୍ତାକାଲି ଠାରୁ ୧୫ଶହ ନମୁନା ସଂଗ୍ରହ କରାଯିବ। ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାରେ ବର୍ତ୍ତମାନ ‌୧୨୭୨ ସକ୍ରିୟ ରୋଗୀ ରହିଥିବା ବେଳେ ମାତ୍ର ୨୮୬ଟି ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି। ଏନସି କୋଭିଡ‌ରେ ଶହେ ଶଯ୍ୟାକୁ ଶହେ ଅକ୍ସିଜେନ ରହିଥିବା ବେଳେ ଗ୍ରାମାଞ୍ଚଳ ଚିକିତ୍ସାଳୟରେ ୮୬ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶହେ ଅକ୍ସିଜେନ ରହିଛି। ତେଣୁ ଜିଲ୍ଲାରେ ଆହୁରି ଅଧିକ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ଥିବାରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆହୁରି ୧୫୦ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।

ସେହିପରି ରୋଗୀ ସଂଖ୍ୟା ବଢ଼ୁଥିବାରୁ ଆସନ୍ତା ୭ ଦିନ ମଧ୍ୟରେ ଏନସି କୋଭିଡ କେୟାର ସେଣ୍ଟରର ବେଡସଂଖ୍ୟା ଆଉ ୩ଶହ ବୃଦ୍ଧି କରିବାକୁ ଉଦ୍ୟମ ଜାରି ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ଅନୁସାରେ ବଡ଼ଚଣାରେ ୧୭, ବରୀରେ ୧୯, ବିଂଝାରପୁରରେ ୨୮, ଦାନଗଦୀରେ ୭, ଧର୍ମଶାଳାରେ ୧୭, ଦଶରଥପୁରରେ ୧୩, ଯାଜପୁରରେ ୨୧, ଯାଜପୁର ପୌରାଞ୍ଚଳରେ ୧୪, କୋରେଇରେ ୭, ରସୁଲପୁରରେ ୭, ସୁକିନ୍ଦାରେ ୭୭ ଓ ବ୍ୟାସନଗରରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର